ଏସଏଚଜି ମହିଳାଙ୍କ ଫୁଲଚାଷ । ୩ ଏକର ଜମିରେ ଗେଣ୍ଡୁ, ଗୋଲାପ ଓ ସେବତୀ ଫୁଲ ଚାଷ କରିଛନ୍ତି ସୁବର୍ଣ୍ଣପୁର ଡୁଙ୍ଗୁରିପାଲିର ମହିଳା

87

କନକ ବ୍ୟୁରୋ : ଗେଣ୍ଡୁ, ଗୋଲାପ ଓ ସେବତି ଫୁଲରେ ହସୁଛି କ୍ଷେତ । ଶୀତ ସକାଳର କାକର ବିନ୍ଦୁ ଓ କଅଁଳିଆ ଖରା, ଫୁଲର ପାଖୁଡ଼ାକୁ ଆହୁରି ସତେଜ କରିଛି । ପବନରେ ଦୋଳି ଖେଳୁଛି ହଳଦୀ ରଙ୍ଗର ସେବତୀ, ଗେଣ୍ଡୁ ଓ ଲାଲ ଗୋଲାପ । ଏ ଦୃଶ୍ୟ ହେଉଛି ସୁବଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଗାଁର ଏକ ଫୁଲ ବଗିଚାର । ଆପଣମାନେ ଜାଣି ଆଶ୍ଚର୍ଯ୍ୟ ହେବେ ଏଭଳି ଏକ ସୁନ୍ଦର ବଗିଚା କେବଳ ମହିଳା ମାନଙ୍କ ଦ୍ୱାରା ସମ୍ଭବ ହୋଇପାରିଛି । ଘର କାମ ପରେ ନିଜର ଶ୍ରମ ଦାନ କରି ଏସଏଚଜି ମହିଳା ମାନେ ଫୁଲ ବଗିଚା କରିଛନ୍ତି ପ୍ରତିଦିନ ବଗିଚାରେ କାମ କରିବା ସହ ଉତ୍ପାଦିତ ହେଉଥିବା ଫୁଲ ନିକଟସ୍ଥ ବଜାରରେ ବିକ୍ରି କରୁଛନ୍ତି ।

ଡୁଙ୍ଗୁରିପାଲି ଗାଁର ୧୦ ଜଣ ମହିଳା ୨୦୧୦ ମସିହାରେ ଆରମ୍ଭ କରିଥିଲେ ଦଧୀବାମନ ସ୍ୱୟଂ ସହାୟକ ଗୋଷ୍ଠୀ । ଏବେ ମିଶନ ଶକ୍ତି ସହଯୋଗରେ କିଛି ରୁଣ ନେଇ ଫୁଲ ଚାଷ କରି ଲାଭବାନ ହେଉଛନ୍ତି ମହିଳା । ୩ ଏକର ଜମିରେ ପ୍ରଥମେ ମହିଳା ମାନେ ଗେଣ୍ଡୁ ଓ ସେବତୀ ଚାଷ ଆରମ୍ଭ କରିଥିଲେ । ଗୋଲାପ ଫୁଲର ଚାହିଦା ବଜାରରେ ଅଧିକ ରହିଥିବାରୁ ପରେ ଗୋଲାପ ଚାଷ କରି ସେଥିରେ ସଫଳ ମଧ୍ୟ ହୋଇଛନ୍ତି । ଗୋଟିଏ ଗୋଟିଏ ରୁତୁରେ ୨୦ରୁ ୨୫ ହଜାର ଟଙ୍କା ରୋଜଗାର କରି ବେଶ ଉପକୃତ ହେଉଛନ୍ତି ଏସଏଚଜି ମହିଳା ।

ଓଡ଼ିଶା ଭଳି ରାଜ୍ୟରେ ଅନେକ ଚାଷୀ ପାରମ୍ପରିକ ଚାଷ କରିବା ଆମେ ସମସ୍ତେ ଦେଖିଛେ । ବଜାରରେ ଫୁଲର ଚାହିଦା ବେଶ ଅଧିକ ରହିଥିବା ବେଳେ ଫୁଲ ଚାଷ ଖୁବ୍ କମ୍ ସ୍ଥାନରେ ଦେଖିବାକୁ ମିଳେ । ଫଳରେ ବାହାର ରାଜ୍ୟରୁ ଫୁଲ ଆଣି ବ୍ୟବସାୟ କରୁଛନ୍ତି ବ୍ୟବସାୟୀ । ଏହି ମହିଳା ମାନଙ୍କର ଫୁଲ ଚାଷରେ ସଫଳତା ଅନ୍ୟ ଚାଷୀଙ୍କ ପାଇଁ ପ୍ରେରଣା ପାଲଟିଛି ।