କମେଣ୍ଟମରାରୁ ସାଂଘାତିକ ପରିଣତି । ଦୁଇ ଗୋଷ୍ଠୀ ମୁହାଁମୁହିଁ, ୪ ଜଣଙ୍କୁ ନୃଶଂସ ହତ୍ୟା

196

କନକ ବ୍ୟୁରୋ: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁରେ ବୀଭତ୍ସ ହତ୍ୟାକାଣ୍ଡ । ଶେରଗଡ ଥାନା ନରେନ୍ଦ୍ରପୁରରେ କମେଣ୍ଟମରାକୁ ନେଇ ଆରମ୍ଭ ହୋଇଥିବା ବିବାଦ ଗୋଷ୍ଠୀ ସଂଘର୍ଷରେ ପରିଣତ ହୋଇଛି ଏବଂ ୪ଜଣଙ୍କୁ ନୃଶଂସ ଭାବେ ହତ୍ୟା କରାଯାଇଛି । ହତ୍ୟାକାଣ୍ଡ ପରେ ଗଂଜାମ ହିଞ୍ଜିଳିରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା । ତେଣୁ ଏହି ଘଟଣାରେ ଅଭିଯୋଗ ପରେ ୩ ଜଣଙ୍କୁ ଅଟକ ରଖିଛି ପୋଲିସ ।

ହିଞ୍ଜିଳ ଶେରଗଡ ଥାନା ପିତ୍ତଳ ଛକ ନରେନ୍ଦ୍ରପୁରରେ ଗୋଷ୍ଠୀ ସଂଘର୍ଷର ଉଗ୍ରରୂପ ସାମ୍ନାକୁ ଆସିଛି । ଏଥିରେ ଜଣେ କି ଦି ଜଣ ନୁହେଁ ୪-୪ ଜଣଙ୍କୁ ଜୀବନ ଯାଇଛି । ମୃତକଙ୍କ ମଧ୍ୟରେ ଅଛନ୍ତି ୩ ଭାଇ ଓ ଜଣେ ସେମାନଙ୍କ ସମ୍ପର୍କୀୟ ପୁତୁରା । ଏମାନେ ପିତଳ ଛକରେ ଏକ ଫାଷ୍ଟପୁଡ ଦୋକାନ ଖୋଲିଥିଲେ । ମଙ୍ଗଳବାର ରାତିରେ କମେଣ୍ଟ ମାରିବା କଥାକୁ ନେଇ ବିବାଦ ବଢିବା ପରେ ଗୋଷ୍ଠୀ ସଂଘର୍ଷ ଘଟି ଏମାନଙ୍କ ଜୀବନ ଯାଇଛି ।

ଖବର ଅନୁସାରେ, ଏକ ଦୁର୍ଘଟଣା ପରେ କମେଣ୍ଟ ମାରିବା ପ୍ରସଙ୍ଗକୁ ନେଇ ମୃତକଙ୍କ ସହ ଜଣେ ଯୁବକଙ୍କ ବଚସା ହୋଇଥିଲା । ପରବର୍ତ୍ତୀ ସମୟରେ ଏହା ଗୋଷ୍ଠୀ ସଂଘର୍ଷର ରୂପ ନେଇଥିଲା । ଦୁଇ ଗୋଷ୍ଠୀ ପରସ୍ପରକୁ ସଶସ୍ତ୍ର ଆକ୍ରମଣ କରିଥିଲେ । ଆଉ ଘଟଣାସ୍ଥଳରେ ହିଁ ୪ଜଣଙ୍କ ପ୍ରାଣ ଚାଲିଯାଇଥିଲା । ତେବେ ଖବର ପାଇ ପୁଲିସ ପହଁଚିବାବେଳକୁ ରାସ୍ତା ଉପରେ ମୃତଦେହ ପଡିି ରହିଥିଲା ।

କମେଣ୍ଟମରାରୁ ହତ୍ୟାକାଣ୍ଡ ପରେ ଗଞ୍ଜାମ ହିଞ୍ଜିଳିରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଥିଲା । ରାସ୍ତା ଉପରେ ଟାୟାର ଜାଳି ଉତ୍ତେଜିତ ଲୋକମାନେ ଜାତୀୟ ରାଜପଥ ଅବରୋଧ କରିଥିଲେ । ଉତ୍ତେଜନା ବଢ଼ୁଥିବାରୁ ଯେମିତି ଆଉ କୌଣସି ହିଂସାକାଣ୍ଡ ନଘଟିବ, ସେଥିପାଇ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି । ଏହି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ୩ ଜଣଙ୍କୁ ଅଟକ ରଖିଛି ପୁଲିସ । ସେପେଟ ଗୋଟିଏ ପରିବାରର ୩ ଜଣ ରୋଜଗାରିଆ ପୁଅଙ୍କ ଜୀବନ ଚାଲିଯାଇଥିବାରୁ ପରିବାରରେ ମାଟିତଳୁ ଯେମିତି ପାଦ ଖସିଯାଇଛି । ବୁଢୀ ମା ଓ ପରିବାର ଲୋକ ଗୁମୁରି ଗୁମୁରି କାନ୍ଦୁଛନ୍ତି । ଅନ୍ୟପଟେ ବର୍ତ୍ତମାନ ବି ନରେନ୍ଦ୍ରପୁରରେ ଚାପା ଉତ୍ତେଜନା ଲାଗି ରହିଛି । ଆହତଙ୍କ ମଧ୍ୟରୁ କେତେ ଜଣଙ୍କ ଅବସ୍ଥା ଗୁରୁତର ରହିଥିବା ଜଣାଯାଇଛି ।