ସରକାରୀ କାର୍ଯ୍ୟକ୍ରମରେ ‘ଜୟ ଶ୍ରୀରାମ’ ନାରା, ବିବାଦରେ ମଧ୍ୟପ୍ରଦେଶ ରାଜ୍ୟପାଳ

230

କନକ ବ୍ୟୁରୋ : ମଧ୍ୟପ୍ରଦେଶର ମହାମହିମ ରାଜ୍ୟପାଳ ମଙ୍ଗୁ ଭାଇ ପଟେଲ ଏବେ ବିବାଦରେ ଛନ୍ଦି ହୋଇଯାଇଛନ୍ତି । ଗୁୁରୁବାର ଦିନ ସକାଳେ ଆଗର ମାଲବା ଜିଲ୍ଲା ଲହସୁନ ଗ୍ରାମରେ ଏକ ସରକାରୀ କାର୍ଯ୍ୟକ୍ରମରେ ରାଜ୍ୟପାଳ ଯୋଗ ଦେଇଥିଲେ । ସେଠାରେ ସେ ଭାଷଣ ଦେଇ ସାରିବା ପରେ ମଞ୍ଚତଳେ ଉପସ୍ଥିତ ଥିବା ଲୋକଙ୍କୁ ଜୟ ଶ୍ରୀରାମ ନାରା ଲଗାଇବାକୁ କହିଥିଲେ । ରାଜ୍ୟପାଳ ନିଜେ ଜୟ ଶ୍ରୀରାମ ନାରା ପକାଇବା ସହ ଉପସ୍ଥିତ ଜନ ସମୁଦାୟ ମଧ୍ୟ ଜୟ ଶ୍ରୀରାମ ନାରା ଲଗାଇଥିଲେ । ମହାମହିମ ରାଜ୍ୟପାଳ ଥରେ ବରଂ ୩ ଥର ଜୟ ଶ୍ରୀରାମ ନାରା ଲଗାଇଥିଲେ । ଏହା ସହ ଯେଉଁମାନେ ଜୟ ଶ୍ରୀରାମ ନାରା ନ ଲଗାଇଥିଲେ ସେମାନଙ୍କୁ ରାଜ୍ୟପାଳ କଟାକ୍ଷ କରିଥିଲେ ।

ସେହି ସଭାରେ ଉପସ୍ଥିତ ଥିବା କିଛି ଲୋକ ଅଭିଯୋଗ କରିଛନ୍ତି କି, ମହାମହିମ ରାଜ୍ୟପାଳ ଭୁଲିଯିବା ଉଚିତ ନୁହେଁ କି ଜୟ ଶ୍ରୀରାମ ଏକ ନିର୍ଦ୍ଧିଷ୍ଟ ଧର୍ମ ବା ସଂପ୍ରଦାୟର ନାରା । ଏହାକୁ ସରକାରୀ ପଦାଧିକାରୀ କୌଣସି ସରକାରୀ କାର୍ଯ୍ୟକ୍ରମରେ ବ୍ୟବହାର କରିପାରିବେ ନାହିଁ । ରାଜ୍ୟପାଳ ମଙ୍ଗ ଭାଇ ପଟେଲ ଭାରତର ସର୍ବଧର୍ମ ସମଭାବ ନୀତିକୁ ଭୁଲିଯାଇଥିବା କଥା କହିଛନ୍ତି ସଭାରେ ଥିବା କିଛି ଲୋକ ।