‘କେନ୍ଦ୍ରମନ୍ତ୍ରୀ ୧୦ ବର୍ଷରେ ଗୋଟିଏ ରାସ୍ତା କରିପାରିଲେନି, ଲୋକଙ୍କୁ ବଡବଡ କଥା କହୁଛନ୍ତି’: ସମ୍ବଲପୁରରେ ଧମେନ୍ଦ୍ରଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ୍

117

କନକ ବ୍ୟୁରୋ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗଡକୁ ଯାଇ ତାଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍ । ବିଭିନ୍ନ ପ୍ରୋଜେକ୍ଟକୁ ନେଇ ଧର୍ମେନ୍ଦ୍ରଙ୍କୁ ପଚାରିଛନ୍ତି ଗୋଟେ ପରେ ଗୋଟେ ପ୍ରଶ୍ନ । କହିଛନ୍ତି, କେନ୍ଦ୍ରମନ୍ତ୍ରୀ ସମ୍ବଲପୁର ଲୋକଙ୍କୁ ବଡ ବଡ କଥା କହୁଛନ୍ତି, ହେଲେ ସେ ଏ ମାଟି ପାଇଁ କରିଛନ୍ତି କ’ଣ । ୧୦ ବର୍ଷ କେନ୍ଦ୍ରରେ ମନ୍ତ୍ରୀ ରହିଲେ ହେଲେ ୧୦ ବର୍ଷ ଭିତରେ ସମ୍ବଲପୁରରୁ କଟକ ଗୋଟେ ରାସ୍ତା କରିପାରିଲେନି । ଏବେ ନିର୍ବାଚନ ପୂର୍ବରୁ ଲୋକଙ୍କୁ ବଡ ବଡ କଥାର କହୁଛନ୍ତି । କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାକୟକଙ୍କ ନିର୍ଦ୍ଦେଶରେ ମାତ୍ର ୩ ବର୍ଷ ଭିତରେ ବରଗଡରୁ କଳାହାଣ୍ଡି ଗ୍ରୀନ ଫିଲ୍ଡ ପ୍ରୋଜେକ୍ଟରେ ବିଜୁ ଏକ୍ସପ୍ରେସ୍ ୱେ କରିଦେଲେ । ହେଲେ ୧୦ ବର୍ଷ ଭିତରେ କେନ୍ଦ୍ରମନ୍ତ୍ରୀ କିନ୍ତୁ ଗୋଟିଏ ବି ରାସ୍ତା କରିପାରିଲେନି’ ବୋଲି କଟାକ୍ଷ କରିଛନ୍ତି ପାଣ୍ଡିଆନ୍ ।

ଏହାପରେ ମହାନଦୀ କୋଲ ଫିଲ୍ଡ ପ୍ରସଙ୍ଗ ଉଠାଇଥିଲେ ପାଣ୍ଡିଆନ୍ । କହିଲେ, ଏମସିଏଲରୁ ପ୍ରତିବର୍ଷ କେନ୍ଦ୍ର ୨୭୦୦୦ କୋଟି ଟଙ୍କା ପାଉଛି ହେଲେ ରାଜ୍ୟକୁ ମିଳୁଛି ମାତ୍ର ୪ହଜାର କୋଟି ଟଙ୍କା । ଏଥିରେ କେନ୍ଦ୍ର ମନ୍ତ୍ରୀ ରାଜ୍ୟର ବିକାଶ କଥା କହୁଛନ୍ତି ।କେବଳ ଏତିକି ନୁହେଁ ପୂର୍ବରୁ , କେନ୍ଦ୍ର ମନ୍ତ୍ରୀ କହିଥିଲେ ଜିତିଲେ , ରାଜ୍ୟର ଚାଷୀଙ୍କୁ ଧାନ କ୍ୱିଣ୍ଟାଲ ପିଛା ୨ ଗୁଣା ଦର ବଢାଇବେ । ହେଲେ କଥା ଦେଇ କଥା ଭୁଲିଗଲେ । ଏବେ ନିର୍ବାଚନ ପୂର୍ବରୁ ପୁଣି ଚାଷୀଙ୍କ କଥା ମନେ ପଡୁଛି ବୋଲି ପରୋକ୍ଷରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ତାତ୍ସଲ୍ୟ କରିଛନ୍ତି ପାଣ୍ଡିଆନ୍ ।