ଦିଲ୍ଲୀରୁ ଜୟପୁର … ଭଲ କରିବା ପ୍ରୟାସରେ ଭାଙ୍ଗିବ ଯିବ କି କଂଗ୍ରେସ? ପଢନ୍ତୁ…

115

କନକ ବ୍ୟୁରୋ:  କଂଗ୍ରେସ ଅଧ୍ୟକ୍ଷ ପଦଠାରୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ବେସି ଟଣାଓଟରା ଦେଖିବାକୁ ମିଳିଛି । ଦିଲ୍ଲୀଠାରୁ ନେଇ ରାଜସ୍ଥାନ ଯାଏ ସବୁଠି ହଲଚଲ ଦେଖିବାକୁ ମିଳିଛି । କଂଗ୍ରେସ ଦଳ ବର୍ତ୍ତମାନ ଏକ ପ୍ରକାର ଭାଙ୍ଗିବା ସ୍ଥିତିକୁ ଚାଲିଆସିଥିବା ମଧ୍ୟ ଦେଖାଯାଇଛି । ଗୋଟିଏ ପଟେ ବିଧାୟକମାନେ ହାଇକମାଣ୍ଡଙ୍କ କଥା ଶୁଣିବାକୁ ପ୍ରସ୍ତୁତ ନଥିବା ବେଳେ ଅନ୍ୟ ପଟେ ବରିଷ୍ଠ ନେତାଙ୍କୁ ରାଜସ୍ଥାନରେ ଦେଖିବାକୁ ମିଳିଛି । ନାରାଜ ଥିବା ବିଧାୟକଙ୍କ କହିବା କଥା ଦଳର ୧୦୨ ବିଧାୟକଙ୍କ ମତକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚିତ କରିବାର ଆବଶ୍ୟକତା ରହିଛି । ତେବେ କିଛି ବିଧାୟକ ରହିଛନ୍ତି ଯେଉଁମାନେ ଚାହୁଁଛନ୍ତି ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହୁଅନ୍ତୁ । ତେବେ ଏହାକୁ ନେଇ ହିଁ ବିଦ୍ରୋହ ଆରମ୍ଭ ହୋଇଯାଇଛି । ସିଏମର ଚଉକି ପାଇଁ ଅଶୋକ ଗେହଲଟଙ୍କ ସମର୍ଥକ ହାଇକମାଣ୍ଡଙ୍କ ଆଗରେ କିଛି ସର୍ତ୍ତ ରଖିଛନ୍ତି । ଗୋଟିଏ ପଟେ କଂଗ୍ରେସ ଯେତେବେଳେ ପରିବର୍ତ୍ତନର ସ୍ଥିତି ଦେଇ ଗତି କରୁଛି ସେତେବେଳେ ଦଳ ଭାଙ୍ଗିବାର ସ୍ଥିତିରେ ପହଞ୍ଚିସାରିଛି । କେବଳ ରାଜସ୍ଥାନରେ ନୁହେଁ ଗୋଆ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଞ୍ଜାବରେ ମଧ୍ୟ ପୂର୍ବରୁ ଏହିଭଳି ସ୍ଥିତି ଦେଖିସାରିଛି ଦଳ ।

ହାଇକମାଣ୍ଡଙ୍କ ଆଗରେ ରଖାଯାଇଥିବା ସର୍ତ୍ତ ମଧ୍ୟରୁ ପ୍ରଥମଟି ହେଉଛି ମୁଖ୍ୟମନ୍ତ୍ରୀ ପଦ ପାଇଁ ୧୦୨ ବିଧାୟକଙ୍କ ମତ ହିଁ ନିଆଯାଉ । ଦ୍ୱିତୀୟ ସର୍ତ୍ତଟି ହେଉଛି ଅଶୋକ ଗେହଲଟଙ୍କ ପସନ୍ଦକୁ ହିଁ ପ୍ରାଥମିକତା ଦିଆଯାଉ ।  ସୂଚନା ଅନୁସାରେ ହାଇକମାଣ୍ଡ ଏହି ସର୍ତ୍ତ ମାନିବାକୁ ରାଜି ନୁହନ୍ତି । ଦଳର ନେତା ଅଜୟ ମାକନ ବିଧାୟକଙ୍କୁ ସାକ୍ଷାତ କରିବା ପାଇଁ ଜୟପୁର ପହଞ୍ଚିଛନ୍ତି । ତେବେ ବିଧାୟକଙ୍କ ସହ ସେ ସାକ୍ଷାତ କରିପାରିନାହାନ୍ତି । ବର୍ତ୍ତମାନ ଅଜୟ ମାକନ, ମଲ୍ଲିକାର୍ଜୁନ ଖଡଗେ ଦିଲ୍ଲୀ ଫେରି ସୋନିଆ ଗାନ୍ଧୀଙ୍କୁ ରିପୋର୍ଟ ପ୍ରଦାନ କରିବେ । କଂଗ୍ରେସର ବିଦ୍ରୋହୀ ବିଧାୟକ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶ ପରେ ମଧ୍ୟ ପର୍ଯ୍ୟବେକ୍ଷକ ଅଜୟ ମାକନ ଏବଂ ମଲ୍ଲିକାର୍ଜୁନ ଖଡଗେଙ୍କୁ ସାକ୍ଷାତ ପାଇଁ ମନା କରିଦେଇଥିଲେ ।