ବିଜେପି ଗଡ଼ରେ ନବୀନଙ୍କ ମାରାଥନ ପ୍ରଚାର । ପ୍ରଣବ ପ୍ରକାଶ ଦାସଙ୍କ ପାଇଁ ଭୋଟ ମାଗିଲେ ମୁଖ୍ୟମନ୍ତ୍ରୀ

1,688

କନକ ବ୍ୟୁରୋ: ପ୍ରଣବ ପ୍ରକାଶ ଦାସ ସମ୍ବଲପୁରରୁ ପ୍ରାର୍ଥୀପତ୍ର ଦାଖଲ କରୁଥିବାବେଳେ ମୁଖ୍ୟମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ବିଜୟ ନିଶ୍ଚୟ ହେବ ବୋଲି ଭିଡିଓ ଜାରି କରିଥିଲେ । ଆଉ ସେହି ବିଜୟ ସୁନିଶ୍ଚିତ କରିବାକୁ ନବୀନ ଆଜି ସମ୍ବଲପୁର ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ସମ୍ବଲପୁର ଲୋକସଭା କ୍ଷେତ୍ରର ବିଭିନ୍ନ ସ୍ଥାନରେ ମାରାଥନ ପ୍ରଚାର କରି ବିରୋଧୀଙ୍କୁ ଟାର୍ଗେଟ କରିବା ସହ ଜୁଲାଇରୁ ମାଗଣା ବିଲ୍ ଆସିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

  • ବିଜେପି ଗଡ଼ରେ ନବୀନଙ୍କ ପ୍ରଚାର
  • ପ୍ରଣବଙ୍କ ପାଇଁ ଭୋଟ ମାଗିଲେ ମୁଖ୍ୟମନ୍ତ୍ରୀ
  • ବିଜେଡି ଫୋକସରେ ପଶ୍ଚିମ ଓଡିଶା

ନବୀନ କହିଛନ୍ତି, ଜୁଲାଇରୁ ବିଜୁଳି ବିଲ୍ ଆସିବ ନାହିଁ, ବିଜୁ ଜନତା ଦଳ ସରକାର ମାଗଣାରେ ବିଜୁଳି ଦେବ । ବିରୋଧୀ ଦଳ ମିଛ କଥା କହୁଛନ୍ତି, କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଲୋକଙ୍କ ମତାମତ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଜବାବରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, କୁମ୍ଭୀରକାନ୍ଦଣା କିଏ କାନ୍ଦୁଛି, ଲୋକେ ତାର ଜବାବ ଦେବେ ।

  • ବିଜେପିକୁ ପାଣ୍ଡିଆନଙ୍କ ପ୍ରଶ୍ନବାଣ
  • ଧର୍ମେନ୍ଦ୍ରଙ୍କୁ ସିଧା ସମାଲୋଚନା

ଦେବଗଡ, ଛେଣ୍ଡିପଦା ସଭାରେ ବିଜେପି ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରି ପ୍ରଶ୍ନର ବର୍ଷା କରିଛନ୍ତି ବିଜେଡି ନେତା ଭି.କେ. ପାଣ୍ଡିଆନ । ପାଣ୍ଡିଆନ କହିଛନ୍ତି, ଏଲପିଜି ସିଲିଣ୍ଡର ଦରବୃଦ୍ଧିରେ ମା’ମାନଙ୍କ ଆଖିରେ ଲୁହ ଆସିଯାଇଛି । ଏଲପିଜି, ପେଟ୍ରୋଲ ଦର କମିଲା କି ? ବୋଲି ମଞ୍ଚରୁ ପ୍ରଶ୍ନ କରିଛନ୍ତି । ଧର୍ମେନ୍ଦ୍ରଙ୍କ ପ୍ରତିଥର ଦସ୍ତଖତ ମା’ମାନଙ୍କୁ କନ୍ଦାଇଛି ବୋଲି କହିଛନ୍ତି ପାଣ୍ଡିଆନ । ଜୁନ ୯ ତାରିଖରେ ନବୀନ ପୁଣି ମୁଖ୍ୟମନ୍ତ୍ରୀ ହେବେ ବୋଲି ଦମ୍ଭୋକ୍ତି ପ୍ରକାଶ କରି ପାଣ୍ଡିଆନ କହିଛନ୍ତି. ନବୀନ ପଟ୍ଟନାୟକ ଦାୟିତ୍ୱ ନେବା ପରେ ପ୍ରଥମେ ୩ଟି ଦସ୍ତଖତ କରିବେ ।
ସମ୍ବଲପୁର ଲୋକସଭା କ୍ଷେତ୍ର ସହ ରାଉରକେଲାରେ ବି ଆଜି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ବିଜେଡି ସୁପ୍ରିମୋ । ରାଉରକେଲାରେ ପାଣ୍ଡିଆନ କହିଛନ୍ତି, ସରକାରୀ କର୍ମଚାରୀ ବି ବିଏସକେୱାଇ କାର୍ଡର ସୁବିଧା ପାଇବେ ।