ଆଜି ବିଶ୍ୱ ଦେଖୁଛି ଭାରତର ଶକ୍ତି । କର୍ତ୍ତବ୍ୟପଥରେ ବ୍ରହ୍ମୋସ ଠାରୁ ନେଇ ନାଗ ମିସାଇଲ ସିଷ୍ଟମର ପରାକ୍ରମ ଦେଖାଉଛି ସେନା

125

କନକ ବ୍ୟୁରୋ : ଦେଶ ଆଜି ୭୪ତମ ଗଣତନ୍ତ୍ର ଦିବସ ପାଳନ କରୁଛି । ଏହି ଜାନୁଆରୀ ୨୬ ତାରିଖ ଦେଶ ଓ ଦେଶବାସୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଦିନ । ଆଜିର ଦିନରେ ଭାରତର ସମ୍ବିଧାନ ଲାଗୁ ହୋଇଥିଲା । ଏହି ଅବସରରେ ଆଜି ଭାରତୀୟ ସେନା ଦିଲ୍ଲୀର କର୍ତ୍ତବ୍ୟପଥରେ ସାରା ବିଶ୍ୱକୁ ନିଜର ପରାକ୍ରମ ଦେଖାଇବାକୁ ପ୍ରସ୍ତୁତ ହୋଇଛି । ପରେଡ ସମୟରେ ଭାରତୀୟ ସେନା ବିଶ୍ୱକୁ ସ୍ୱଦେଶୀର ବର୍ତ୍ତା ଦେବାକୁ ଚେଷ୍ଟା କରିଛି । ଅର୍ଥାତ ଆଜିର ପରେଡରେ ଭାରତୀୟ ସେନା ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଅସ୍ତ୍ରଶସ୍ତ୍ର ଉପରେ ଫୋକସ କରିଛି । ପରେଡରେ ଯେଉଁ ୨୧ ତୋପୀ ସଲାମୀ ଦିଆଯାଇଛି ତାହାବି ଭାରତରେ ନିର୍ମିତ ହୋଇଥିବା ୧୦୫ଏମଏମ ଇଣ୍ଡିଆନ ଫିଲ୍ଡ ବନ୍ଧୁକରେ ଦିଆଯାଇଛି ।

ଆଜିର କାର୍ଯ୍ୟକ୍ରମରେ ଭାରତୀୟ ସେନା ଯେଉଁ ଅସ୍ତ୍ରଶସ୍ତ୍ରର ପ୍ରଦର୍ଶନ କରିବ ତାହା ମଧ୍ୟରେ ରହିଛି ଭାରତରେ ନିର୍ମିତ ବ୍ରହ୍ମୋସ ମିସାଇଲ ସିଷ୍ଟମ ଓ ଆକାଶ ଆର୍ମି ଲଞ୍ଚର । ଏହା ବ୍ୟତୀତ ନାଗ୍ ମିସାଇଲ ସିଷ୍ଟମ, କେ୯ ବଜ୍ର ଆର୍ଟିଲରି ଗନ, ଅର୍ଜୁନ ସାର୍କ ଟ୍ୟାଙ୍କ, ବିଏମପି-୨ସାରଥ, ଶର୍ଟ ସ୍ପିନ୍ ବ୍ରିଜ ସିଷ୍ଟମ, ମୋବାଇଲ ସିକ୍ୟୁରିଟି ସିଷ୍ଟମ ଓ କ୍ୱିକ୍ ଆକ୍ସନ ଟିମ୍ ଭେଇକିଲ ବି ନିଜର ଶକ୍ତି ପ୍ରଦର୍ଶନ କରିବ । ଏହାସହ ପ୍ରଥମଥର ପାଇଁ ଶତ୍ରୁଠାରୁ ସହଜରେ ରକ୍ଷା ପାଇବାକୁ ଦେଶରେ ନିର୍ମିତ ହୋଇଥିବା ଗରୁଡ କମାଣ୍ଡୋ ବି ପରେଡରେ ସାମିଲ ହେବ ।

କେବଳ ସେତିକି ନୁହେଁ ଦିଲ୍ଲୀ କ୍ଷେତ୍ରରେ ଚିଫ୍ ଅଫ ଷ୍ଟାଫ ମେଜର ଜେନରାଲ ଭାବନୀଶ କୁମାର କହିଛନ୍ତି କି , ସେନାର ଫ୍ଲାଇ ପାଷ୍ଟରେ ଦୁଇଟି ସ୍ୱଦେଶୀ ଧୃବ ଉନ୍ନତ ହାଲକା ହେଲିକପ୍ଟର ଓ ଦୁଇଟି ରୁଦ୍ର ହେଲିକପ୍ଟର ସାମିଲ ହେବ । ପରେଡରେ ୬୧ଟି ଫେବଲରୀ, ୯ଟି ମଶିନୀକୃତ କାଲମ, ୬ଟି ମାଚିଂ ଦଳ, ୩ ପରିମବୀର ଚକ୍ର ଓ ୩ ଅଶୋକ ଚକ୍ର ପୁରସ୍କାର ବିଜେତା ସାମିଲ ହେବେ ।

ଦିଲ୍ଲୀ ପୋଲିସର ସୂଚନା ମୁତାବକ ଆଜି ୬୫ ହଜାର ଲୋକ କର୍ତ୍ତବ୍ୟ ପଥରେ ପରେଡ ଦେଖିବେ । ହଜାର ହଜାର ଲୋକଙ୍କୁ ଆଜି ଦେଶରେ ନିର୍ମିତ ହୋଇଥିବା ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଦେଖିବାର ସୁଯୋଗ ମିଳିବ । ଏହାସହ ମୋଟ ୨୩ଟି ମେଢ ଆଜି ଭାଗ ନେଉଛନ୍ତି । ଏହା ଦେଶର ଜୀବିତ ଥିବା ସାଂସ୍କୃତିକ ଇତିହାସର ଏକ ନମୂନା ।