କୋଟିଆରେ ପଶି ଲୋକଙ୍କୁ ପ୍ରଲୋଭନ ଦେଖାଉଛି ଆନ୍ଧ୍ର : ଖଣ୍ଡପଡ଼ା ବିଧାୟକଙ୍କ ପ୍ରଶ୍ନ, ଫାଙ୍କିଦେଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ; ବିଧାନସଭାରେ କହିଲେ …

154

କନକ ବ୍ୟୁରୋ : ଦୀର୍ଘଦିନଧରି କୋରାପୁଟ ଜିଲ୍ଲାର ପଟାଙ୍ଗୀ ବ୍ଲକ କୋଟିଆ ପଞ୍ଚାୟତରେ ପଶି ଲୋକଙ୍କୁ ଲୋଭ ଦେଖାଉଛି ଆନ୍ଧ୍ର । ଏହା ସମସ୍ତେ ଜାଣିଛନ୍ତି । ଗଣମାଧ୍ୟମରେ ଏ ଖବର ବାରମ୍ବାର ପ୍ରସାରିତ ହେଉଛି । ବିରୋଧୀ ଦଳ ଓ କଂଗ୍ରେସ ବିଧାୟକ ଏ ନେଇ ବିଧାନସଭାରେ ପ୍ରଶ୍ନ ଉଠାଉଛନ୍ତି । କିନ୍ତୁ ସରକାରଙ୍କ ପାଖରେ ଏ ନେଇ କିଛି ଖବର ନାହିଁ । ବିଭାଗୀୟ ମନ୍ତ୍ରୀ ଏ ସମ୍ପର୍କରେ କିଛି ବି ଜାଣିନାହାନ୍ତି ।

ଗତକାଲି ବିଧାନସଭାରେ ଖଣ୍ଡପଡା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଏକ ଅଣତାରକା ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପ୍ରମିଳା ମଲ୍ଲିକ ଏଭଳି ଉତର ରଖିଛନ୍ତି । ଖଣ୍ଡପଡା ବିଧାୟକଙ୍କ ପ୍ରଶ୍ନ ଥିଲା , କୋଟିଆ ଗ୍ରାମପୁଞ୍ଜ ସମେତ ଓଡିଶାର ସୀମାନ୍ତବର୍ତ୍ତୀ ଗାଁ ଲୋକଙ୍କୁ ଆନ୍ଧ୍ର ସରକାର ଭୋଟର ପରିଚୟ ପତ୍ର, ରାସନ କାର୍ଡ, ଜଙ୍ଗଲ ଜମି ପଟ୍ଟା, ଜାତି ପ୍ରମାଣପତ୍ର ଓ ବିଭିନ୍ନ ସରକାରୀ ଯୋଜନାର ସମାନ୍ତରାଳ ସହାୟତା ଦେଉଥିବା ସରକାର ଜାଣନ୍ତି କି , ଯଦି ହଁ ସରକାର କି ପଦକ୍ଷେପ ନେଇଛନ୍ତି ଜଣାନ୍ତୁ ।

ଏହା ଉତ୍ତରର ମନ୍ତ୍ରୀ ପ୍ରମିଳା ମଲ୍ଲିକ କହିଥିଲେ, ଏଭଳି କିଛି ଦୃଷ୍ଟିଗୋଚର ହୋଇନାହିଁ । ଜଣାପଡିଲେ କାର୍ଯ୍ୟାନୁଷ୍ଠାନ ହେବ । କୋଟିଆ ସମ୍ପର୍କରେ ସରକାରଙ୍କ ଏଭଳି ଉତ୍ତର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।