ପାଇଖାନା ନାଁରେ ଟଙ୍କା ଖାଇଗଲେ: ବଲାଙ୍ଗୀରରୁ ଆସିଲା ଆରଡବ୍ଲୁଏସଏସ ବାବୁଙ୍କ ସାଂଘାତିକ କାରସାଦି

124

କନକ ବ୍ୟୁରୋ: ୬ ମାସ ତଳେ ବଲାଙ୍ଗୀର ଜିଲ୍ଲାର ବ୍ଳକରେ କିଭଳି ଜେଇ ଓ ଠିକାଦାର ମିଳିମିଶି କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣ ପାଇଁ ଆସୁଥିବା ଟଙ୍କାଙ୍କୁ ଚଳୁ କରୁଥିଲେ, ତାହାର ଚିତ୍ର ସାମନାକୁ ଆସିଥିଲା । ଏବେ ଯେଉଁ ଦୁର୍ନୀତିର ଚିତ୍ର ଦେଖିବାକୁ ମିଳିଛି, ତାହା ଆହୁରି ସାଂଘାତିକ । କେମିତି ବଲାଙ୍ଗୀର ଜିଲ୍ଲାରେ ପାଇଖାନା ଦୁର୍ନୀତି ଚାଲିଛି, କୋଟି କୋଟି ଟଙ୍କା ଆତ୍ମସାତ ହୋଇଛି, ତାହାର ଏକ ବଡ଼ ପ୍ରମାଣ ମିଳିଛି । ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଜେଇ, ଅଫିସ ବଦଳରେ ହୋଟେଲ ରୁମ୍ରେ ଚଳାଇଥିଲେ ପାଇଖାନା ଟଙ୍କା ଆତ୍ମସାତ ପାଇଁ କ୍ୟାମ୍ପ ଅଫିସ । ମିଛ ବିଲ୍ କରି କୋଟି କୋଟି ଲୁଟି ନେଇଛନ୍ତି ଅସାଧୁ କର୍ମଚାରୀ ଓ ଠିକାଦାର ।

ବଲାଙ୍ଗୀର ପୁଇଁତଳା ବ୍ଲକର ଆର୍ଡବ୍ଲୁଏସଏସ୍ ବା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଜେଇ ନିଜ ସରକାରୀ କାର୍ଯ୍ୟାଳୟ ବଦଳରେ ଆଉ ଏକ ସମାନ୍ତରାଳ ଅଫିସ ଚଳାଇଥିଲେ । ହିତାଧିକାରୀଙ୍କ ଅଜାଣତରେ କାଗଜପତ୍ର ନେଇ ବେଆଇନ ଭାବେ ହୋଟେଲ କୋଠରୀରେ ଚଳାଇଥିଲେ ସମାନ୍ତରାଳ କାର୍ଯ୍ୟାଳୟ । ସେଠାରେ ମିଛ ବିଲ୍ ହେଉଥିଲା, କୋଟି କୋଟି ଟଙ୍କା ଆତ୍ମସାତ କରିବା ପାଇଁ ଯୋଜନା କରାଯାଉଥିବା ଅଭିଯୋଗ ହୋଇଛି । ଏହି ଖବର ପ୍ରଚାରିତ ହେବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଏକ ଟିମ୍ ହୋଟେଲ ରୁମ୍କୁ ସିଲ୍ କରିଛନ୍ତି । ସେଠାରେ ଥିବା କାଗଜପତ୍ର ସହ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ ନାଁରେ ସିଲ୍କୁ ଜବତ କରାଯାଇଛି ।

କେଉଁଠି ନିମ୍ନମାନର ପାଇଖାନା ତିଆରି କରି ଟଙ୍କା ହେରଫେର ହୋଇଛି ତ କେଉଁଠି ଜଣେ ହିତାଧିôକାରୀଙ୍କ ଅଜାଣତରେ ବାରମ୍ବାର ଟଙ୍କା ଉଠାଯାଇଥିବା ଜଣାପଡ଼ିଛି । ଏଠାରେ କେବଳ ପଇଁତଳା ବ୍ଲକ ନୁହେଁ, ସମ୍ବଲପୁର ଜିଲ୍ଲାର ପାଇଖାନା ପାଇଁ ଆବେଦନ ଫର୍ମ ସହ ବିଲ୍ ଉଠା ଯାଇଥିବା ଦସ୍ତାବିଜ ମଧ୍ୟ ଯାଂଚ କରୁଥିବା ଟିମ୍ ହାତରେ ଲାଗିଛି । ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଏସଡିଓ, ପୁଲିସ ଉପସ୍ଥିତ ରହି ଯାଂଚ କରିଛନ୍ତି ।

ତିନି ବର୍ଷ ଧରି ହୋଟେଲ ରୁମରେ ଏଭଳି କାରବାର ଚାଲିଥିବା କହିଛନ୍ତି ସଂପୃକ୍ତ ହୋଟେଲର ମ୍ୟାନେଜର । କିଭଳି ଜଣେ ବିଭାଗୀୟ କର୍ମଚାରୀ, ଏଭଳି ଦୁର୍ନୀତି କରୁଥିଲେ, କେହି ତା’ର ଟେର୍ ପାଉନଥିଲେ, ତାହା ଏବେ ପ୍ରଶ୍ନ ଛିଡ଼ା କରିଛି ।