ବଂଚି ଥାଉ ଥାଉ ମାରିଦେଲେ: ଓଲିଉଡର ବର୍ଷୀୟାନ ଅଭିନେତା ମିହିର ଦାସଙ୍କ ବାବଦରେ ୱିକିପିଡିଆରେ ଭୁଲ ତଥ୍ୟ, ବିବାଦ ବଢିବା ପରେ ସୁଧୁରିଲା ତ୍ରୁଟି 

593

କନକ ବ୍ୟୁରୋ: ଓଡିଶାର ଲୋକପ୍ରିୟ ଅଭିନେତା ମିହିର ଦାସ । ବଂଚି ଥାଉ ଥାଉ ବୁଧବାର ରାତିରେ  ମିହିର ଦାସଙ୍କୁ ମାରି ଦେଲା ୱିକିପେଡିଆ । ହେଲେ ଗୁରୁବାର ପୁଣି ମିହିର ଦାସ ଜୀବିତ ଥିବା ୱିକିପେଡିଆରେ ଡାଟା ଅପଡେଟ୍ କରିବା ଚର୍ଚ୍ଚାର ବିଷୟ ହୋଇଛି । ଏହାକୁ ନିନ୍ଦା କରିଛନ୍ତି ତାଙ୍କୁ ଭଲ ପାଉଥିବା ପ୍ରତିଟି ମଣିଷ ।

ଆପଣଙ୍କ ଟିଭି ସ୍କ୍ରିନରେ ରହିଛି ଓଡିଶାର ଲୋକ ପ୍ରିୟ ଅଭିନେତା ମିହିର ଦାସଙ୍କ ବାବଦରେ ୱିକିପେଡିଆର ଦୁଇ ଦିନର ସ୍କ୍ରିନ ସଟ୍  । ପ୍ରଥମଟି ବୁଧବାର ରାତିର ହୋଇଥିବାବେଳେ ଅନ୍ୟଟି ଗୁରୁବାରର । ବୁଧବାର ରାତିରେ ଥିବା ୱିକିପେଡିଆର ତଥ୍ୟ କହୁଛି ମିହିର ଦାସଙ୍କର ୧୪ ତାରିଖରେ ଦେହାନ୍ତ ହୋଇଯାଇଛି । କିନ୍ତୁ ଗୁରୁବାର ଦିନର ସେହି ତଥ୍ୟକୁ ହଟାଇବା ସହ ମିହିର ଦାସ ଜୀବିତ ଥିବା ଦର୍ଶା ଯାଇଛି । ୱିକିପେଡିଆର ତଥ୍ୟ ଉପରେ କୋଟି କୋଟି ଲୋକ ବିଶ୍ୱାସ କରୁଥିବାବେଳେ ଏଭଳି ଏକ ମିଛ ସୂଚନା ପ୍ରକାଶ ପାଇବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହାକୁ ନିନ୍ଦା କରିଛନ୍ତି ଓଡିଶା ସିନେ ଆସୋସିଏସନର ସମ୍ପାଦକ ଶ୍ରୀତମ ଦାସ ।

ମିହିର ଦାସ କିଡନୀ ଜନତୀ ରୋଗରେ ପୀଡିତ ହୋଇ ଗତ କିଛି ଦିନ ହେଲା ଚିକିତ୍ସିତ ହେଉଛନ୍ତି । ତାଙ୍କୁ ଅବସ୍ଥା ଗୁରୁତ୍ୱର ଥିବାରୁ ଏକ ଘରୋଇ ହସ୍ପିଟାଲରେ ଭେଂଟିଲେଟରରେ ରଖାଯାଇଛି । ସ୍ୱତନ୍ତ୍ର ଡାକ୍ତରୀ ଦଳ ତାଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛନ୍ତି । ମିହିିର ଅସୁସ୍ଥ ଥିବା ଖବର ସାମନାକୁ ଆସିବା ପରେ ଓଡିଶା ଓ ଓଡିଶା ବାହାରେ ଥିବା ହଜାର ହଜାର ଲୋକ ତାଙ୍କ ଆଶୁ ଆରୋଗୀ କାମନା କରୁଛନ୍ତି । ଏଭଳି ସମୟରେ ୱିକିପେଡିଆରେ ଏମିତି ତଥ୍ୟ ଆସିବାକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି ତାଙ୍କ ପରିବାର ଓ ଭଲ ପାଉଥିବା ପ୍ରତିଟି ମଣିଷ । ଓ ଏହାର ନିନ୍ଦା କରିଛନ୍ତି ।

ମିହିର ଦାସ ତାଙ୍କ ଲମ୍ବା କ୍ୟାରିୟରରେ ଓଲିଉଡକୁ ଅନେକ ସୁପରହିଟ୍ ଚଳଚିତ୍ର ଭେଟି ଦେବା ସହ ଓଡିଆଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଏମିତି ସମୟରେ ଏଭଳି ଖବର ସମସ୍ତଙ୍କୁ ସ୍ତବ୍ଦ କରି ଦେଇଛି ।