ମଣିପୁର ହିଂସା ପ୍ରଭାବରେ ମିଜୋରାମରୁ ବି ପଳାୟନ କରୁଛନ୍ତି ମୈତେୟୀ ସଂପ୍ରଦାୟର ଲୋକ, ସୁରକ୍ଷା ପାଇଁ ଆଶ୍ୱସନା ଦେଲେ ମିଜୋରାମ ସରକାର

135

କନକ ବ୍ୟୁରୋ : ମିଜୋରାମରେ ପୂର୍ବ ବିଦ୍ରୋହୀଙ୍କ ସାର୍ବଜନିକ ଆହ୍ୱାନ ପରେ ଦକ୍ଷିଣ ଆସାମ ଓ ମଣିପୁରର ଶହ ଶହ ମୈତେୟୀ ସଂପ୍ରଦାୟର ଲୋକ ମିଜୋରାମ ଛାଡୁଥିବା ଜଣାପଡିଛି । ଏନେଇ ମିଜୋରାମ ସରକାର ତୁରନ୍ତ ରାଜ୍ୟରେ ବାସ କରୁଥିବା ମୈତେୟୀ ସଂପ୍ରଦାୟର ଲୋକଙ୍କୁ ସୁରକ୍ଷାର ଆଶ୍ୱାସନା ଦେଇଛନ୍ତି ।

 ମିଜୋରାମର ଏକ ପୂର୍ବ ଉଗ୍ରବାଦୀ ସଂଗଠନର ପରାମର୍ଶ ପରେ ମୈତେୟୀ ସଂପ୍ରଦାୟର ଲୋକ ପଳାୟନ କରୁଛନ୍ତି । ଏନେଇ ମିଜୋରାମର ଜଣେ ଅଧିକାରୀଙ୍କ ମୁତାବକ ଗୃହ ଆୟୁକ୍ତ ଏବଂ ସଚିବ ମୈତେୟୀ ସଂପ୍ରଦାୟର ନେତାଙ୍କ ସହ ବୈଠକ କରିଛନ୍ତି ଓ ସେମାନଙ୍କୁ ସୁରକ୍ଷାର ପ୍ରତିଶ୍ରୁତି ଦେଇଛନ୍ତି ।

ଅଧିକାରୀକ ସୂଚନା ମୁତାବକ ମିଜୋରାମରେ ପାଖାପାଖି ୧୫୦୦ ମୈତେୟୀ ପରିବାର ବାସ କରୁଛନ୍ତି ଓ ରାଜ୍ୟର ଅନେକ ସ୍ଥାନରେ ସେମାନେ କାମ କରନ୍ତି । ହେଲେ ଏବେ ସେମାନେ ପରିବହନ ବିଭାଗର ବିଭିନ୍ନ ସାଧନ ବ୍ୟବହାର କରି ରାଜଧାନୀ ଆଇଜୋଲ ଛାଡୁଥିବା କଥା ସୂଚନା ମିଳିଛି । ପ୍ରଭାବଶାଳୀ ସିଭିଲ ସୋସାଇଟ ଗ୍ରୁପ ସେଣ୍ଟ୍ରାଲ ୟଙ୍ଗ ଆସୋସିଏସନ ବି ମିଜୋରାମରେ ବାସ କରୁଥିବା ମୈତେୟୀ ସଂପ୍ରଦାୟର ଲୋକଙ୍କୁ ସୁରକ୍ଷାର ଆଶ୍ୱସନା ଦେଇଛନ୍ତି । ମିଜୋ ଛାତ୍ର ସଂଘ ରାଜ୍ୟ ସରକାରଙ୍କ ସହ ଆଲୋଚନା ପରେ ମିଜୋରମରେ ମୈତେୟୀ ସଂପ୍ରଦାୟ ବାବଦରେ ଡାଟା ଏକାଠି କରୁଛନ୍ତି । ଏହାସହ ପ୍ରସ୍ତାବିତ ଅଭିଯାନକୁ ରୋକିବାକୁ ନିଷ୍ପତ୍ତି ନେଇଛନ୍ତି ।

ମଣିପୁରରେ ଦୁଇଜଣ ଆଦିବାସୀ ମହିଳାଙ୍କ ସହ ଯୌନ ଉତ୍ପୀଡନ ଘଟଣାର ଭିଡିଓ ଭାଇରାଲ ହେବା ପରେ ମିଜୋରାମରେ ଏହାର ପ୍ରଭାବ ପଡିଛି । ଏହାର ପ୍ରଭାବରେ ମିଜୋରାମରେ ରହୁଥିବା ମୈତେୟୀ ସଂପ୍ରଦାୟର ଲୋକ ଭୟଭିତ ହୋଇପଡିଛନ୍ତି ।