ଆଜି ଭାରତ-ଜିମ୍ବାୱେ ଶେଷ ଦିନିକିଆ : ୨-୦ରେ ଆଗୁଆ ଥିବାରୁ ସିରିଜ୍ କ୍ଲନ୍ ସ୍ୱିପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ

99

କନକ ବ୍ୟୁରୋ : ଆଜି ଭାରତ-ଜିମ୍ବାୱେ ଶେଷ ଦିନିକିଆ । ୨-୦ରେ ଆଗୁଆ ଥିବାରୁ ସିରିଜ୍ କ୍ଲନ୍ ସ୍ୱିପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ ରହିଛି । ସେପଟେ ସମ୍ମାନ ରକ୍ଷା ପାଇଁ ମ୍ୟାଚ୍ ଜିତିବାକୁ ଚେଷ୍ଟା କରିବ ଘରୋଇ ଦଳ । ହରାରେ ସ୍ପୋର୍ଟସ କ୍ଲବ୍ ପଡ଼ିଆରେ ମଧ୍ୟ ଭାରତର ଅପରାଜେୟ ଧାରା ଜାରି ରହିବ ।

ପ୍ରଥମ ଦୁଇ ମ୍ୟାଚ୍‌ରେ ରାହୁଲ ବଳିଷ୍ଠ ନେତୃତ୍ବର ପରିଚୟ ଦେଇଥିଲେ ମଧ୍ୟ ବ୍ୟକ୍ତିଗତ ଭାବେ କ୍ରିଜ୍‌ରେ ଅଧିକ ସମୟ କଟାଇ ପାରିନାହାନ୍ତି । ଶିଖର ଧାୱନ ଓ ଶୁବମନ ଗିଲ୍‌ଙ୍କ ଚିତ୍ତାକର୍ଷକ ବ୍ୟାଟିଂ ପାଇଁ ପ୍ରଥମ ଦିନିକିଆରେ ତାଙ୍କୁ ବ୍ୟାଟିଂ ପାଇଁ ଆସିବାକୁ ପଡ଼ିନଥିଲା । ଦୀର୍ଘ ୬ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିଥିବା ରାହୁଲ କିନ୍ତୁ ଦ୍ବିତୀୟ ମ୍ୟାଚ୍‌ରେ ମାତ୍ର ୧ ରନ୍‌ରେ ଅଟକି ଯାଇଥିଲେ । ଫଳରେ ଅଷ୍ଟ୍ରେଲିଆରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ନିଜ ପ୍ରତିଭାକୁ ଆହୁରି ଶାଣିତ କରିବାର ଏକ ଭଲ ସୁଯୋଗ ହାତଛଡ଼ା କରିଥିଲେ । ସେଥିପାଇଁ ଆଜି ବ୍ୟକ୍ତିଗତ ଭାବେ ଏକ ବଡ଼ ପାଳି ଖେଳିବା ଆଶାରେ ନିଶ୍ଚିତ ଭାବେ ରହିବେ ସେ । ଅନ୍ୟପକ୍ଷରେ ପ୍ରଥମ ଦୁଇ ମ୍ୟାଚ୍‌ରେ ଜିମ୍ବାୱେର ବ୍ୟାଟିଂ ଦଳକୁ ସଂପୂର୍ଣ୍ଣ ନିରାଶ କରିଥିଲା ।

ଘରୋଇ ଦଳ ତା’ର ବ୍ୟାଟିଂ ସମସ୍ୟାକୁ ସୁଧାରି ଭାରତକୁ କଡ଼ା ଟକ୍କର ଦେବାକୁ ଆଶା ରଖିଥିବ । ଏଥିଲାଗି କିନ୍ତୁ ଏହାର ଶୀର୍ଷକ୍ରମକୁ ଦାୟିତ୍ବବାନ ବ୍ୟାଟିଂ କରିବାକୁ ହେବ। ଜିମ୍ବାୱେର ଶେଷ ଶତକୀୟ ଭାଗୀଦାରି ଦୀର୍ଘ ୮ ବର୍ଷ ତଳେ ଅର୍ଥାତ୍ ୨୦୧୪ରେ ଆସିଥିଲା । ୨୦୨୦ ମସିହା ଆରମ୍ଭ ପରଠାରୁ ୧୪ ଭିନ୍ନ ଭିନ୍ନ ଓପନିଂ ଯୋଡ଼ି ଚେଷ୍ଟା କରି ଲଗାତାର ବିଫଳ ହୋଇଛି ଏହି ଦଳ । ଏହି ସମୟ ମଧ୍ୟରେ ଜିମ୍ବାୱେର ହାରାହା‌ରି ପ୍ରଥମ ୱିକେଟ୍ ଭାଗିଦାରୀ ମାତ୍ର ୧୫ ରହିଛି । ଯାହା ଦଳ ବଡ଼ ସ୍କୋର କରିନପାରିବାର ପ୍ରମୁଖ କାରଣ । ଏହି ଦୋଷ ଦୁର୍ବଳତା ଦୂର ନକଲେ ଭାରତକୁ ହରାଇବା ଜିମ୍ବାୱେ ପାଇଁ ଆଦୌ ସହଜ ହେବନି ।

ସମ୍ଭାବ୍ୟ ଭାରତ : ଶୁବମନ ଗିଲ୍, ଶିଖର ଧାୱନ/ଋତୁରାଜ ଗାଏକ୍ବାଡ୍, ଈଶାନ କିଶନ, କେଏଲ୍ ରାହୁଲ (ଅଧିନାୟକ), ଦୀପକ ହୁଦା, ସଞ୍ଜୁ ସାମସନ, ଅକ୍ଷର ପଟେଲ/ଶାହବାଜ ଅହମ୍ମଦ, ଶାର୍ଦୁଳ ଠାକୁର/ଦୀପକ ଚହର, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା/ଆୱେଶ ଖାନ୍, କୁଲଦୀପ ଯାଦବ।

ସମ୍ଭାବ୍ୟ ଜିମ୍ବାୱେ : ତାକୁଦ୍ବାନାସେ କାଇତାନୋ, ଇନୋସେଣ୍ଟ କାଇଆ, ରେଜିସ୍ ଚକଭା (ଅଧିନାୟକ), ୱେସଲି ମାଧେଭେରେ/ଟୋନି ମୁନ୍ବେଙ୍ଗା, ସିକନ୍ଦର ରାଜା, ସିନ୍ ୱିଲିୟମ୍ସ, ରିୟାନ ବୁର୍ଲ, ଲୁକ୍ ଜଙ୍ଗୱି, ବ୍ରାଡ୍ ଇଭାନ୍ସ, ଭିକ୍ଟର ନ୍ୟାୟୁଚି, ତନକା ଚିଭାଙ୍ଗା।