ଆଜିଠୁ କାଶ୍ମୀରରେ ବାଜିବ ଫୋନର ଘଣ୍ଟି । ଜାମ୍ମୁରେ ବି ସ୍ୱାଭାବିକ ହେଲା ଇଣ୍ଟରନେଟ୍ ସେବା

୫ ଅଗଷ୍ଟରୁ ବନ୍ଦ ଥିଲା ଟେଲିଫୋନ ଓ ଇଂଟରନେଟ ସେବା

430

କନକ ବ୍ୟୁରୋ: ଜମ୍ମୁ ଓ କଶ୍ମୀରରେ କାର୍ଯ୍ୟକ୍ଷମ ହୋଇଛି ଟେଲିଫୋନ ସେବା । ତେବେ ଏହାକୁ ସଂପୂର୍ଣ୍ଣ ଭାବରେ ନହୋଇ ଆଂଶିକ ଭାବରେ କାର୍ଯ୍ୟକ୍ଷମ କରାଯାଇଛି । ସୁରକ୍ଷା ଦୃଷ୍ଟିକୋଣକୁ ବିଚାରକୁ ନେଇ ପର୍ଯ୍ୟାୟକ୍ରମେ ଅନ୍ୟାନ୍ୟ କଟକଣା ଓ ଅନ୍ୟ ପ୍ରକାରର ଯୋଗାଯୋଗ ମାଧ୍ୟମଗୁଡ଼ିକୁ କାର୍ଯ୍ୟକ୍ଷମ କରାଯିବ ବୋଲି କହିଛନ୍ତି ଜମ୍ମୁ ଓ କଶ୍ମୀରର ମୁଖ୍ୟ ସଚିବ ବିଭିଆର ସୁବ୍ରମଣ୍ୟମ । ତେବେ ଗତକାଲିଠାରୁ ସରକାରୀ ଅଫିସଗୁଡ଼ିକ ଖୋଲିଯାଇଛି ।

 

ଆସନ୍ତା ସପ୍ତାହ ଆରମ୍ଭରେ ସ୍କୁଲ କଲେଜଗୁଡ଼ିକ ଖୋଲିଯିବ । ଖୁବଶୀଘ୍ର ସାଧାରଣ ପରିବହନ ବ୍ୟବସ୍ଥାଗୁଡ଼ିକ ଖୋଲିଯିବ । ଜମ୍ମୁ ଓ କଶ୍ମୀରର ମୁଖ୍ୟ ସଚିବ କହିଛନ୍ତି ଯେ ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ଏସବୁ କଟକଣା ଜରୁରୀ ଥିଲା । ରାଜ୍ୟରେ ଧାରା ୩୭୦ ଉଠିବା ପରେ କୌଣସି ଜଣେ ବ୍ୟକ୍ତି ପୁଲିସ ଗୁଳିରେ ନିହତ ହୋଇନାହାନ୍ତି । ଭାରତ ସରକାର ଗତ ଅଗଷ୍ଟ ୫ ତାରିଖରେ ଜମ୍ମୁ ଓ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ଓ ରାଜ୍ୟକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିବା ଲାଗି ନିଷ୍ପତ୍ତି ନେଇଥିଲେ ।

ସେପଟେ, ଜମ୍ମୁ-କଶ୍ମୀରରେ ମୁତୟନ ଥିବା ସ୍ଥଳ ସେନା, ବାୟୁ ସେନା ଏବଂ ଅନ୍ୟ ଅର୍ଦ୍ଧ ସାମରିକ ବାହିନୀକୁ ହାଇ ଆଲର୍ଟରେ ରହିବା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଜମ୍ମୁ-କଶ୍ମୀରରେ ଥିବା ସାମରିକ ଘାଟିଗୁଡ଼ିକୁ ହାଇ ଆଲର୍ଟରେ ରଖାଯାଇଛି । ଗୁଇନ୍ଦା ସଂସ୍ଥା ଗୁଡ଼ିକ ପକ୍ଷରୁ ସୂଚନା ମିଳିଛି କି, ଯେ କୌଣସି ମୂହୁର୍ତ୍ତରେ ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନଗୁଡ଼ିକ ସୁଯୋଗ ପାଇଲେ ଜମ୍ମୁ-କଶ୍ମୀର ଉପତ୍ୟାକାରେ ଅସ୍ଥିରତା ସୃଷ୍ଟି କରି ପାରନ୍ତି ବୋଲି ସୁତ୍ରରୁ ଜଣା ପଡ଼ିଛି ।

ଧାରା ୩୭୦ଧାରା ଉଚ୍ଛେଦ ଏବଂ ଜମ୍ମୁ-କଶ୍ମୀରର ପୂର୍ନଗଠନ ହେବା ପରେ ପାକିସ୍ତାନ ଭାରତ ବିରୋଧରେ କୂଟନୈତିକ ଯୁଦ୍ଧ ଘୋଷଣା କରିବା ସହ ଏହି ନିଷ୍ପତ୍ତି ବିରୋଧରେ ଅନ୍ତର୍ଜାତିକ ସମର୍ଥନ ଯୋଗାଡ଼ରେ ଲାଗି ପଡ଼ିଛି । ଆଜି କଶ୍ମୀର ପ୍ରସଙ୍ଗ ଆଲୋଚନା ଲାଗି ଜାତିସଂଘ ସୁରକ୍ଷା ପରିଷଦରେ ବୈଠକ ଅନୁଷ୍ଠିତ ହୋଇଛି । ଅନ୍ୟପକ୍ଷରେ, ଜୈସ୍-ଇ-ମହମ୍ମଦ ଭଳି ଆତଙ୍କୀ ସଂଗଠନ କଶ୍ମୀରରେ ଅସ୍ଥିରତା ଲାଗି ଉଦ୍ୟମ ଜାରି ରଖିଛନ୍ତି ।ଏହାକୁ ଆଖିରେ ରଖି ସୁରକ୍ଷାକର୍ମୀଙ୍କୁ ହାଇ ଆଲର୍ଟରେ ରଖାଯାଇଛି ।