ରାଷ୍ଟ୍ରପତି ନିର୍ବାଚନରେ ଜୋରଦାର କ୍ରସଭୋଟିଂ। ୪ ରାଜ୍ୟରେ ଦ୍ରୌପଦୀଙ୍କ ସପକ୍ଷରେ ପଡିଲା ଭୋଟ।

989

କନକ ବ୍ୟୁରୋ: ଦେଶର ୧୫ ତମ ରାଷ୍ଟ୍ରପତି ନିର୍ବାଚନ ପାଇଁ ସୋମବାର ମତଦାନ ଜାରି ରହିଛି । ତେବେ ନିର୍ବାଚନ ବେଳେ ଉତ୍ତରପ୍ରଦେଶ, ଗୁଜରାଟ, ଓଡିଶା ଆସାମ ଭଳି ରାଜ୍ୟରେ କ୍ରସ ଭୋଟିଂ ଦେଖିବାକୁ ମିଳିଛି । ୟୁପିର ବରେଲିରେ ସମାଜବାଦୀ ପାର୍ଟିର ବିଧାୟକ ସହଜିଲ ଇସ୍ଲାମ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି । ସହଜିଲ ପୂର୍ବରୁ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ଏହା ପରେ ତାଙ୍କ ସମ୍ପତ୍ତି ଉପରେ ମଧ୍ୟ ବୁଲଡୋଜର ଚଢାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ସେହିଭଳି ଗୁଜରାଟରେ ଏନସିପି ଏବଂ ଓଡିଶା ଏବଂ ଆସାମରେ କଂଗ୍ରେସ ବିଧାୟକ କ୍ରସ୍ ଭୋଟିଂ କରିଛନ୍ତି ।

ଗୁଜରାଟରେ ଏନସିପି ବିଧାୟକ କନ୍ଧାଲ ଏସ ଜାଡେଜା ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି । ଓଡିଶାରେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ମଧ୍ୟ ଦଳ ବିରୋଧରେ ଯାଇ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି । ସେ କହିଛନ୍ତି, ଏହା ମୋର ବ୍ୟକ୍ତିଗତ ନିଷ୍ପତ୍ତି । ମୁଁ ମୋ ଅନ୍ତରଆତ୍ମାକୁ ଶୁଣି ଭୋଟ ଦେଇଛି । ମୋ ପାଇଁ ମାଟି ପାଇଁ କିଛି କରିବା ବଡ କଥା । ଏଥିପାଇଁ ମୁଁ ମାଟିର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛି । କୁହାଯାଉଛି ମୋକମ୍ ଓଡିଶା ପ୍ରଦେଶ କଂଗ୍ରେସ କମିଟିର ଅଧ୍ୟକ୍ଷ ନହେବା କାରଣରୁ ନାରାଜ ଅଛନ୍ତି ।

ସେହିଭଳି ଆସାମରେ ଏଆଇୟୁଡିଏଫର ବିଧାୟକ କରିମୁଦ୍ଦିନ ବରାଭୁଇୟା ଦାବି କରିଛନ୍ତି ଯେ ଆସାମରେ କଂଗ୍ରେସ ବିଧାୟକ କ୍ରସଭୋଟିଂ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ୨୦ରୁ ଅଧିକ ବିଧାୟକ କ୍ରସଭୋଟିଂ କରିଛନ୍ତି । ତେବେ ଫଳ ଆସିବା ପରେ ସ୍ପଷ୍ଟ ହେବ କେତେ ଜଣ ବିଧାୟକ କ୍ରସଭୋଟିଂ କରିଛନ୍ତି ।