କୋଭିଡ ସଂକ୍ରମଣକୁ ନେଇ ବଢୁଛି ଚିନ୍ତା । ହେଲେ ଆଇଏନଏସଏସିଓଜି କହିଲା ଆବଶ୍ୟକ ନାହିଁ ଅଧିକ ଡୋଜର ଭ୍ୟାକସିନ । ବୟସ୍କଙ୍କୁ ମାସ୍କ ପିନ୍ଧିବାକୁ ପରାମର୍ଶ ।

108

କନକ ବ୍ୟୁରୋ: କୋଭିଡ ସଂକ୍ରମଣକୁ ନେଇ ଚିନ୍ତା ବଢୁଥିବା ବେଳେ ଏକ ଆଶ୍ୱସ୍ତିକର ଖବର ଆସିଛି । ଆଇଏନଏସଏସିଓଜି କହିଛି କୋଭିଡର ନୂଆ ଭାରିଆଣ୍ଟ ପାଇଁ ଅ୍ରାଉ ଅତିରିକ୍ତ ଭ୍ୟାକ୍ସିନର ଆବଶ୍ୟକତା ନାହିଁ । କିନ୍ତୁ ୬୦ ବର୍ଷରୁ ଅଧିକ ଲୋକଙ୍କୁ ପାଇଁ ପ୍ରତିଷେଧାତ୍ମକ ଡୋଜର ଆବଶ୍ୟକତା ରହିଛି । ବିଶେଷକରି କ୍ୟାନସର ରୋଗୀ ଏବଂ ଅନ୍ୟ ରୋଗ ଥିବା ବୟସ୍କଙ୍କୁ ଅତିରିକ୍ତ ଡୋଜ ଦେବାକୁ ପରାମର୍ଶ ରହିଛି । ନଚେତ ଅନ୍ୟ ବ୍ୟକ୍ତିଙ୍କ ପାଇଁ ଅତିରିକ୍ତ ଡୋଜର କୌଣସି ଆବଶ୍ୟକତା ନଥିବା କହିଛନ୍ତି ଆଇଏନଏସଏସିଓଜି ମୁଖ୍ୟ ଡକ୍ଟର ଏନକେ ଆରୋରା ।

ସେପଟେ ଓଡ଼ିଶାରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ଯଦିଓ କରୋନାର ନୂଆ ଭାରିଆଂଟ ଔଘ.୧ ଭୂତାଣୁ ଏତେଟା ମାରାତ୍ମକ ନୁହେଁ, ତଥାପି ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ବୟସ୍କମାନେ ବାହାରିଲେ ବାହାରିଲେ ମାସ୍କ ପିନ୍ଧିବାକୁ କୁହାଯାଇଛି । ଏକାଧିକ ରୋଗରେ ଆକ୍ରାନ୍ତଙ୍କ ପାଇଁ ମାସ୍କ ଜରୁରୀ । ଭିଡ଼ ସ୍ଥାନରୁ ଦୂରେଇ ରହିବାକୁ ସରକାରଙ୍କ ପରାମର୍ଶ ଦେଇଛନ୍ତି । କିନ୍ତୁ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା କ୍ରମାଗତ ବଢିବାରେ ଲାଗିଛି ।

ଗତ ୨୪ ଘଣ୍ଟାରେ ଦେଶରେ ୭୫୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୨୦ରେ ପହଂଚିଛି । ଆଗକୁ ବଡଦିନ, ନୂଅବର୍ଷ ଭଳି ଉତ୍ସବ ଥିବାରୁ ଲୋକଙ୍କ ଭିଡ ଜମିଲେ ସଂକ୍ରମଣ ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି । ଏବେ ମାସ୍କ ପରିଧାନ କରିବାକୁ ପରାମର୍ଶ ଦିଆଯାଉଥିବାବେଳେ ସତର୍କ ନହେଲେ ଆଗକୁ କଡା ଗାଇଡଲାଇନ ଆସିବା ସମ୍ଭାବନା ରହିଛି ।