ଚିଲିକା ମାଟିରେ ବିଦେଶୀ କୋଳି । ପାରମ୍ପରିକ ଚାଷ ଅପେକ୍ଷା ଏହି ଚାଷରୁ ମିଳୁଛି ଭଲ ଲାଭ, ଥରେ ଗଛ ଲଗାଇଲେ ୫ ବର୍ଷ ଯାଏଁ ହୋଇଥାଏ ଅମଳ

364

କନକ ବ୍ୟୁରୋ : ଚିଲିକା ମାଟିରେ ବିଦେଶୀ ଫଳ । ୟୁଟ୍ୟୁବରୁ କୋଳି ଚାଷ ପ୍ରଣାଳୀ ଜାଣିବା ପରେ ଏଥିରେ ସଫଳ ହୋଇଛନ୍ତି କୃଷ୍ଣପ୍ରସାଦ ଅଂଚଳର ଯୁବଚାଷୀ ଅଳେଶ୍ୱର ପଲେଇ । ଅନଲାଇନ୍ରେ କଲିକତାରୁ ଚାରା କିଣି ଏକ ଏକର ଜମିରେ ଚାଷ କରିଛନ୍ତି ଅଳେଶ୍ୱର । ଗଛ ଲାଗିବାର ୮ ମାସ ପରେ ଗଛରେ ଫଳ ଆସିଛି । ଆଉ ଏବେ ଦୈନିକ ୪୦ ରୁ ୫୦ କିଲୋ ଫଳ ଅମଳ ହେଉଛି । ସ୍ଥାନୀୟ ବଜାର ସହ ଗଂଜାମ, ପୁରୀ, ଭୁବନେଶ୍ୱର ଭଳି ବଜାରରେ ବିକ୍ରି କରି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି । ଏଥିରେ ଅଳେଶ୍ୱରଙ୍କୁ ତାଙ୍କ ପରିବାରର ସମସ୍ତ ସଦସ୍ୟ ସହଯୋଗ କରୁଛନ୍ତି ।

ଏହି ଚାଷରେ ତାଙ୍କୁ ୨ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଛି । ବର୍ଷକୁ ଲକ୍ଷାଧିକ ଟଙ୍କାର ରୋଜଗାର ହେବାର ଲକ୍ଷ୍ୟ ରଖିଛନ୍ତି ଅଳେଶ୍ୱର । ସକାଳ ହେବା ମାତ୍ରେ ତାଙ୍କ ବଗିଚାରେ ବ୍ୟବସାୟୀଙ୍କ ଭିଡ଼ ଜମୁଛି । ତାଙ୍କ ଠାରୁ କୋଳି କିଣି ନେଇ ବ୍ୟବସାୟୀ ମାନେ ସ୍ଥାନୀୟ ବଜାରରେ ବିକ୍ରି କରୁଛନ୍ତି ।

ବଜାରରେ ଥାଇଲାଣ୍ଡ କୋଳିର ଚାହିଦା ରହିଥିବା ବେଳେ ଏହାକୁ ବିକ୍ରି କରି ଲାଭବାନ ହେଉଛନ୍ତି ଅଳେଶ୍ୱର । ପାରମ୍ପରିକ ଚାଷ କରିବା ଅପେକ୍ଷା ନୂଆ ନୂଆ ଚାଷ କରିବାକୁ ସେ ଅନ୍ୟ ଚାଷୀମାନଙ୍କୁ ଆହ୍ୱାନ ଦେଇଛନ୍ତି ।