ଟଳିଲା ବନ୍ୟା ବିପତ୍ତି। ବିପଦ ସଙ୍କେତ ତଳେ ରାଜ୍ୟର ସମସ୍ତ ନଦୀର ବନ୍ୟାଜଳ

ବାଙ୍କୀରେ ସ୍ଥିତି ହେଉଛି ସ୍ୱାଭାବିକ-ଉଜୁଡି ଗଲା ଶହ ଶହ ଏକର ଫସଲ

444

କନକ ବ୍ୟୁରୋ: ମହାନଦୀର ଉପର ମୁଣ୍ଡରେ ବର୍ଷା କମିଥିବାରୁ ଏବେ ରାଜ୍ୟରେ ବଡ ବନ୍ୟା ଭୟ ଟଳିଯାଇଛି । ପ୍ରାୟ ସମସ୍ତ ନଦୀରେ ବନ୍ୟାଜଳ ବିପଦସଙ୍କେତ ତଳେ ପ୍ରବାହିତ ହେଉଛି । ପରିସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଛି ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ପଶ୍ଚିମ ଓଡିଶାରେ ଏବଂ ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀ ସମେତ ରାଜ୍ୟର ଅଧିକାଂଶ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା । କିନ୍ତୁ ଏବେ ନଦୀର ଜଳସ୍ତର କମିଛି । ସେହିପରି ଆସନ୍ତା ସାତ ଦିନ ଭିତରେ ବଡ ବର୍ଷାର ସମ୍ଭାବନା ନାହିଁ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

ଉତ୍ତର ଓଡିଶା ଓ ଝାଡଖଣ୍ଡ ମଧ୍ୟରେ ସୃଷ୍ଟି ହୋଇଥିବା ଟ୍ରଫ ଲାଇନ୍ ଦୁର୍ବଳ ହୋଇଯାଇଥିବାରୁ ଏହାର ପ୍ରଭାବରେ ଉତ୍ତର, ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ଯେଉଁ ବଡ ବର୍ଷା ହେବ ବୋଲି ଅନୁମାନ କରାଯାଉଥିଲା ତାହା ଏବେ ଟଳିଯାଇଛି । ଉତର, ପଶ୍ଚିମ ଓ ଦକ୍ଷିଣ ଓଡିଶାରେ କିଛି ସ୍ଥାନରେ ବର୍ଷା ହେଲେ ମଧ୍ୟ ତାହା ଏତେ ବିପଦଜନକ ହେବନି ବୋଲି କୁହାଯାଇଛି । ଅନ୍ୟପଟେ ବନ୍ୟା ବିପତି ଟଳିଯାଇଥିଲେ ମଧ୍ୟ ବିଭିନ୍ନ ଅଂଚଳରେ ଉଜୁଡି ଯାଇଛି ଶହ ଶହ ଏକର ଫସଲ । ଏହାକୁ ନେଇ ଚାଷୀ ନିରାଶ ହୋଇଛନ୍ତି ।