୨୦୨୪ ଲୋକସଭା ନିର୍ବାଚନ ପାଇଁ ଟାଇମ୍ସ ନାଓର ଓପିନିୟନ ପୋଲ, କେଉଁ ଦଳ ପାଇବ କେତେ ଆସନ ?

22,771

କନକ ବ୍ୟୁରୋ : ସାରା ଦେଶରେ ୨୦୨୪ ନିର୍ବାଚନ ପାଇଁ ରାଜନୈତିକ ଦଳ ଗୁଡିକ ପ୍ରସ୍ତୁତି ଆରମ୍ଭ କରିଛନ୍ତି । କେଉଁ ଆସନରେ କିପରି ନିର୍ବାଚନ ଲଢାଯିବ ସେନେଇ ଘନ ଘନ ବୈଠକ ମଧ୍ୟ ବସୁଛି । ଏହାରି ଭିତରେ ଏକ ସର୍ଭେ ପୋଲ ଆସିଛି । ସର୍ଭେ ଅନୁସାରେ ପୁଣି ସରକାର ଗଢ଼ିପାରେ ଏନଡିଏ । ପ୍ରଧାନମନ୍ତ୍ରୀ ହୋଇପାରନ୍ତି ନରେନ୍ଦ୍ର ମୋଦୀ । ସମ୍ପୂର୍ଣ୍ଣ ବହୁମତ ସହ ଆଗାମୀ ନିର୍ବାଚନରେ ଏନଡିଏ ସରକାର ଗଢ଼ିପାରେ ବୋଲି ଆକଳନ କରିଛି ଟାଇମ୍ସ ନାଓ ନବଭାରତ ପୋଲ ସର୍ଭେ ।

ଆଜିର ଦିନରେ ଯଦି ନିର୍ବାଚନ ହୁଏ, ତେବେ ମୋଦୀଙ୍କ ନେତୃତ୍ୱରେ ଏନଡିଏ ମୋଟ୍ ୫୪୩ ଆସନରୁ ୨୯୬ରୁ ୩୨୬ ଆସନ ପାଇପାରେ । ଯାହାକି ୨୦୧୯ ଆସନ ଅନୁସାରେ କମ୍ । କାରଣ ୨୦୧୯ ନିର୍ବାଚନରେ ଏନ୍ଡିଏକୁ ୩୫୩ଟି ଆସନ ମିଳିଥିଲା । ସେହିପରି ବିରୋଧୀ ମେଂଟ ଇଣ୍ଡିଆକୁ ୧୬୦ରୁ ୧୯୦ ଆସନ ମିଳିପାରେ ବୋଲି ଆକଳନ କରିଛି ଟାଇମ୍ସ ନାଓ ନବଭାରତ ପୋଲ ସର୍ଭେ । ଅନ୍ୟାନ୍ୟ ଦଳକୁ ୧୧ରୁ ୧୪ଟି ଆସନ ମିଳିପାରେ ।

ଟାଇମ୍ସ ନାଓ ନବଭାରତ ପୋଲ ସର୍ଭେ ଅନୁସାରେ ବିଜେପିକୁ ଏକାକୀ ୨୮୮ରୁ ୩୧୪ଟି ଆସନ ମିଳିପାରେ । କଂଗ୍ରେସକୁ ୬୨ରୁ ୮୦ ମିଳିବା ନେଇ ସର୍ଭେରେ କୁହାଯାଇଛି । ସେହିପରି ସର୍ଭେର ଆକଳନ ଅନୁସାରେ ଯଦି ଆଜି ଲୋକସଭା ନିର୍ବାଚନ ହୁଏ ତେବେ ଏନଡିଏର ଭୋଟ୍ ପ୍ରତିଶତ ରହିବ ୪୨ ଦଶମିକ ୬୦ । ବିରୋଧୀ ଇଣ୍ଡିଆକୁ ମିଳିବ ୪୦ ଦଶମିକ ୨୦ ପ୍ରତିଶତ । ସେହିପରି ଅନ୍ୟାନ୍ୟ ଦଳଙ୍କ ଭୋଟ୍ ପ୍ରତିଣତ ୧୧ ଦଶମିକ ୬୩ ପ୍ରତିଶତ ରହିପାରେ ।

ଯଦି ଆଜି ଲୋକସଭା ନିର୍ବାଚନ ହୁଏ, ତେବେ ଓଡ଼ିଶାରେ କେଉଁ ଦଳ କେତେ ଭୋଟ୍ ପାଇବ । ଟାଇମ୍ସ ନାଓ ନବଭାରତ ପୋଲ ସର୍ଭେ ଅନୁସାରେ ଶାସକ ବିଜେଡିକୁ ମିଳିପାରେ ୧୨ରୁ ୧୪ଟି ଆସନ । ଗତ ସାଧାରଣ ନିର୍ବାଚନରେ ବିଜେଡିକୁ ୧୨ଟି ଆସନ ମିଳିଥିବା ବେଳେ ଏଥର ଏହି ସଂଖ୍ୟା ବଢିପାରେ ବୋଲି ସର୍ଭେରେ କୁହାଯାଇଛି । ବିଜେଡିର ଭୋଟ୍ ପ୍ରତିଶତ ୧ ଦଶମିକ ୭୫ ପ୍ରତିଶତ ରହିପାରେ ।

ସେହିପରି ଆନ୍ଧ୍ରର ୱାଇଏସ୍ଆର କଂଗ୍ରେସକୁ ୨୪ରୁ ୨୫ଟି ଆସନ ମିଳିବା ସମ୍ଭାବନା ରହିଛି । ୱାଇଏସ୍ଆର କଂଗ୍ରେସର ଭୋଟ୍ ପ୍ରତିଶତ ୨ ଦଶମିକ ୬ ପ୍ରତିଶତ ରହିପାରେ । ସେହିପରି ସର୍ଭେ ଅନୁସାରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସକୁ ୨୨ରୁ ୨୪ ଅମିଳିପାରେ । ଡିଏମ୍କେକୁ ୨୦ରୁ ୨୪ ଓ ବିଆରଏସ୍କୁ ୯ରୁ ୧୧ଟି ଆସନ ମିଳିପାରେ ।