ଭଟଲିରୁ ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ରଙ୍କ ଟାର୍ଗେଟ: କହିଲେ, ବରଗଡକୁ ରାଜ୍ୟ ସରକାର ଯେତିକି ଠକିଛନ୍ତି ଆଉ କାହାକୁ ଏତେ ଠକିନାହାନ୍ତି

226

କନକ ବ୍ୟୁରୋ: ବିଜେପିର ବିଜୟ ସଂକଳ୍ପ ସମାବେଶରେ ସାମିଲହେଲେ ଧର୍ମେନ୍ଦ୍ର ପ୍ରଧାନ । ବରଗଡ ଭଟଲିରେ ପ୍ରଚାର କଲେ ଧର୍ମେନ୍ଦ୍ର ପ୍ରଧାନ । ବରଗଡ ଲୋକସଭା ପ୍ରାର୍ଥୀଙ୍କ ପାଇଁ ମାଗିଲେ ଭୋଟ । କହିଲେ, ଆଜି ଦେଶରେ ମହିଳା, ଯୁବକ, କୃଷକ ଆଗରେ ରହିଛନ୍ତି । ନରେନ୍ଦ୍ର ମୋଦୀ ନିଜେ ଦାରିଦ୍ର୍ୟତାରୁ ଉପରକୁ ଉଠିକି ଆସଲିଥିଲେ । ତାଙ୍କ ମା’ ପର ଘରେ ବାସନ ମାଜୁଥିଲେ, ଆଉ ତାଙ୍କ ବାପା ଚା ଠେଲା କରି ପରିବାର ପୋଷଣ କରୁଥିଲେ । ତେଣୁ ଜଣେ ଗରିବର ମନ କଥାକୁ ପ୍ରଧାନମନ୍ତ୍ରୀ ହିଁ ବୁଝିପାରନ୍ତି ।

ସେହିପରି ଏହି ସମାବେଶର ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ ଧର୍ମେନ୍ଦ୍ର ପ୍ରଧାନ । କହିଥିଲେ, ମୁଁ ଆପଣମାନଙ୍କ ପାଖରେ ଉତ୍ତରଦାୟୀ, ଏ ଭଡାଟିଆ ଆଉ ବାହାର ଲୋକଙ୍କୁ ଉତ୍ତର ଦେବାର ନାହିଁ । ନରେନ୍ଦ୍ର ମୋଦୀ ୧୮ କୋଟି ଟଙ୍କା ଦେଲା ପରେ ଓଡିଶାରେ ହେଲା କଣ? ପିଇବା ପାଇଁ ପାଣି ନାହିଁ, ଜଳସେଚନ ପାଇଁ ବି ପାଣି ନାହିଁ । ଏମାନଙ୍କ ପାଖରେ ହକି ଖେଳାଇବାକୁ ଟଙ୍କା ଅଛି, ହେଲେ ଗାଁ ସ୍କୁଲରେ ପାଠ ପଢାଇବାକୁ ଶିକ୍ଷକ ନାହିଁ । ଦେହ ଖରାପ ହେଲେ ଗାଁରେ ହସ୍ପିଟାଲ ନାହିଁ କି ଡାକ୍ତର ନାହାନ୍ତି । ଆଉ ଏମାନେ କହୁଛନ୍ତି ଷଷ୍ଠଥର ପାଇଁ ମୁଖ୍ୟମନ୍ତ୍ରୀ ହେବେ । କଣ ପାଇଁ ମୁଖ୍ୟମନ୍ତ୍ରୀ ହେବ ତମ ପକେଟ ଗରମ କରିବାକୁ? ଆଉ ଆମ ଲୋକମାନେ ତାମିଲନାଡୁ ଯିବେ ଦାଦନ ଖଟିବାକୁ । ଆଉ ତାମିଲନାଡୁରୁ ଲୋକ ଆସି ଆମର ମାଲିକ ହେବେ ।

ଧର୍ମେନ୍ଦ୍ର ପ୍ରଧାନ ଆହୁରି କହିଥିଲେ, ଆପଣ ବରଗଡ ଜିଲ୍ଲାକୁ ଯେତିକି ଠକିଛନ୍ତି ଓଡିଶାର କୌଣସି ଜିଲ୍ଲାକୁ ଏତେ ଠକିନଥିବେ । ୨୦୧୫ ମସିହାରେ ବିଧାନସଭାରେ ଆପଣ କହିଥିଲେ, ଧାନ କ୍ୱିଣ୍ଟାଲରେ ଆମେ ୧୦୦ ଟଙ୍କା ବୋନସ ଦେବୁ, ହେଲେ ଦେଇପାରିଲେନି । ମୁଁ ଆଜି କହିକି ଯାଉଛି ଆପଣ ଆମ ପ୍ରାର୍ଥୀଙ୍କୁ ଆଶୀର୍ବାଦ କରନ୍ତୁ । ଆମ ସରକାର ହେବ । ଧାନ କ୍ୱିଣ୍ଟାଲ ଜୁନ ମାସ ୧୭ରୁ ଧାନ କ୍ୱିଣ୍ଟାଲ ପିଛା ୩୧ ଶହ ଟଙ୍କା ମିଳିବ । ଯିଏ ଧାନ କ୍ୱିଣ୍ଟିଲାରେ ୧୦୦ ଟଙ୍କା ବଢାଇପାରିଲେନି । ୨୫ ବର୍ଷ ଶାସନରେ ରହିଲା ପରେ ଏମାନେ କହୁଛନ୍ତି ଆମେ ବିକାଶ କରିବୁ ।

ମୁଖ୍ୟମନ୍ତ୍ରୀ ଗତଥର ବିଜେପୁରରୁ ନିର୍ବାଚନ ଲଢିଥିଲେ ବିଜେପୁରଟାକୁ କଣ ଦିଲ୍ଲୀ କରିଦେଲେ । ଯେମିତି ଥିଲା ବିଜେପୁର ସେମିତି ଅଛି, ଆପଣଙ୍କୁ ସେ ଧୋକା ଦେଲେ । ପଦମପୁର ଉପନିର୍ବାଚନ ବେଳେ ଆପଣ ଯାହା ଯାହା କହିଥିଲେ ଗୋଟେ ବି କରିନାହାନ୍ତି । ଆପଣ ବରଗଡକୁ ଲୁଟ କରିବାକୁ ଅଛନ୍ତି । ଏଠାରେ ବାଲି, ମାଟି ଅଧିକ ଚାଲାଣ ହେଉଛି । ଏ କି ପ୍ରକାର ସରକାର ଯିଏ ମା’, ମାଟିକୁ ବିକ୍ରି କରି ପକେଟ ଗରମ କରୁଛି । ତାଙ୍କୁ ଆମେ ରହିବାକୁ ଦେବା କି, ଏବେ ଜବାବ ଦେବାର ସମୟ ଆସିଛି ।

ଆଜି ବି ଓଡିଶାରେ ଗାଁକୁ ୨୪ ଘଣ୍ଟା ବିଜୁଳି ଆସୁନି, ଟାଟା ପାୱାର ଲୋକଙ୍କୁ ହଇରାଣ କରୁଛି । ଆଉ ଏମାନେ କହୁଛନ୍ତି ମାଗଣାରେ ବିଜୁଳି ଦେବେ । ୨୫ ବର୍ଷ ହେଲାଣି କାଇଁ କରିପାରୁନଥିଲେ । କାରଣ ନରେନ୍ଦ୍ର ମୋଦୀ କହିଲେ ମୁଁ ଘର ପିଛା ୭୫ ହଜାର ଟଙ୍କା ଦେବି । ଛାତ ଉପରେ ସୋଲାର ପ୍ୟାନେଲ ଲାଗିବ । ଏମାନେ ନରେନ୍ଦ୍ର ମୋଦୀଙ୍କ ଯୋଜନାକୁ ଦେଖି ଇର୍ଶାରେ ଯୋଜନା ଆଣୁଛନ୍ତି । ଆମ ସରକାର ହେଲେ ଆମେ ଭତ୍ତା ୩ ହଜାର ଟଙ୍କା କରିବୁ । କେନ୍ଦୁପତ୍ରକୁ ଆପଣ ୧ ଟଙ୍କାରେ ବିକ୍ରି କରୁଛନ୍ତି ଆମ ସରକାର ହେଲେ ଏହାକୁ ୨ ଟଙ୍କା କରିଦେବୁ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, କହୁଛନ୍ତି ବିଜେପି ସରକାର ଆସିଲେ ମିଶନଶକ୍ତିକୁ ବନ୍ଦ କରିଦେବି । କଣ ପାଇଁ ବନ୍ଦ ହେବ? ଆପଣମାନେ ଏସଏଚଜିରୁ ଯେଉଁ ଲୋନ ପାଉଛନ୍ତି ତାକୁ ବ୍ୟାଙ୍କ ଦେଉଛି, ଆଉ ଏହି ଲୋନ ବ୍ୟବସ୍ଥା ମୋଦୀ ସରକାରର । ମୋଦୀ ଗ୍ୟାରେଣ୍ଟିଦେଲେ ଓଡିଶାର ୨ କୋଟି ମହିଳାଙ୍କୁ ସୁଭଦ୍ରା ଯୋଜନାରେ ୫୦ ହଜାର ଟଙ୍କା ବ୍ୟାଙ୍କ ଖାତାକୁ ପଠାଯିବ । ସିଝିବାକୁ ପଡିବ ନାହିଁ । ଝିଅକୁ କମ୍ପ୍ୟୁଟର ଦେବାର ଅଛି, ପୁଅକୁ ପଢାଇବାର ଅଛି, ଛୋଟ ବ୍ୟବସାୟ କରିବାର ଅଛି ମହିଳାମାନେ ନିଜେ କରିପାରିବେ ।