ଫରେକ୍ସ ଆଇନ ଉଲଙ୍ଘନ କରିବା ପଡିଲା ମହଙ୍ଗା, ସାଓମୀ କମ୍ପାନୀର ୫.୫୫୧ କୋଟି ଟଙ୍କାର ସମ୍ପତି ଜବତ କଲା ଇଡି

260

କନକ ବ୍ୟୁରୋ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଫରେକ୍ସ ଆଇନ ଉଲଙ୍ଘନ କରିବା ଅଭିଯୋଗରେ ସାଓମୀ ଟେକ୍ନୋଲୋଜି ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ୫୫୫୧,୨୭ କୋଟି ଟଙ୍କାର ସମ୍ପତି ଜବତ କରିଛି । କହିରଖୁ କି ସାଓମୀ ଇଣ୍ଡିଆ ଚୀନରେ ଥିବା ସାଓମୀ କମ୍ପାନୀର ଏକ ସହାୟକ କମ୍ପାନୀ । ଏବେ ଇଡି ଏହି ସବୁ ଅର୍ଥ କମ୍ପାନୀର ବ୍ୟାଙ୍କ ଖାତାରୁ ଜବତ କରିଛି । ଇଡି ତରଫରୁ ଚଳିିତ ବର୍ଷ ଫେବୃଆରୀ ମାସରେ କମ୍ପାନୀ ଦ୍ୱାରା ଅବୈଧ ନେଣଦେଣକୁ ନେଇ ଯାଂଚ ଆରମ୍ଭ କରିଥିଲା ।

ସୂଚନା ଥାଉକି ୨୦୧୪ ମସିହାରେ କମ୍ପାନୀ ଭାରତରେ ତାର କାମ ଆରମ୍ଭ କରିଥିଲା । ଏହାପରେ ୨୦୧୫ ଠାରୁ ମୂଳ କମ୍ପାନୀ ନିକଟକୁ ଟଙ୍କା ପଠାଇବା ଆରମ୍ଭ କରିଥିଲା । ଏହି କ୍ରମରେ କମ୍ପାନୀ ୩ ଟି ବିଦେଶୀ ସଂସ୍ଥାକୁ ୫୫୫୧.୨୭ କୋଟି ଟଙ୍କାର ସମକକ୍ଷ ବିଦେଶୀ ମୁଦ୍ରା ପଠାଇଥିଲା । ରୟାଲି ନାମରେ ଏତେ ପରିମାଣର ଟଙ୍କା ସେମାନଙ୍କର ଚାଇନାରେ ଥିବା ମୂଳ ଗୋଷ୍ଠୀର ଅନୁଷ୍ଠାନଗୁଡିକର ପରାମର୍ଶରେ ପଠାଇଥିଲା । ଏହା ମଧ୍ୟରେ ଆମେରିକାର ୨ ଟି ସଂସ୍ଥାକୁ ମଧ୍ୟ ଟଙ୍କା ପଠାଯାଇଥିଲା, ଯେଉଁ କମ୍ପାନୀ ଏହା ସହିତ ଜଡିତ ନଥିଲା । ଅନ୍ୟପଟେ ଏହି ଦୁଇ ଆମେରିକୀୟ କମ୍ପାନୀ ସାଓମୀ ଇଣ୍ଡିଆକୁ ସହାୟତା କରିଥିଲା ।

କହିରଖୁ କି ସାଓମୀ ଇଣ୍ଡିଆ ଏମଆଇ ନାମରେ ଭାରତରେ ମୋବାଇଲ ଫୋନ ବ୍ୟବସାୟ କରୁଥିଲା । ସାଓମୀ ଇଣ୍ଡିଆ ପକ୍ଷରୁ ଭାରତର ନିର୍ମାତାମାନଙ୍କ ଠାରୁ ସମ୍ପୂର୍ଣ୍ଣ ଭାବେ ମୋବାଇଲ ସେଟ୍ ଓ ଅନ୍ୟ ଉତ୍ପାଦ କିଣିଥାଏ । ସେପଟେ ସାଓମୀ ଇଣ୍ଡିଆ ଯେଉଁ ୩ ଟି ବିଦେଶୀ ସଂସ୍ଥା ସହିତ ଅର୍ଥ କାରବାର କରିଛି ସେମାନଙ୍କ ଠାରୁ ସେବା ନେଇ ନଥିବା କଥା ଇଡି ସ୍ପଷ୍ଟ କରିଛି । ନକଲି ଦସ୍ତାବିଜ ଦେଖାଇ କମ୍ପାନୀ ରୟାଲି ଆଳରେ ବିଦେଶର ଏହି ୩ ଟି ସଂସ୍ଥାକୁ ବହୁ ପରିମାଣର ଟଙ୍କା ପଠାଇଥିଲା । ଏହି ଅପରାଧରେ ଏବେ ସାଓମୀ ଇଣ୍ଡିଆର ୫୫୫୧.୨୭ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଇଡି ।