ରାଷ୍ଟ୍ରପତି ନିର୍ବାଚନ: ଲାଗୁ ହେବ ନାହିଁ ଦଳୀୟ ହ୍ୱିପ୍। ପୂର୍ବରୁ ସ୍ପଷ୍ଟ କରିସାରିଛନ୍ତି  ନିର୍ବାଚନ କମିଶନ। 

133

କନକ ବ୍ୟୁରୋ: ରାଷ୍ଟ୍ରପତି ନିର୍ବାଚନରେ ଦଳୀୟ ହ୍ୱିପ୍ ଲାଗୁ ହେବ ନାହିଁ । ସାଂସଦ ଓ ବିଧାୟକମାନେ ରାଷ୍ଟ୍ରପତି ନିର୍ବାଚନରେ ନିଜ ବିବେକ ଅନୁସାରେ ଭୋଟ ଦେଇପାରିବେ । ପୂର୍ବରୁ ରହିଥିବା ଏହି ନିୟମ ସଂପର୍କରେ ନିକଟରେ ଭାରତର ନିର୍ବାଚନ କମିଶନ ମଧ୍ୟ ସ୍ପଷ୍ଟ କରିଥିଲେ । ଯଦି କୌଣସି ଦଳ ଏହାର ଖିଲାପ କରନ୍ତି ତେବେ ନିର୍ବାଚନ ପରିଚାଳନାରେ ବାଧା ସୃଷ୍ଟି କରୁଥିବା ଅଭିଯୋଗରେ ଆଇପିସିର ଧାରା-୧୭୧ସିରେ କାର୍ଯ୍ୟାନୁଷ୍ଠାନ ନିଆଯାଇପାରିବ ବୋଲି ନିର୍ବାଚନ କମିଶନ ସ୍ପଷ୍ଟକରିଦେଇଥିଲେ ।

ସମ୍ବିଧାନ ବିଶେଷଜ୍ଞଙ୍କ ମତରେ ରାଷ୍ଟ୍ରପତି ନିର୍ବାଚନ ରାଜ୍ୟସଭା ନିର୍ବାଚନ ଭଳି ନୁହେଁ । ରାଜ୍ୟସଭାରେ ଜିତିବା ପରେ ଜଣେ ସାଂସଦ ଦଳୀୟ ରହିଥାନ୍ତି, ମାତ୍ର ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପରେ ରାଷ୍ଟ୍ରପତି କୌଣସି ଦଳର ହୋଇରୁହନ୍ତି ନାହିଁ । ୧୯୬୯ରେ ଭାରତର ପଞ୍ଚମ ରାଷ୍ଟ୍ରପତି ନିର୍ବାଚନରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଆହ୍ୱାନରେ ଅଧିକାଂଶ କଂଗ୍ରେସ ସାଂସଦ/ବିଧାୟକ ବିବେକ ଅନୁସାରେ ଭୋଟ ଦେବା କାରଣରୁ ଦଳୀୟ ପ୍ରାର୍ଥୀ ନିଲମ ସଂଜୀବ ରେଡ୍ଡୀ ହାରିଯାଇଥିଲେ । ଓଡ଼ିିଶାରୁ ଭି. ଭି. ଗିରି ଜଣେ ସ୍ୱାଧୀନ ପ୍ରାର୍ଥୀ ଭାବେ ରାଷ୍ଟ୍ରପତି ରୂପେ ନିର୍ବାଚିତ ହୋଇଥିଲେ ।