ଫୁଲକୋବି ଚାଷର ଗାଁ ମଧୁରଚୁଆ । ଗାଁର ଅଧିକାଂଶ ଲୋକ ଚାଷ ଉପରେ ନିର୍ଭରଶୀଳ, ଧର୍ମଶାଳା ଓ ରସୁଲପୁର ଅଂଚଳରେ କୋବି ଚାଷ କରି ଲକ୍ଷପତି ଚାଷୀ

157

କନକ ବ୍ୟୁରୋ : ଫୁଲକୋବି ଚାଷର ଗାଁ ମଧୁରଚୁଆ । ଯୁଆଡ଼େ ଚାହିଁବ, ସିଆଡ଼େ ଖାଲି କୋବି ହିଁ କୋବି । ସବୁଜ ପନିପରିବାରେ ଭର୍ତି ହୋଇଛି ପଡ଼ିଆ ଜମି । ଏହି ଗାଁର ପ୍ରାୟ ଅଧିକାଂଶ ଲୋକେ କୋବି ଚାଷୀ । ରୁତୁକାଳୀନ ଫସଲ ଭାବେ କୋବି ଚାଷ କରି ଅନେକ ଲୋକ ଜୀବିକା ନିର୍ବାହ କରନ୍ତି । ଗଂଜାମ ମଧୁରଚୁଆ ଗାଁର ସମସ୍ତ ଲୋକ ଚାଷ ଉପରେ ନିର୍ଭରଶୀଳ । ପ୍ରାୟ ଶହେ ହେକ୍ଟରରୁ ଅଧିକ ଜମିରେ ଫୁଲ କୋବି ଚାଷ କରିଛନ୍ତି ଚାଷୀ । ୨ଶହରୁ ଅଧିକ ପରିବାର ଚାଷ କରି ପରିବାର ପ୍ରତିପୋଷଣ କରୁଛନ୍ତି ।

ସବୁଜିମାରେ ଚମକୁଥିବା ଏହି ସବୁ ପରିବା କ୍ଷେତ ହେଉଛି ଧର୍ମଶାଳା ଓ ରସୁଲପୁର ଅଂଚଳର । ଶହ ଶହ ଏକର ଜମିରେ ଫଳିଛି ବନ୍ଧା କୋବି ଓ ଫୁଲ କୋବି । ଧର୍ମଶାଳା ବ୍ଲକର ଅଂଟିଆ, କୁସ୍ତିରା, କମାଗଡ, ଜେନାପୁର, ରସୁଲପୁର ବ୍ଲକର କଲଣ, ଶୁଳିଆ, ସିଂହାପୁର, ବାରବାଟି, ଅର୍ତିଆ ଭଳି ଅଂଚଳର ଚାଷୀ କୋବିଚାଷ ଉପରେ ନିର୍ଭର କରିଥାନ୍ତି । ଗୋଟିଏ ଏକର ଚାଷ ଜମିରେ କୋବି ଚାଷ ପାଇଁ ୧୫ ହଜାର ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଚାଷୀମାନେ ୩୦ରୁ ୪୦ ହଜାର ଟଙ୍କା ରୋଜଗାର କରିଥାନ୍ତି ।

ବର୍ଷକରୁ ଚାରିମାସ ଚାଷୀ ବିଲରେ ହାଡଭଙ୍ଗା ପରିଶ୍ରମ କରି ଅମଳ କରନ୍ତି ଫୁଲକୋବି ଓ ବନ୍ଧା କୋବି । ଉପଯୁକ୍ତ ବଜାର ଅଭାବରୁ ଚାଷୀଙ୍କୁ ଉତ୍ପାଦିତ ପରିବାକୁ ଶାଗମାଛ ଦରରେ ବିକ୍ରୀ କରିବାକୁ ପଡ଼ୁଛି । ତେଣୁ ଫସଲ ସଂରକ୍ଷଣ ପାଇଁ ଶୀତଳଭଣ୍ଡାର ଯୋଗାଇଦେବାକୁ ଦାବି କରିଛନ୍ତି କୋବି ଚାଷୀ ।