‘ଇସଲାମ ଧର୍ମ ଠାରୁ ହିନ୍ଦୁ ଧର୍ମ ପୁରୁଣା, ମୁସଲିମ ପୂର୍ବରୁ ହିନ୍ଦୁ ଥିଲେ’, କାହିଁକି ଏମିତି କହିଲେ ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ?

262

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଡେମୋକ୍ରେଟିଭ ପ୍ରୋଗ୍ରେସିଭ ପାର୍ଟି ମୁଖ୍ୟ ଗୁଲାମ ନବୀ ଆଜାଦଙ୍କ ବୟାନ ଏବେ ସୋସିଆଲ ମିଡ଼ିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି । ଗୁଲାମ କହିଛନ୍ତି, ଇସଲାମ ଧର୍ମ ଠାରୁ ହିନ୍ଦୁ ଧର୍ମ ଆହୁରି ପୁରୁଣା । ସମସ୍ତ ମୁସଲିମ ପୂର୍ବରୁ ହିନ୍ଦୁ ହିଁ ଥିଲେ । ଡୋଡା ଜିଲ୍ଲାରେ ଏକ କାର୍ଯ୍ୟକ୍ରମରେ କିଛି ଏଭଳି କହିଛନ୍ତି ଗୁଲାମ ନବୀ ଆଜାଦ । ଭାଇରାଲ ହେଉଥିବା ଭିଡ଼ିଓରେ ଗୁଲାମ ଏହା ମଧ୍ୟ କହିଛନ୍ତି ଯେ, ଇସଲାମ ଧର୍ମର ଜନ୍ମ ୧୫୦୦ ବର୍ଷ ପୂର୍ବରୁ ହୋଇଥିଲା । ଭାରତର ଲୋକ ବାହାରୁ ଆସିନାହାନ୍ତି । ଆମେ ସମସ୍ତେ ଏହି ଦେଶର ବାସିନ୍ଦା । ଭାରତରେ ଥିବା ମୁସଲିମ ସମ୍ପ୍ରଦାୟର ଲୋକ ପୂର୍ବରୁ ହିନ୍ଦୁ ଥିଲେ, ଯେଉଁମାନେ ପରବର୍ତ୍ତୀ ସମୟରେ ଧର୍ମ ପରିବର୍ତ୍ତନ କରିଥିଲେ ।

ସେହିଭଳି ଗୁଲାମ କହିଛନ୍ତି, କାଶ୍ମୀରରେ ୬୦୦ ବର୍ଷ ପୂର୍ବରୁ କେବଳ କାଶ୍ମୀର ପଣ୍ଡିତ ହିଁ ରହୁଥିଲେ । ପରେ କିଛି ଲୋକ ଧର୍ମ ପରିବର୍ତ୍ତନ କରି ମୁସଲିମ ସମ୍ପ୍ରଦାୟକୁ ଆସିଥିଲେ । ତେଣୁ ଧର୍ମକୁ ରାଜନୀତି ସହ ଯୋଡା ନଯିବା ଦରକାର । ଏହାସହ ଲୋକ ମଧ୍ୟ ଧର୍ମ ଆଧାରରେ ଭୋଟ ନଦିଅନ୍ତୁ ବୋଲି କହିଛନ୍ତି ଆଜାଦ । ଏହି ମାଟିରେ ଆମେ ଜନ୍ମ ହୋଇଛୁ, ଏହି ମାଟିରେ ହିଁ ଆମେ ଶେଷ ନିଶ୍ୱାସ ତ୍ୟାଗ କରିବୁ । ହିନ୍ଦୁ ସମ୍ପ୍ରଦାୟରେ ମୃତକଙ୍କୁ ପୋଡାଯାଏ । ପରେ ତାଙ୍କର ଅସ୍ଥିକୁ ନେଇ ନଦୀରେ ଭସାଯାଇଥାଏ । ସେହି ପାଣି ବିଭିନ୍ନ ସ୍ଥାନକୁ ଯାଇଥାଏ. କ୍ଷେତକୁ ଯାଇଥାଏ ଏବଂ ଆମ ପେଟକୁ ମଧ୍ୟ ଯାଇଥାଏ । ସେହିଭଳି ମୁସଲିମ ସମ୍ପ୍ରଦାୟରେ ମୃତକଙ୍କୁ କବର ଦିଆଯାଇଥାଏ । ସେମାନଙ୍କର ହାଡ ମାଂସ ଏହି ମାଟିରେ ହିଁ ମିଶି ଯାଇଥାଏ । ତେଣୁ ହିନ୍ଦୁ-ମୁସଲିମ ଭେଦଭାବ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ଆଜାଦ । ରାଜନୈତିକ ଫାଇଦା ପାଇଁ କେବଳ ଏମିତି କରାଯାଉଛି ବୋଲି କହିଛନ୍ତି ଗୁଲାମ ନବୀ ଆଜାଦ ।