କନକ ବ୍ୟୁରୋ : ନବୀନଙ୍କ ମନ୍ତ୍ରିମଣ୍ଡଳର ନବକଳେବର । ମନ୍ତ୍ରିମଣ୍ଡଳରେ ଏକ ଅପ୍ରତ୍ୟାଶିତ ପରିବର୍ତ୍ତନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ନିଜ ଅଧିନରୁ ପୂର୍ତ୍ତ ଓ ଜଳସଂପଦ ବିଭାଗକୁ ପ୍ରତ୍ୟାହାର କରି ଅନ୍ୟ ମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ପୂର୍ବରୁ ଏ ନେଇ କୌଣସି ସୂଚନା ନ ଥିବାରୁ ରାଜନୈତିକ ମହଲରେ ଏହାକୁ ମୁଖ୍ୟମନ୍ତ୍ରୀଙ୍କ ଏକ ମାଷ୍ଟର ଷ୍ଟ୍ରୋକ୍ ବୋଲି କୁହାଯାଉଛି।
Kanak News is now on WhatsApp
Join and get latest news updates delivered to you via WhatsApp
ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ହୋଇଛି ବଡ ଧରଣର ବିଭାଗ ଅଦଳବଦଳ । ଦୀର୍ଘ ବର୍ଷ ପରେ ପୂର୍ତ୍ତ ଓ ଜଳସଂପଦ ବିଭାଗ ଛାଡିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ୍ । ବିଜେପୁର ଉପନିର୍ବାଚନରେ ଦଳ ହାସଲ କରିଥିବା ବିପୁଳ ବିଜୟ ପଛରେ ଯେଉଁ ନେତା ମାନଙ୍କ ଭୂମିକା ରହିଥିଲା ନବୀନ ସେମାନଙ୍କୁ ପୁରସ୍କୃତ କରିଛନ୍ତି । ନିରଂଜନ ପୂଜାରୀଙ୍କୁ ଜଳସମ୍ପଦ ବିଭାଗର ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ସେ ନଗର ଉନ୍ନୟନ ବିଭାଗର ମଧ୍ୟ ଦାୟିତ୍ୱ ତୁଲାଇବେ । ନିରଂଜନ ପୂଜାରୀ ଉପନିର୍ବାଚନ ସମୟରେ ଗାଇସିଲଟ ବ୍ଲକର ଦାୟିତ୍ୱରେ ଥିଲେ । ଯାହା ପ୍ରଣୟ ସାହୁଙ୍କ ଗଡ ହୋଇଥିଲେ ମଧ୍ୟ ବିଜେଡି ସେଠି ଜବରଦସ୍ତ ସଫଳତା ହାସଲ କରିଥିଲା ।
ସେହିପରି ବରଗଡ ପର୍ଯ୍ୟବେକ୍ଷକ ଦାୟିତ୍ୱାରେ ଥିବା ପ୍ରଫୁଲ ମଲ୍ଲିକଙ୍କୁ ମଧ୍ୟ ମିଳିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ । ପ୍ରଫୁଲ୍ଲ ମଲ୍ଲିକଙ୍କୁ ଦିଆଗଲା ପୂର୍ତ୍ତ ବିଭାଗ ଦାୟିତ୍ୱ । ପୂର୍ବଭଳି ତାଙ୍କ ପାଖରେ ରହିବ ଇସ୍ପାତ ଓ ଖଣି ବିଭାଗର ଦାୟିତ୍ୱ । ପ୍ରତାପ ଜେନାଙ୍କୁ ମିଳିଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସହ ନୂଆ ବିଭାଗର ଦାୟିତ୍ୱ ଚଳାଇବେ ପ୍ରତାପ ଜେନା । ବିଜେପୁର ଉପ ନିର୍ବାଚନ ସମୟରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୂଲାଇଥିବା ସୁଶାନ୍ତ ସିଂଙ୍କୁ ପଚୁସ୍କୃତ କରିଛନ୍ତି ନବୀନ । ସୁଶାନ୍ତ ସିଂଙ୍କୁ ମିଳିଲା ଶକ୍ତି ବିଭାଗ ଦାୟିତ୍ୱ । ପୂର୍ବଭଳି ସୁଶାନ୍ତ ସିଂ ଶ୍ରମ ଓ ନିଯୁକ୍ତି ଦାୟିତ୍ୱ ତୁଳାଇବେ । ଅନନ୍ତ ଦାସଙ୍କୁ ମିଳିଲା ଶିଳ୍ପ ବିଭାଗ ଦାୟିତ୍ୱ । ପୂର୍ବଭଳି ଉଚ୍ଚ ଶିକ୍ଷା ବିଭାଗର ଦାୟିତ୍ୱ ସହ ଶିଳ୍ପ ବିଭାଗ ଦାୟିତ୍ୱ ତୁଳାଇବେ ଅନନ୍ତ ଦାସ ।
ତେବେ ନୂଆ ବିଭାଗ ଦାୟିତ୍ୱ ପାଇବା ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଅନନ୍ତ ଦାସ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋ ପ୍ରତି ଭରସା କରିଥିବାରୁ ତାଙ୍କୁ ଅନେକ ଅନେକ ଧନ୍ୟବାଦ । ଉଚ୍ଚଶିକ୍ଷା ବିଭାଗ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ । ଏବେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ବିଭାଗ ଦାୟିତ୍ୱ ମିଳିଛି । ଉଭୟ ବିଭାଗକୁ ସୂଚାରୁରୂପେ ପାଳନ କରିବି ବୋଲି ସେ ପ୍ରକାଶ କରିଛନ୍ତି । ଅନ୍ୟପଟେ ପୂର୍ତ୍ତ ବିଭାଗ ଦାୟିତ୍ୱ ପାଇବା ପରେ ପ୍ରତିିକ୍ରିୟା ପ୍ରକାଶ କରିଛନ୍ତ ପ୍ରଫୁଲ୍ଲ ମଲ୍ଲିକ । ସେ କହିଛନ୍ତି , ଓଡ଼ିଶାର ମଙ୍ଗଳ ପାଇଁ କାମ କରିବି ଏବଂ ନୂଆ ଦାୟିତ୍ୱକୁ ସୂଚାରୁ ରୂପେ ପାଳନ କରିବି ।