ଉତର ଭାରତରେ ବଢୁଛି ଥଣ୍ଡାର ପ୍ରକୋପ: ରାଜସ୍ଥାନରେ ବରଫପାତ, ଦିଲ୍ଲୀରେ ୩ଡିଗ୍ରୀ ଛୁଇଁଲା ସର୍ବନିମ୍ନ ତାପମାତ୍ରା

91

କନକ ବ୍ୟୁରୋ: ଥଣ୍ଡାର ପ୍ରକୋପରେ ଥରୁଛି ସାରା ଦେଶ । ବିଶେଷ କରି ଉତର ଭାରତରେ ହାଡ଼ଭଙ୍ଗା ଶୀତ ଦୈନନ୍ଦିନ ଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି । ରାଜସ୍ଥାନ, ଉତରପ୍ରଦେଶ, ହରିଆଣା, ପଂଜାବ ଭଳି ଉତରଭାରତ ରାଜ୍ୟରେ ଖସୁଛି ପାରଦ ବଢୁଛି ଥଣ୍ଡା । ଏଠାକାର ସର୍ବନିମ୍ନ ତାପମାତ୍ରା ୭ଡିଗ୍ରୀରୁ ୩ ଡିଗ୍ରୀ ସେଲସିୟସ ଛୁଇଁଛି । ରାଜଧାନୀ ଦିଲ୍ଲୀ କଥା ନ କହିଲେ ଭଲ । ପ୍ରଦୁଷଣରେ କଲବଲ ହେଉଥିବା ଦିଲ୍ଲୀରେ ଏବେ ହାଡଭଙ୍ଗା ଶୀତ ବୋଝ ଉପରେ ନଳିତାବିଡା ହୋଇଛି ।ଏନସିଆର ସମେତ ଉତର ଭାରତର ବହୁ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି । ସବୁଠୁ ଅଧିକ ଆଶ୍ଚଯ୍ୟ କରିଛି ରାଜସ୍ଥାନର ପାଣିପାଗ । ମରୁଭୂମି ରାଜସ୍ଥାନରେ ଏବେ ଆରମ୍ଭ ହୋଇଛି ତୁଷାରପାତ । ଘର,ରାସ୍ତାଘାଟ, ଯାନବାହନ ଉପରେ ବରଫ ପଡିଥିବା ଦେଖିବାକୁ ମିଳିଛି ।

ଶୀତର ପ୍ରକୋପ ଧିରେ ଧିରେ ବଢ଼ୁଛି । ଲୋକମାନେ ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଅଧିକରୁ ଅଧିକ ଶୀତ ପୋଷାକ ବ୍ୟବହାର କରିବା ସହ ଶୀତରୁ ରକ୍ଷା ପାଇଁ ରାସ୍ତା କଡ଼ରେ ନିଆଁ ଜାଳୁଥିବା ଦେଖିବାକୁ ମିଳିଛି । ତେବେ ଥଣ୍ଡା ବଢ଼ିବା ସହ କୁକୁଡ଼ି ମଧ୍ୟ ବଢ଼ିବାରେ ଲାଗିଛି । କୁହୁଡ଼ିର ପରିମାଣ ଏତେ ଅଧିକ ରହିଛି ଯେ ଦିନ ବି ସଂଧ୍ୟା ପରି ମନେ ହେଉଛି । ପାଣିପାଗ ବିଭାଗ ଅନୁଯାୟୀ ଆସନ୍ତା ପାଂଚ ଦିନ ଯାଏଁ ହରିୟାଣା, ପଂଜାବ, ଉତରପ୍ରଦେଶ ଏବଂ ରାଜସ୍ଥାନରେ ଶୀତ ଲହର ସହ କୁହୁଡ଼ି ପାଇଁ ଅଲର୍ଟ ଜାରି ହୋଇଛି ।

ଅନ୍ୟପଟେ ଚାରିଆଡ଼େ କୁହୁଡ଼ି ଯୋଗୁଁ ରାସ୍ତାଘାଟରେ ଗମନାଗମନ ବାଧାପ୍ରାପ୍ତ ହେଉଛି । ଯାନବାହନ ଚଳାଚଳ ବାଧାପ୍ରାପ୍ତ ହେବା ସହ ଦୁର୍ଘଟଣା ଘଟିବାର ସମ୍ଭାବନା ଅଧିକ ରହୁଛି ।