ମହାନଦୀରେ ବନ୍ୟା! ହୀରାକୁଦର ୮ଟି ଗେଟ ବନ୍ଦ ନିଷ୍ପତ୍ତି, ସ୍ଥିତି ସମୀକ୍ଷା ପରେ ସୂଚନା ଦେଲେ ଏସଆରସି

151

କନକ ବ୍ୟୁରୋ:  ରାଜ୍ୟର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀରେ ବନ୍ୟା ପାଣି ଆସିଛି । ବିଶେଷ କରି ଛତିଶଗଡରେ ତଥା ମହାନଦୀର ଉପରମୁଣ୍ଡରେ ଅତିପ୍ରବଳ ବର୍ଷା ଯୋଗୁଁ ମଧ୍ୟମ ଧରଣର ବନ୍ୟା ସ୍ଥିତି ସୃଷ୍ଟି ହୋଇଛି  । ଆଜି ହୀରାକୁଦରେ ୭ ଲକ୍ଷରୁ ଅଧିକ କ୍ୟୁସେକ୍ ଜଳ ପ୍ରବାହିତ ହେଉଥିବାବେଳେ ଆସନ୍ତା କାଲି ସକାଳ ସୁଦ୍ଧା ଏହା ୯ ଲକ୍ଷ କ୍ୟୁସେକକୁ ବୃଦ୍ଧି ହେବାର ସମ୍ଭାବନା ରହିଛି । ଫଳରେ ତଳିଆ ଅଞ୍ଚଳରେ ବନ୍ୟା ହେବାର ସମ୍ଭାବନା ରହିଛି । ଏପରି ସ୍ଥିତିକୁ ଦୃଷ୍ଟିରେ ରଖି ତୁରନ୍ତୁ ହୀରାକୁଦର ୮ଟି ଗେଟକୁ ବନ୍ଦ କରିବାକୁ ନିଷ୍ପତ୍ତି ହୋଇଛି ।ଯାହାଦ୍ୱାରା ଛତିଶଗଡରୁ ଆସୁଥିବା ବନ୍ୟା ଜଳକୁ ନିୟନ୍ତ୍ରଣ କରାଯାଇପାରିବ ବୋଲି କହିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ ଜେନା ।

 କଟକ ମୁଣ୍ଡଳୀରେ ଆସନ୍ତା କାଲି ସୁଦ୍ଧା ୧୦ରୁ ୧୦.୩ ଲକ୍ଷ କ୍ୟୁସେକ୍ ବନ୍ୟା ଜଳ ପ୍ରବାହିତ ହବାର ସୂଚନା ରହିଛି । ହେଲେ ଏହାଠାରୁ ଯେପରି ଜଳସ୍ତର ନବଢେ ସେଥିପାଇଁ ହୀରାକୁଦ ଡ୍ୟାମର ସର୍ବୋଚ୍ଚ ଯନ୍ତ୍ରୀମାନେ ତୀକ୍ଷ୍ନ ଦୃଷ୍ଟି ରଖିଥିବା କହିଛନ୍ତି ସିଆରସି । ତେବେ ତଳିଆ ଅଞ୍ଚଳରେ ଯେପରି କଟକର କିଛି ବାଙ୍କି, ଆଠଗଠ, କେନ୍ଦ୍ରାପଡା, ଜଗତସିଂପୁର, ପୁରୀର କିଛି ଅଞ୍ଚଳରେ ବନ୍ୟା ପାଣି ପଶିଥିବାରୁ ଏଠାରେ ୧୨ଟି ଓଡ୍ରାଫ୍ ଟିମ୍ ସହ ୧୦ଟି ଏନଡିଆରଏଫ୍ ଟିମ୍ ଓ ୧ଟି ଅଗ୍ନିଶମ ଟିମକୁ ମୁତୟନ କରାଯାଇଛି । ବନ୍ୟାରେ ରାଜ୍ୟର ଯେପରି ବିଶେଷ କିଛି କ୍ଷତି ନହୁଏ ସେଥିପାଇଁ ରାଜ୍ୟ ସରକାର ଯଥାସମ୍ଭବ ପ୍ରୟାସ ଜାରି ରଖିଥିବା ଏସଆରସି କହିଛନ୍ତି ।

ଏବେ ଅବପାତ ଉତ୍ତର ଛତିଶଗଡ଼ ଓ ଏହାର ପାଶ୍ୱର୍ବର୍ତ୍ତୀ ତଥା ପୂର୍ବ-ମଧ୍ୟପ୍ରଦେଶରେ ସକ୍ରିୟ ରହିଛି । ଯାହାର ପ୍ରଭାବରେ ପଶ୍ଚିମ ଓଡ଼ିଶାରେ ବର୍ଷା ଜାରି ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ପାଣିପାଗ ବିଭାଗ । ବିଶେଷକରି ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ବରଗଡ଼ ଓ ବଲାଙ୍ଗୀର ବର୍ଷା ଜାରି ରହିବାର ସମ୍ଭାବନା ରହିଛି । ଗତ ୨୪ ଘଂଟାରେ କଳାହାଣ୍ଡି ଜିଲ୍ଲା ଥୁ. ରାମପୁରରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି । ଏଠାରେ ୩୬୮ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ୭ଟି ସ୍ଥାନରେ ୨୦୦ ମିଲିମିଟରରୁ ଅଧିକ ବର୍ଷା ରେକର୍ଡ କରାଯାଇଛି । ସେହିପରି ୪୩ଟି ସ୍ଥାନରେ ୧୧୫ରୁ ୨୦୦ ମିଲିମିଟର ବର୍ଷା ହୋଇଛି । ଦେବଗଡ଼ରେ ସର୍ବନିମ୍ନ ବର୍ଷା ହୋଇଛି । ଏଠାରେ ୧୧୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିପରି କୋଟପାଡ଼ରେ ୨୯୩ ମିମି, କ. ନୂଆଗାଁରେ ୨୩୫.୪ ମିମି, କଲମପୁରରେ ୨୧୮.୨ ମିମି, ଡାବୁଗାଁରେ ୨୧୩.୩ ମିମି, ବାଲିଗୁଡ଼ାରେ ୨୧୨ ମିମି, ବାଟଗାଁରେ ୨୧୦.୫ ମିମି, ଦାନପୁର-ରାମପୁରରେ ୨୦୩ ମିମି, ପାପଡ଼ାହାଣ୍ଡିରେ ୧୯୫ ମିମି, ମନ୍ଦିରାଡ୍ୟାମ ୧୯୨.୨ ମିମି ବର୍ଷା ରେକର୍ଡ କରାଯାଇଛି ।