ଗୋଟିଏ ଗାଡି ଦୁଇଟି ନମ୍ବର । କେମିତି ବଦଳିଗଲା ବାହୁବଳୀ ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ଗାଡି ନମ୍ବର?

169

କନକ ବ୍ୟୁରୋ : ବାଣପୁର ପଲଟଣ ପଡିଆରେ ଲୋକଙ୍କ ଉପରେ ଚିଲିକା ବିଧାୟକ ଗାଡି ଚଢାଇ ଦେବା ଘଟଣାରେ ଗାଡିକୁ ନେଇ ବଢିଚାଲିଛି ବିବାଦ । ଘଟଣା ବେଳେ ବିଧାୟକ ଲ୍ୟାଣ୍ଡରୋଭର ଗାଡି ଚଳାଉଥିବା ବେଳେ ପୋଲିସର ପ୍ରାରମ୍ଭିକ ତଦନ୍ତ ରିପୋର୍ଟରେ ଭିନ୍ନ ଗାଡିର ନମ୍ବର ଦିଆଯାଇଛି । ତେବେ ପ୍ରଶ୍ନ ଉଠୁଛି ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ଯାଇଥିବା ଗାଡିକୁ ପୋଲିସ ଜଗି ରହିଥିବା ବେଳେ କିଏ ଓ କାହିଁକି ଏହାର ନମ୍ବରକୁ ବଦଳାଇଛି । ମାମଲାକୁ ଦୁର୍ବଳ କରିଦେବା ପାଇଁ ଏପରି ଉଦ୍ୟମ କରାଯାଇନାହିଁ ତ?

  • କାହା ଗାଡି ଚଢୁଥିଲେ ବିଧାୟକ ?
  • କାହିଁକି ବଦଳିଗଲା ନମ୍ବର ?

ବାଣପୁର ପଲଟଣ ପଡିଆରେ ଶୋଭାଯାତ୍ରା ଉପରେ ଗାଡି ଚଢାଇବା ଅଭିଯୋଗରେ ଜେଲ ଯାଇଛନ୍ତି ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ । କିନ୍ତୁ ଘଟଣା ବେଳେ ଜଗଦ୍ଦେବ ବ୍ୟବହାର କରିଥିବା ଗାଡିକୁ ନେଇ ବିବାଦ ଥମୁନି । ବର୍ବର କାଣ୍ଡ ଭିଆଇଥିବା ବେଳେ ବାହୁବଳୀ ବିଧାୟକ ଚଲାଉଥିବା ଦାମି ଜାଗୁଆର ଲ୍ୟାଣ୍ଡରୋଭର ଗାଡିର ନମ୍ବର ଥିଲା, ଓଡି-୨୫-କେ- ୫୭୭୫ । କିନ୍ତୁ ପୁଲିସର ପ୍ରାରମ୍ଭିକ ତଦନ୍ତ ରିପୋର୍ଟରେ ଏହି ଗାଡିର ନମ୍ବର ଓଡି-୦୨-ଏୱାଇ- ୫୭୭୫ ଦର୍ଶାଯାଇଥିଲା । ଯାହା ଶିବାନୀ ଫୁଡ ପ୍ରଡକ୍ଟସ ପ୍ରାଇଭେଟ ଲିମିଟେଡ ନାମକ ଏକ କମ୍ପାନୀ ନାମରେ ଥିବା ହ୍ୟୁଣ୍ଡାଇ କ୍ରେଟା ଗାଡିର ବୋଲି ଜଣା ପଡିଛି । ଏହି ଗାଡି ଏବେ ମଧ୍ୟ ବୋଲଗଡ କପାସିଆରେ ଥିବା କମ୍ପାନୀର ଗ୍ୟାରେଜରେ ରହିଛି ।

ସୂଚନା ଅନୁସାରେ ଶିବାନୀ ଫୁଡ ପ୍ରଡକ୍ଟସର ମାଲିକ ରବିନ୍ଦ୍ର ନାଥ ସୁବୁଦ୍ଧିଙ୍କ ସହ ପ୍ରଶାନ୍ତ ଜଗଦେବଙ୍କର ପାରିବାରିକ ସମ୍ପର୍କ ରହିଛି । ତେଣୁ ତାଙ୍କ ଗାଡି ନମ୍ବରକୁ ବ୍ୟବହାର କରି ବିଧାୟକଙ୍କୁ ଖସାଇବାକୁ ଉଦ୍ୟମ ଆରମ୍ଭ ହୋଇଯାଇଥିବା କୁହାଯାଉଛି । ସେପଟେ ଜଗଦ୍ଦେବ ବ୍ୟବହାର କରୁଥିବା ଦାମୀ ଗାଡି ନୟାଗଡ ଅଞ୍ଚଳର ଜଣେ ଠିକାଦାର କୁମାର ଦେବଦତଙ୍କ ନାମରେ ଥିବା ଜଣା ପଡିଛି । ତେବେ ଏତେ ଦାମୀ ଗାଡିକୁ ସେହି ଠିକାଦାର କାହିଁକି ବିଧାୟକଙ୍କୁ ବ୍ୟବହାର କରିବାକୁ ଦେଇଥିଲେ ତାକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ । ନୟାଗଡ ଜିଲ୍ଲା କଂଗ୍ରେସ ସଭାପତି ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏହି ଲିଙ୍କର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଘଟଣା ପରେ ସମଗ୍ର ଅଞ୍ଚଳରେ ୧୪୪ ଧାରା ଜାରି କରିଥିଲା ପୁଲିସ । ସମ୍ପୂର୍ଣ୍ଣ ରୂପେ ଭାଙ୍ଗି ଯାିଥିବା ଗାଡିକୁ ମଧ୍ୟ ଜଗି ରହଥିଲା । ତେଣୁ ପ୍ରଶ୍ନ ଉଠୁଛି…

  • ପୁଲିସ ଉପସ୍ଥିତିରେ ନମ୍ବର ପ୍ଲେଟ ପରିବର୍ତ୍ତନ ହେଲା କେମିତି ?
  • କିଏ ବଦଳାଇଲା ଗାଡି ନମ୍ବର?
  • ଗାଡି ନମ୍ବର ବ୍ୟବହାର କରାଯାଇଥିବାରୁ ବିଧାୟକଙ୍କ ବିରୋଧରେ ମାମଲା କରିବେ କି କ୍ରେଟା ମାଲିକ ?
  • ଗାଡି ନମ୍ବର ବଦଳାଇ କାହାକୁ ସୁରକ୍ଷା ଦେବାକୁ ଚେଷ୍ଟା କରାଯାଉଛି?
  • ନମ୍ବର ବଦଳାଇ ମାମଲାକୁ ଦୁର୍ବଳ କରିବା ପାଇଁ ଚେଷ୍ଟା କରାଯାଉନି ତ?