ଛାତ୍ରୀ ଯୌନ କେଳେଙ୍କାରୀ ମାମଲା ! ବନ୍ଧା ହେଲେ ନୟାଗଡ଼ କଲେଜର ଶିକ୍ଷକ

41

କନକ ବ୍ୟୁରୋ: କନକ ନ୍ୟୁଜର ପ୍ରଭାବ । ନୟାଗଡ଼ ସେକ୍ସ ସ୍କାଣ୍ଡାଲ ମାମଲାରେ ଜେଲ୍ ଗଲେ ଅଧ୍ୟାପକ ସୂର୍ଯ୍ୟମଣି ପ୍ରଧାନ ଓରଫ କାଳିଆ ସାର । କନକ ନ୍ୟୁଜରେ ଖବର ପ୍ରସାରଣ ପରେ ପୁଲିସ ନିଜ ଆଡୁ ମାମଲା ରୁଜୁ କରି କାଳିଆ ସାରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛିି ।

କାଳିଆ ସାର କଲେଜ ପ୍ରାକ୍ଟିକାଲରେ ମାର୍କ କାଟିଦେବାକୁ ଧମକ ଦେଇ ଛାତ୍ରୀ ମାନଙ୍କ ସହ ଜୋର ଜବରଦସ୍ତ ଯୌନ ସମ୍ପର୍କ ରଖୁଥିଲେ ବୋଲି ଅଭିଯୋଗ ହୋଇଥିଲା । ଏହାକୁ ନେଇ ସୋସିଆଲ ମିଡିଆରେ ମଧ୍ୟ ଏକ ଅଡିଓ ଘୁରି ବୁଲୁଥିଲା । ଏହି ଅଡିଓ ଟେପ୍ ଆଧାରରେ ଗତ ସୋମବାର ଖବର ପ୍ରସାରଣ କରିଥିଲା କନକ ନ୍ୟୁଜ୍ । ଖବର ପ୍ରସାରଣ ପରେ ନୟାଗଡ଼ରେ ନଜର ଆସିଥିଲା ଅସନ୍ତୋଷର ନିଆଁ । ବିଭିନ୍ନ ସଂଗଠନ ରାସ୍ତାକୁ ଓହ୍ଲାଇଥିଲେ । ଏବଂ କାଳିଆ ସାରଙ୍କୁ ଗିରଫ କରିବା ପାଇଁ ଦାବି ଜୋରଦାର ହୋଇଥିଲା । ଅନ୍ୟପଟେ କଲେଜ କର୍ତ୍ତୃପକ୍ଷ ପ୍ରେସମିଟ୍ କରି କହିଛନ୍ତି ପୁଲିସରୁ ରିପୋର୍ଟ ଆସିବା ପରେ ଅଭିଯୁକ୍ତ ଅଧ୍ୟାପକଙ୍କ ବିରୋଧରେ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରିବେ ।

ଉଲ୍ଲେଖଯୋଗ୍ୟ କି, ନୟାଗଡ଼ ଜିଲ୍ଲାର ଜଣେ କଲେଜ ଛାତ୍ରୀଙ୍କ ସହ ଘଟିଛି ଏଭଳି ଘଟଣା । ଏ ସଂପର୍କରେ ଛାତ୍ରୀଙ୍କର ଜଣେ ସାଙ୍ଗ ସଂପୃକ୍ତ ଅଧ୍ୟାପକଙ୍କ ସ୍ତ୍ରୀଙ୍କୁ ଏ ବିଷୟ ଜଣାଇବା ପରେ ଘଟଣାର ପର୍ଦାଫାସ୍ ହୋଇଛି। କେବଳ ଏତିକି ନୁହେଁ, ଏହି କଥାବାର୍ତ୍ତାର ଅଡିଓ ଟେପ୍ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବା ପରେ ଜିଲ୍ଲାସାରା ଚାଞ୍ଚଲ୍ୟ ସୃଷ୍ଟି ହୋଇଛି ।

ଛାତ୍ରୀ ଜଣକ ଅଧ୍ୟାପକଙ୍କ କଳା କାରନାମା ବର୍ଣ୍ଣନା କରିଛନ୍ତି । ଅଡିଓ ଟେପରେ ଛାତ୍ରୀ ଜଣକ ନୟାଗଡ଼ ନାଁ ଉଚ୍ଚାରଣ କରୁଥିବାରୁ ଏହି ଘଟଣା ନୟାଗଡ଼ ଜିଲ୍ଲାର କୌଣସି ଏକ କଲେଜରେ ହୋଇଥିବା ସନ୍ଦେହ ହେଉଛି । ଛାତ୍ରୀ ଜଣଙ୍କ ସଂପୃକ୍ତ ଅଧ୍ୟାପକଙ୍କ ନାଁ କାଳିଆ ସାର୍ ବୋଲି କହିଛନ୍ତି । କହିଛନ୍ତି, ‘କାଳିଆ ସାର୍ ବହୁ ଝିଅଙ୍କ ଜୀବନ ବରବାଦ୍ କରିଛନ୍ତି, ସେ ସବୁବେଳେ ଫାଇଦା ଉଠାଇବାକୁ ଚାହାଁନ୍ତି । କେହି ଯଦି ତାଙ୍କ କଥାରେ ରାଜି ନହେଲା, ତେବେ ତାକୁ ଉଦ୍ଦେଶ୍ୟମୂଳକ ଭାବେ ହଇରାଣ କରନ୍ତି । ଆମ ଗାଁର ପୂଜା ମୋର ସାଙ୍ଗ । ଦୁଇ ଜଣ ନୟାଗଡ଼ରେ ଯୁକ୍ତ ଦୁଇ ପଢ଼ିବାକୁ ଆସି କାଳିଆ ସାରଙ୍କ ହଷ୍ଟେଲରେ ରହିଥିଲୁ । ହଷ୍ଟେଲ୍ରେ ଯେଉଁ ରୁମରେ ବାସନ ରୁହେ, ସେଠାରେ କାଳିଆ ସାର୍ ପୂଜାକୁ ପ୍ରଥମେ ରେପ୍ କରିଥିଲେ । ପରେ ପ୍ରାକ୍ଟିକାଲରେ ମାର୍କ କମାଇଦେବାକୁ ଧମକାଇ ତା ସହ ବହୁବାର ଶାରୀରିକ ସଂପର୍କ ରଖିଛନ୍ତିଟ୍ଟ.. ।’

୧୮ ମିନିଟ୍ ୬ ସେକେଣ୍ଡର ଏହି ଅଡିଓ ଟେପରେ ଏଭଳି ଅନେକ ଚାଞ୍ଚଲ୍ୟକର କଥା କହିଛନ୍ତି ଛାତ୍ରୀ ଜଣକ । କେବଳ ସେତିକି ନୁହେଁ, ଛାତ୍ରୀ ଜଣକ ଏହି ବାର୍ତାଳାପ ସଂପର୍କରେ କାଳିଆ ସାରଙ୍କୁ କିଛି ନକହିବାକୁ କହିଛନ୍ତି । କାଳିଆ ସାରଙ୍କୁ କହିଲେ ତାଙ୍କ ଜୀବନ ପ୍ରତି ବିପଦ ଥିବା ସେ କହିଛନ୍ତି । ଏପରି ଏକ ସମ୍ବେଦନଶୀଳ ଘଟଣାରେ କଠୋରରୁ କଠୋର କାର୍ଯ୍ୟାନୁଷ୍ଠାନ ହେବା ଦରକାର ବୋଲି ବିଭିନ୍ନ ମହଲରୁ ଦାବି ହୋଇଛି ।