୯୦ ମିନିଟ୍ ପର୍ଯ୍ୟନ୍ତ ବିମାନ ବନ୍ଦରରେ ଅବତରଣ କରିପାରିଲାନି ୧୧ ବିମାନ : ପବନର ଗତି ଅନୁକୂଳ ନହେବାରୁ ଚକ୍କର କାଟିଲେ ପାଇଲଟ୍

266

କନକ ବ୍ୟୁରୋ : କୋଲକାତା ବିମାନ ବନ୍ଦରରେ ଅଭାବନୀୟ ଘଟଣା । ୯୦ ମିନିଟ୍ ପର୍ଯ୍ୟନ୍ତ ବିମାନ ବନ୍ଦରରେ ଅବତରଣ କରିପାରିଲାନି ୧୧ ବିମାନ । ଯାତ୍ରୀମାନେ ଭୀଷଣ ଆତଙ୍କିତ ହୋଇ ପଡ଼ିଥିଲେ ।  ପ୍ରବଳ ପ୍ରତିକୂଳ ବାୟୁ ପ୍ରବାହ ଯୋଗୁଁ ସନ୍ଧ୍ୟା ୫ଟାରୁ ସାଢ଼େ ୬ଟା ପର୍ଯ୍ୟନ୍ତ ବିମାନଗୁଡ଼ିକ ଅବତରଣ କରିନପାରି କେବଳ ଚକ୍କର କାଟିଥିଲା । ୧୧ ଜଣ ପାଇଲଟ୍‌ ବିମାନକୁ ରନ୍‌ୱେରେ ଅବତରଣ କରିବା ପାଇଁ ପ୍ରଚେଷ୍ଟା କରିଥିଲେ କିନ୍ତୁ ପୁଣି ପବନର ଗତି ଅନୁକୂଳ ନହେବାରୁ ଅଧିକ ସମୟ ଚକ୍କର କାଟିବାକୁ ପଡ଼ିଥିଲା ।

ବିମାନ ଅବତରଣ କିମ୍ବା ଉଡ଼ାଣ ଆରମ୍ଭ ସମୟରେ ପାର୍ଶ୍ବରୁ ପ୍ରବାହିତ ବାୟୁକୁ କ୍ରସ୍‌ୱିଣ୍ଡ୍‌ କୁହାଯାଏ । ଏହି ପବନ ବିମାନକୁ ଅବତରଣ ସମୟରେ ରନୱେରୁ ଅଲଗା କରିଦେଇପାରେ ଯେଉଁଥିରେ ବଡ଼ ଦୁର୍ଘଟଣା ଭୟ ଥାଏ । ଶୁକ୍ରବାର ସନ୍ଧ୍ୟାରେ ୧୧ଟି ବିମାନ ୧୬ ଥର ରନୱେରେ ଅବତରଣ କରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ କ୍ରସ୍‌ୱିଣ୍ଡ୍‌କୁ ଦେଖି ସମସ୍ତ ବିମାନ କେବଳ ଚକ୍କର କାଟି ପରିସ୍ଥିତି ସୁଧୁରିବାକୁ ଅପେକ୍ଷା କରିଥିଲେ । ଏଥିରୁ ୯ଟି ବିମାନକୁ ଅନ୍ୟ ବିମାନ ବନ୍ଦରରେ ଅବତରଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ପାଣିପାଗ ବିଭାଗ ପ୍ରତିକୂଳ ବାୟୁ ପ୍ରବାହ ନେଇ ସତର୍କ କରାଇଥିଲେ ମଧ୍ୟ ଅବତରଣ ପୂର୍ବରୁ ଏଭଳି ସ୍ଥିତି ସାମ୍ନା କରିବାକୁ ପଡ଼ିବ ବୋଲି କେହି ଚିନ୍ତା କରିନଥିଲେ । ପ୍ରାୟ ୯୦ ମିନିଟ୍‌ ଧରି ପ୍ରତିକୂଳ ବାୟୁର ପ୍ରଭାବ ରହିବାରୁ ବିମାନଗୁଡ଼ିକ ଅବତରଣ କରିପାରିନଥିଲା ।