ଏସିଆ କପ୍ ଫାଇନାଲରେ ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ: ମହମ୍ମଦ ସିରାଜଙ୍କ ଘାତକ ବୋଲିଂରେ ଧରାଶାୟୀ ଘରୋଇ ଦଳ

184

କନକ ବ୍ୟୁରୋ: କଲମ୍ବୋରେ ଚାଲିଥିବା ଏସିଆ କପ୍ ଫାଇନାଲରେ ଶ୍ରୀଲଙ୍କାର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ । ପ୍ରଥମ ୬ ଓଭରରେ ଘରୋଇ ଦଳର ୬ ୱିକେଟ୍ ନେଇଛନ୍ତି ଭାରତୀୟ ବୋଲର । ବିଶେଷକରି ମହମ୍ମଦ ସିରାଜଙ୍କ ସୁଇଙ୍ଗ ଆଗରେ ଆତ୍ମସମର୍ପଣ କରିଛନ୍ତି ଶ୍ରୀଲଙ୍କା ବ୍ୟାଟର୍ । ସିରାଜ ନିଜର ଦ୍ୱିତୀୟ ଓଭରରେ ଶ୍ରୀଲଙ୍କାର ୪ଜଣ ବ୍ୟାଟରଙ୍କୁ ପ୍ୟାଭିଲିୟନ୍ ପଠାଇ ରେକର୍ଡ କରିଛନ୍ତି । ଶେଷ ଖବର ଲେଖା ହେଲା ବେଳକୁ ଶ୍ରୀଲଙ୍କା ୮ ୱିକେଟ୍ ହରାଇ କରିଛି ୪୯ ରନ୍ । ମ୍ୟାଚରେ ଟସ୍ ଜିତି ଘରୋଇ ଦଳ ବ୍ୟାଟିଂ ନିଷ୍ପତି ନେଇଥିଲା । ପ୍ରଥମ ଓଭରରେ ହିଁ ଭାରତକୁ ସଫଳତା ଦେଇଥିଲେ ଯଶପ୍ରୀତ ବୁମରା । ତେବେ ଇନିଂସର ଚତୁର୍ଥ ଓଭରରେ ସିରାଜଙ୍କ ଘାତକ ବୋଲିଂରେ ଘାଇଲା ହୋଇଥିଲା ସିଂହଳୀ ଦଳ । ଓଭରର ପ୍ରଥମ ବଲରେ ପାଥୁମ ନିଶଙ୍କା, ତୃତୀୟ ବଲରେ ସଦୀରା ସମରାବିକ୍ରମା, ଚତୁର୍ଥ ବଲରେ ଚରିଥା ଅସଲଙ୍କା ଏବଂ ଷଷ୍ଠ ବଲରେ ଧନଞ୍ଜୟ ଡି’ସିଲଭାଙ୍କୁ ଆଉଟ୍ କରିଥିଲେ ସିରାଜ । ସିରାଜ ନିଜର ପରବର୍ତୀ ଓଭରରେ ମଧ୍ୟ ଆଉଏକ ସଫଳତା ପାଇଥିଲେ । ଫାଇନାଲରେ ଉଭୟ ଦଳ ଚୂଡ଼ାନ୍ତ ଏକାଦଶରେ ପରିବର୍ତନ କରିଛନ୍ତି । ବିରାଟ କୋହଲି, ହାର୍ଦ୍ଦିକ ପାଣ୍ଡ୍ୟା, ଯଶପ୍ରୀତ ବୁମରା, କୁଲଦୀପ ଯାଦବ ଓ ମହମ୍ମଦ ସିରାଜ ଟିମକୁ ଫେରିଛନ୍ତି । ଆହତ ଯୋଗୁଁ ଅକ୍ଷର ପଟେଲ ବାଦ୍ ପଡ଼ିଥିବା ବେଳେ ତାଙ୍କ ସ୍ଥାନରେ ୱାଶିଂଟନ୍ ସୁନ୍ଦରଙ୍କୁ ସାମିଲ କରାଯାଇଛି । ପିଚ୍ ସ୍ପିନକୁ ସୁହାଉଥିବାରୁ ଭାରତ ତିନିଜଣ ସ୍ପେଶାଲିଷ୍ଟ ସ୍ପିନରଙ୍କୁ ନେଇ ଓହ୍ଲାଇଛି । ସେହିପରି ଶ୍ରୀଲଙ୍କାର ଯୁବ ସ୍ପିନର ମହୀଶ ତୀକ୍ଷଣା ଆହତ ଯୋଗୁଁ ଫାଇନାଲରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଦୁଶନ ହେମନ୍ତଙ୍କୁ ସ୍ଥାନ ମିଳିଛି ।