ନେହେରୁ ନିଜ ନାଁ ପାଇଁ ନୁହେଁ, କାମ ପାଇଁ ପରିଚିତ ଥିଲେ । କାହିଁକି ଏମିତି କହିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ?

174

କନକ ବ୍ୟୁରୋ : ନେହେରୁ ମେମୋରିଆଲର ନାମ ପରିବର୍ତ୍ତନକୁ ନେଇ ରାଜନୀତି ତେଜିଥିବା ବେଳେ ମୁହଁ ଖୋଲିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ । ଲଦାଖ ଗସ୍ତ ସମୟରେ ବିମାନବନ୍ଦରରେ ଏନେଇ ଯେତେବେଳେ ପ୍ରଶ୍ନ ପଚରାଯିବାରୁ ରାହୁଲ କହିଛନ୍ତି, ନେହେରୁ ଜୀ ନିଜ ନାଁକୁ ନେଇ ପରିଚିତ ନଥିଲେ ବରଂ କାମକୁ ନେଇ ପରିଚିତ ଥିଲେ । ସେହିଭଳି କଂଗ୍ରେସ ନେତା ସନ୍ଦୀପ ଦୀକ୍ଷିତ ଏହି ପ୍ରସଙ୍ଗରେ ମୋଦୀ ସରକାରକୁ ଟାର୍ଗେଟ କରିବା ସହ କହିଛନ୍ତି, ନାଁ ଏଥିପାଇଁ ବଦଳା ଯାଇନି ଯେ ଅନ୍ୟ ପ୍ରଧାନମନ୍ତ୍ରୀଙ୍କ କାମ ଦେଖାଯାଇପାରିବ । ବରଂ ନେହେରୁଙ୍କର ନାଁକୁ ଚାପି ଦେବାକୁ ଏଭଳି କରାଯାଉଛି । ୧୭ ବର୍ଷ ମଧ୍ୟରେ ଜବାହାରଲାଲ ନେହେରୁ ଯେଉଁ କାର୍ଯ୍ୟ କରିଛନ୍ତି ସେଭଳି କାମ କୌଣସି ପ୍ରଧାନମନ୍ତ୍ରୀ କରିନାହାନ୍ତି । ଯେଉଁଥିପାଇଁ ଅତି ଚାଲାକିର ସହ ନେହେରୁଙ୍କର ନାଁ ପରିବର୍ତ୍ତନ କରାଯାଇଛି ।

କେନ୍ଦ୍ର ସରକାର ନେହେରୁ ମେମୋରିଆଲର ନାମ ପରିବର୍ତ୍ତନ କରି ପିଏମ ମ୍ୟୁଜିୟମ ଆଣ୍ଡ ଲାଇବ୍ରେରୀ କରିଛନ୍ତି । ସ୍ୱାଧୀନତା ଦିବସରେ ବିଧିବଦ୍ଧ ଭାବେ ଏହି ନାଁକୁ ପରିବର୍ତ୍ତନ କରାଯାଇଛି । ତେବେ ମୋଦୀ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ଏବେ  କଂଗ୍ରେସ ନେତା ମୁହଁ ଖୋଲିଛନ୍ତି । ମୋଦୀ ସରକାରକୁ ଟାର୍ଗେଟ କରୁଛନ୍ତି କଂଗ୍ରେସର ବରିଷ୍ଠ ନେତା ।