ରାଜନଗରରେ ୪ ମାସ ଗଲା ନାହିଁ ୧୪ କୋଟିର ନଦୀବନ୍ଧ। ୧୦ ଦିନ ଭିତରେ ଭୁଷୁଡିଲା ୨ ଥର।

111

କନକ ବ୍ୟୁରୋ: ୪ ମାସରେ ଭୁଷୁଡିଲା ୧୪ କୋଟି ଟଙ୍କାର ନଦୀବନ୍ଧ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକର ଜୀବନରେଖା କେରେଡାଗଡ-ଅଳତାଙ୍ଗ ବନ୍ୟା ପ୍ରତିରୋଧକ ବନ୍ଧ ପ୍ରତି ହଂସୁଆ ନଦୀ ବିପଦ ସୃଷ୍ଟି କରିଛି । ଏହି ନଦୀ ବନ୍ଧ ପ୍ରତି ବିପଦ ସୃଷ୍ଟି ହେଲେ ରାଜନଗର ବ୍ଲକର ସାନବଡଗୋପାଳପୁର, କେରେଡାଗଡ, ବାଲିସାହିପାଟଣା, ରାଜପୁର, ଓସ୍ତିଆ, ବେଲପାଳ, ବନ୍ଧପଡା ପଞ୍ଚାୟତ ନଦୀରେ ମିଶିଯିବ । ଏହି ନଦୀବନ୍ଧ ଓ ଅଞ୍ଚଳକୁ ସୁରକ୍ଷା ଦେବା ପାଇଁ ରାଜନଗର ବିଧାୟକ ରାଜ୍ୟ ସରକାରଙ୍କୁ ଜଣାଇବା ପରେ ନାବାର୍ଡ ସହାୟତାରେ ଆରଆଇଡିଏଫ ଯୋଜନାରେ ୧୭କୋଟିରୁ ଉଦ୍ଧ୍ୱର୍ ଟଙ୍କା ଯୋଗାଇ ଦିଆଯାଇଛି ।

ହଂସୁଆ ଆଁ ମୁହଁରେ ଥିବା ବନ୍ୟା ପ୍ରତିରୋଧକ ବନ୍ଧକୁ ସୁରକ୍ଷା ଦେବା ପାଇଁ ନାବାର୍ଡ ସହାୟତାରେ ଆରଆଇଡିଏଫ ଯୋଜନାରେ ସ୍ପର ଓ ପଥର ପ୍ୟାକିଂ ପାଇଁ ୧୪ କୋଟି ୭୭ ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି । ଓଡିଶା କନଷ୍ଟ୍ରକସନ କମ୍ପାନୀ ଏହି କାମର ଠିକା ନେଇଛି । ୨୮୦ ମିଟର ପଥର ପ୍ୟାକିଂ ଓ ଲଚିଂ ସହିତ ୩ଟି ସ୍ପର ନିର୍ମାଣ ପାଇଁ ଏହି ଅର୍ଥ ଯୋଗାଇ ଦିଆଯାଇଛି । ଏଷ୍ଟିମେଟ ଅନୁସାରେ ପ୍ରାୟ ୨ କ୍ୱିଂଟାଲ ଓଜନର ବଡ ବଡ ପଥର ପକାଇ ଏହି ସ୍ପର ନିର୍ମାଣ ହେବା କଥା । ମାତ୍ର ଅତି ନିମ୍ନମାନର କାମ ଯୋଗୁଁ ନିର୍ମାଣଧିନ ସ୍ପର ଭୁଷୁଡି ପଡିଛି । ୧୦ଦିନ ମଧ୍ୟରେ ୨ ଥର ଧସିଲାଣି । ସ୍ପର ଭୁଷୁଡିବା ପରେ ରାତି ଅଧିଆ ଘୋଟାଲାକୁ ଲୁଚାଇବା ପାଇଁ ତରବରିଆ ଭାବେ ପଥର ପକା କାମ ଚାଲିଛି । ରାଜନଗର ଭାଟପଡା ଠାରେ ନିର୍ମାଣ ହେଉଥିବା ପଥର ପ୍ୟାକିଂ ୪ମାସ ନପୁରୁଣୁ ପଥରଗୁଡିକ ଖସି ହଂସୁଆ ଗର୍ଭକୁ ଚାଲିଯାଉଛି । ଦିନ ଦ୍ୱିପ୍ରହରରେ ଆଖିରେ ଆଙ୍ଗୁଳି ଗେଂଜି କିଭଳି ସରକାରୀ ବାବୁମାନେ ସରକାରୀ ଅର୍ଥକୁ ହରିଲୁଟ କରୁଛନ୍ତି । ଅନ୍ୟପଟେ ଏ ନେଇ ଜଳସମ୍ପଦ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ବାରମ୍ବାର ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କର ପତିକ୍ରିୟା ମିଳିପାରିନାହିଁ ।