ପ୍ରଚାର ମଇଦାନରୁ ରାହୁଲଙ୍କୁ ଟାର୍ଗେଟ କଲେ ମୋଦୀ । ପଚାରିଲେ ଟେମ୍ପୋ ଭର୍ତ୍ତି ଟଙ୍କା ପାଇବା ପରେ କଂଗ୍ରେସ ଯୁବରାଜ ଭୁଲି କି ଗଲେ ଅଦାନୀ ଅମ୍ବାନୀଙ୍କ ନାଁ ।

138

କନକ ବ୍ୟୁରୋ: କଂଗ୍ରେସ ଓ ରାହୁଲ ଗାନ୍ଧୀଙ୍କୁ ପ୍ରଚାର ମଇଦାନରୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ । ଯେଉଁ ପ୍ରସଙ୍ଗକୁ ନେଇ ରାହୁଲ ଅନେକ ଥର ବିଜେପି ଓ ପ୍ରଧାନମନ୍ତ୍ରୀଙ୍କୁ ଘେରାଉ କରିଥିଲେ । ସେହି ପ୍ରସଙ୍ଗରେ ରାହୁଲଙ୍କୁ ପାଲଟା ଆକ୍ରମଣ କରିଛନ୍ତି ନରେନ୍ଦ୍ର ମୋଦୀ । ବୁଧବାର ତେଲେଙ୍ଗାନା କରିମଗଞ୍ଜରେ ପ୍ରଚାର କରି ରାହୁଲ ଗାନ୍ଧୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି ମୋଦୀ । ଦେଶର ବିଶିଷ୍ଟ ଶିଳ୍ପପତି, ଅଦାନୀ-ଅମ୍ବାନୀଙ୍କ ନାଁ ୫ ବର୍ଷ ହେଲା ଜପୁଥିବା ରାହୁଲ ଗାନ୍ଧୀ ହଠାତ୍ ନିର୍ବାଚନ ଘୋଷଣା ହେବା ପରଠୁ ବନ୍ଦ କରିଦେଇଛନ୍ତି । ଆଦାନୀ, ଅମ୍ବାନୀଙ୍କଠାରୁ ଟେମ୍ପୋ ଭର୍ତ୍ତି ଟଙ୍କା ପାଇଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଥିସହ ଦେଶବାସୀଙ୍କୁ ପ୍ରକୃତ ସତ ଜଣାଇବାକୁ ରାହୁଲ ଗାନ୍ଧୀଙ୍କୁ ଅପିଲ କରିଛନ୍ତି । ସେପଟେ ଭିଡିଓ ବାର୍ତ୍ତା ଜାରି କରି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଜବାବ ଦେଇଛନ୍ତି । କହିଛନ୍ତି ପୁରୁଣା ଅଭିଜ୍ଞତାରୁ ପ୍ରଧାନମନ୍ତ୍ରୀ ଟେମ୍ପୋ ଭର୍ତ୍ତି ଟଙ୍କା କଥା ଜାଣିପାରୁଛନ୍ତି । ଯଦି ଏପରି ଦୁର୍ନୀତି ହୋଇଛି ବୋଲି ପ୍ରଧାନମନ୍ତ୍ରୀ ସନ୍ଦେହ କରୁଥିଲେ ଅଦାନୀ, ଅମ୍ବାନୀଙ୍କ ଘରକୁ ସିବିଆଇ-ଇଡି ପଠାଇ ତଦନ୍ତ କରନ୍ତୁ ବୋଲି ରାହୁଲ କହିଛନ୍ତି ।