ପୁଣିଥରେ କର୍ମୀଙ୍କ ମନରେ ଜୋଶ ଭରିବାକୁ ଆସିବେ ପ୍ରଧାନମନ୍ତ୍ରୀ । ୨୯ରେ ବାଲେଶ୍ୱର ଓ କେନ୍ଦ୍ରାପଡାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ମୋଦୀ ।

887

କନକ ବ୍ୟୁରୋ : ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦଳୀୟ ପ୍ରାର୍ଥୀଙ୍କ ପାଇଁ କରିବେ ପ୍ରଚାର । ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପାଇଁ ପୁଣିଥରେ କର୍ମୀଙ୍କ ମନରେ ଜୋଶ ଭରିବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ।  ଆସନ୍ତା ୨୯ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଆସିବେ । ପ୍ରଥମେ ବାଲେଶ୍ୱର ଓ ପରେ କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ସମାବେଶ କରିବେ । ଚଳିତ ନିର୍ବାଚନରେ ପ୍ରଧାନମନ୍ତ୍ରୀ ମୋଦୀ ବାରମ୍ବାର ଓଡ଼ିଶା ଗସ୍ତରେ ଆସିବା ବିଜେଡି ସରକାର ଓ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ କରି ଆସୁଛନ୍ତି । ଏପରିକି ଓଡ଼ିଶାବାସୀ ଏଥର ପରିବର୍ତ୍ତନ ଚାହୁଁଥିବା ନେଇ ପ୍ରତି ସଭାରେ କହୁଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ୨୯ ତାରିଖରେ ଆସିବାକୁ ଥିବା ବେଳେ ଆସନ୍ତା ୨୫ ତାରିଖରେ ଓଡ଼ିଶା ଆସିବେ ଗୃହମନ୍ତ୍ରୀ ଅମିତ ଶାହା । ତୃତୀୟ ପର୍ଯ୍ୟାୟ ନିର୍ବାଚନ ଦିନ ଶାହା ଓଡ଼ିଶା ଗସ୍ତରେ ଆସି ବାରିପଦା, ଚାନ୍ଦବାଲି, କୋରେଇ, ନିମାପଡାରେ ସମାବେଶ କରିବେ । ଅମିତ ଶାହା ମଧ୍ୟ ଚଳିତ ନିର୍ବାଚନରେ ଘନ ଘନ ଓଡ଼ିଶା ଗସ୍ତରେ ଆସି ପ୍ରଚାର କରିବା ସହ ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରୁଛନ୍ତି । ବିଭିନ୍ନ ପ୍ରସଙ୍ଗରେ ବିଜେଡି ସରକାରକୁ ଘେରିବା ସହ ଓଡ଼ିଶାବାସୀ ବିଜେପି ସରକାରକୁ ସୁଯୋଗ ଦିଅନ୍ତୁ ବୋଲି ଅପିଲ କରୁଛନ୍ତି । ବିଜେପି ସରକାର ହେଲେ ଓଡ଼ିଶାରେ ଓଡ଼ିଆ ମୁଖ୍ୟମନ୍ତ୍ରୀ ହେବେ ବୋଲି ବିଭିନ୍ନ ସଭାରେ କହୁଛନ୍ତି ଶାହା ।