ଦକ୍ଷିଣ ଓଡିଶାରେ ପ୍ରଚାର କରିବେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ । କୋରାପୁଟରେ ବିଷ୍ଣୁ ଦେଓ ସାଏ, ମାଲକାନଗିରିରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା

91

କନକ ବ୍ୟୁରୋ: ଆଜି କୋରାପୁଟରେ ପ୍ରଚାର କରିବେ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣଦେବ ସାଏ । କୋରାପୁଟର ଲକ୍ଷ୍ମୀପୁର ଓ ପଟ୍ଟାଙ୍ଗୀରେ ପ୍ରଚାର ସଭା କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗିବେ ବିଷ୍ଣଦେବ ସାଏ । ପୂର୍ବାହ୍ନ ୧୦ଟାରେ ରାୟପୁରରୁ ହେଲିକପ୍ଟର ଯୋଗେ ବାହାରି କୋରାପୁଟ ଲକ୍ଷ୍ମୀପୁରର ଅସ୍ଥାୟୀ ହେଲିପ୍ୟାଡରେ ଦିନ ୧୧ଟା ୧୦ ମିନିଟରେ ପହଞ୍ଚିବେ । ଏହାପରେ ଲକ୍ଷ୍ମୀପୁରର ପରବ ପଡିଆରେ ପ୍ରଚାର ସଭାକୁ ସମ୍ବୋଧିତ କରି ବିଜେପି ପ୍ରାର୍ଥୀଙ୍କ ପାଇଁ ଭୋଟ ମାଗିବେ । ଏହାପରେ ପଟାଙ୍ଗୀ ଯାଇ ସେଠାରେ ମଧ୍ୟ ପ୍ରଚାର କରିବା କାର୍ଯ୍ୟସୂଚୀ ରହିଛି । ଛତିଶଗଡ ସହ ଓଡିଶାର ସୀମାନ୍ତ ଅଞ୍ଚଳର ଗଭୀର ସଂପର୍କ ରହିଛି । ତେଣୁ ସୀମାନ୍ତ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚାର ମଇଦାନକୁ ଛତିଶଗଡ ମୁଖ୍ୟମନ୍ତ୍ରୀଙ୍କୁ ଓହ୍ଲାଇଛି ବିଜେପି । ଗତକାଲି ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ହାଟଭରଣ୍ଡି ଠାରେ ପ୍ରଚାର କରିଥିଲେ ଛତିଶଗଡ ମୁଖ୍ୟମନ୍ତ୍ରୀ ।

ସେପଟେ ଆଜି ମାଲକାନଗିରିରେ ପ୍ରଚାର କରିବେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଏମଭି -୮୨ ଗାଁରେ ପ୍ରଚାର କରିବେ ଆସାମ ମୁଖ୍ୟମନ୍ତ୍ରୀ । ସକାଳ ୧୧ଟାରେ ଏମଭି-୮୨ ଗାଁରେ ପହଞ୍ଚି ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ । ଏହାପରେ ୧୨ଟା ୩୦ରେ ମାଥିଲିରେ ମଧ୍ୟ ଜନସମାବେଶ କରି ଭୋଟ ମାଗିବେ ହିମନ୍ତ ବିଶ୍ୱଶର୍ମା । ବିଜେପିର ଷ୍ଟାର କ୍ୟାମ୍ପେନର ହିମନ୍ତ ବିଶ୍ୱଶର୍ମାଙ୍କୁ ଆନ୍ଧ୍ର ଓ ଛତିଶଗଡ ସୀମାନ୍ତ ମାଲକାନଗିରି ପ୍ରଚାର ମୈଦାନକୁ ଓହ୍ଲାଇ ଭୋଟରଙ୍କ ମନ ଜିଣିବାକୁ ବିଜେପି ଯୋଜନା କରିଛି । ସେହିପରି ଅପରାହ୍ଣ ୩ଟା ୩୦ରେ ଗଞ୍ଜାମ ଆସି ଖଲ୍ଲିକୋଟରେ ପ୍ରଚାର କରିବା କାର୍ଯ୍ୟକ୍ରମ ରହିଛି ।