ସ୍ୱତନ୍ତ୍ର ପୂଜା ପାଇଁ ରତ୍ନସିଂହାସନ ଉପରେ ନେପାଳ ନରେଶ ! ତିନି ଘଣ୍ଟା ପାଇଁ ଶ୍ରୀମନ୍ଦିରକୁ କରାଗଲା ଖାଲି, ଜାଣନ୍ତୁ ସ୍ୱତନ୍ତ୍ର ପୂଜା ପଛର କଣ ରହିଛି ରହସ୍ୟ

68

କନକ ବ୍ୟୁରୋ : ଆଜି ୧୫ ବର୍ଷ ପରେ ପୁରୀ ଶ୍ରୀମନ୍ଦିରରେ ରତ୍ନ ସିଂହାସନ ଉପରେ ଚଢି ପୂଜାର୍ଚ୍ଚନା କରିଛନ୍ତି ନେପାଳ ରାଜା । ଏହି ସମୟରେ ସମସ୍ତ ପାଶ୍ୱର୍ ଦେବାଦେବୀଙ୍କ ମନ୍ଦିର ବନ୍ଦ ରହିଥିଲା । ପୁରା ଶ୍ରୀମନ୍ଦିର ବେଢାକୁ ଖାଲି କରାଯିବା ସହ ୩ ଘଂଟା ପାଇଁ ସାଧାରଣ ଦର୍ଶନ ଉପରେ କଟକଣା ଜାରି କରାଯାଇଥିଲା । ଏହି ପୂଜା କରିବା ପରେ ନେପାଳ ରାଜା, ଅତ୍ୟନ୍ତ ଖୁସି ପ୍ରକାଶ କରି ଗଜପତି ମହାରାଜଙ୍କୁ ଧନ୍ୟବାଦ ଦେଇଛନ୍ତି ।

b-jagannath-templeରତ୍ନବେଦୀରେ ନେପାଳ ନରେଶ ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା ଦେବଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା । ଗୋଟିଏ ପଟେ ରତ୍ନ ସିଂହାସନ ଉପରେ ଚଢି ଶ୍ରୀ ଜିଉଙ୍କ ପୂଜାର୍ଚ୍ଚନା କରୁଥାଆନ୍ତି ନେପାଳ ରାଜା ଅନ୍ୟପଟେ ପୂରା ଶ୍ରୀମନ୍ଦିରକୁ ଏହି ସ୍ୱତନ୍ତ୍ର ରୀତିନୀତି ପାଇଁ ଖାଲି କରାଯାଇଥିଲା । ଶ୍ରୀମନ୍ଦିର ଭିତରେ ଥିବା ସମସ୍ତ ପାଶ୍ୱର୍ ଦେବାଦେବୀଙ୍କ ମନ୍ଦିରକୁ ବି ବନ୍ଦ କରି ଦିଆଯାଇଥାଏ । ୧୫ ବର୍ଷ ପରେ ଏହି ସ୍ୱତନ୍ତ୍ର ନୀତିକାନ୍ତ ପାଇଁ ପ୍ରାୟ ୩ ଘଣ୍ଟା ଧରି ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଥିଲା ।

ଏହି ସ୍ୱତନ୍ତ୍ର ପୂଜାର୍ଚ୍ଚନା ପାଇଁ ସକାଳ ପ୍ରାୟ ୧୦ଟା ୪୫ରେ ମନ୍ଦିର ନିକଟରେ ପହଞ୍ଚିଥିଲେ ନେପାଳ ରାଜା । ଗଜପତି ମହାରାଜାଙ୍କ ସହ ଜିଲ୍ଲା ଓ ମନ୍ଦିର ପ୍ରଶାସନର ଅଧିକାରୀ ମାନେ ତାଙ୍କୁ ସ୍ୱାଗତ କରିବା ପରେ ଦକ୍ଷିଣ ଦ୍ୱାରକୁ ରାଜାଙ୍କ ପ୍ରବେଶ ପାଇଁ ପ୍ରସ୍ତୁତ ରଖାଯାଇଥିଲା । ରତ୍ନ ସିଂହାସନ ଉପରେ ପ୍ରାୟ ଅଧଘଣ୍ଟା ପୂଜାର୍ଚ୍ଚନା କରିବା ପରେ ଅନ୍ୟ ପାଶ୍ୱର୍ ଦେବାଦେବୀଙ୍କ ଦର୍ଶନ କରିଥିଲେ ନେପାଳ ରାଜା ।

ପୁରୀ ଶ୍ରୀମନ୍ଦିର ସହ ନେପାଳ ରାଜାଙ୍କ ସମ୍ପର୍କ ଏକ ସ୍ୱତନ୍ତ୍ର ସମ୍ପର୍କ । ଶ୍ରୀମନ୍ଦିର ପ୍ରତିଷ୍ଠା ଏବଂ ଶ୍ରୀବିଗ୍ରହଙ୍କ ସ୍ଥାପନାରେ ତାଙ୍କର ସ୍ୱତନ୍ତ୍ର ଅବଦାନ ରହିଛି । ତେଣୁ ନେପାଳ ରାଜାଙ୍କୁ ରତ୍ନ ସିଂହାସନରେ ପୂଜା କରିବାକୁ ସ୍ୱତନ୍ତ୍ର ଅଧିକାର ଦିଆଯାଇଛି ।