ଓଡିଶାରେ ମାଡ ହେବନି ବାତ୍ୟା ସିତ୍ରାଙ୍ଗ । ଓଡ଼ିଶା ଉପକୂଳ ପାଖେପାଖେ ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ହେବା ସମ୍ଭାବନା

ବାତ୍ୟାକୁ ନେଇ ପାଣିପାଗ ବିଭାଗର ଆଶ୍ୱସ୍ତି କଲାଭଳି ଆକଳନ

169

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ବାତ୍ୟାର ଗତିପଥକୁ ନେଇ ଓଡିଶା ପାଇଁ ଆଶ୍ୱସ୍ତି କଲା ଭଳି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ବାତ୍ୟା କେଉଁଠି ସ୍ଥଳଭାଗ ଛୁଇଁବ ଆଇଏମଡି ସ୍ପଷ୍ଟ ଭାବେ କହିନଥିଲେ ବି ଓଡିଶାରେ ମାଡ ହେବ ନାହିଁ ବୋଲି ଅନୁମାନ କରିଛି । ଏଥିସହ ସମୁଦ୍ର ଭିତରେ ଓଡିଶା ଉପକୂଳ ଦେଇ ବାତ୍ୟା ଅତିକ୍ରମ କରିବାର ସମ୍ଭାବନା ଥିବା କହିଛି ଆଇଏମଡି । ଏହାର ପ୍ରଭାବରେ ୨୪ ଓ ୨୫ତାରିଖରେ ଓଡିଶାର ଉପକୂଳ ଜିଲ୍ଲା ଗୁଡିକରେ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

  • ଓଡ଼ିଶାରେ ମାଡ଼ ହେବନି ବାତ୍ୟା!
  • ଆଶ୍ୱସ୍ତି ଆଣିଲା ଆଇଏମଡିର ଆକଳନ

ବାତ୍ୟା ସିତ୍ରାଙ୍ଗକୁ ନେଇ ଭୟ ବଢ଼ୁଥିବା ବେଳେ ଆଶ୍ୱସ୍ତି କଲା ଭାରତୀୟ ପାଣିପାଗ ବିଭାଗର ଆକଳନ । ଓଡ଼ିଶା ଉପକୂଳରେ ବାତ୍ୟା ସ୍ଥଳଭାଗ ଛୁଇଁବ ନାହିଁ । ସମାନ୍ତରାଳ ଭାବେ ଗତି କରି ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇବାର ସମ୍ଭାବନା ରହିଥିବା କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

  • ଲଘୁଚାପର ରୂପ ନେଲା ଘୂର୍ଣ୍ଣିବଳୟ
  • ୨୨ ତାରିଖରେ ନେଇପାରେ ଅବପାତର ରୂପ
  • ୨୪ ତାରିଖ ବେଳକୁ ସାମୁଦ୍ରିକ ଝଡ଼ ବା ବାତ୍ୟାର ରୂପ ନେବା ଆଶଙ୍କା

ଭାରତୀୟ ପାଣିପାଗ ବିଭାଗ ଜାରି କରିଥିବା ସାଟେଲାଇଟ୍ ଚିତ୍ରରେ ବାୟୁମଣ୍ଡଳର ୭.୬ କିଲୋମିଟର ଯାଏଁ ଘୂର୍ଣ୍ଣିବଳୟ ବ୍ୟାପିଥିବା ଦେଖିବାକୁ ମିଳିଛି । ତା ସହିତ ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାଶ୍ୱର୍ବର୍ତ୍ତି ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ।

  • ପଶ୍ଚିମ ଏବଂ ଉତ୍ତର-ପଶ୍ଚିମ ଦିଗରେ ଗତି କରି ୨୨ ତାରିଖ ବେଳକୁ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ଅବପାତର ରୂପ ନେବା ସମ୍ଭାବନା ରହିଛି
  • ୨୩ ତାରିଖ ବେଳକୁ ସମୁଦ୍ର ଭିତରେ ଏହା ଗଭୀର ଅବପାତର ରୂପ ନେଇପାରେ
  • ଏହାପରେ ଦିଗ ପରିବର୍ତ୍ତନ କରି ଉତ୍ତର ଦିଗ ଆଡ଼କୁ ମୁହାଁଇବ
  • ୨୪ ତାରିଖ ବେଳକୁ ଏହା ବାତ୍ୟାର ରୂପ ନେବା ଆଶଙ୍କା ରହିଛି
  • ଏହା ପରେ ଉତ୍ତର ଏବଂ ଉତ୍ତର-ପୂର୍ବ ଦିଗରେ ଗତି କରି ଓଡ଼ିଶା ଉପକୂଳ ସହ ସମାନ୍ତରାଳ ଭାବେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଆଡ଼କୁ ମୁହାଁଇବା ସମ୍ଭାବନା ରହିଛି

ଆଇଏମଡିର ଆକଳନ ଅନୁସାରେ ବାତ୍ୟା ରି-କର୍ଭ କରିବ । ଅର୍ଥାତ ଦିଗ ପରିବର୍ତ୍ତନ କରିବ । ଫଳରେ ଓଡ଼ିଶା ଉପକୂଳରେ ମାଡ଼ ନହୋଇ ସମୁଦ୍ର ଭିତରେ ପଶ୍ଚିମବଙ୍ଗ- ବାଂଲାଦେଶ ଆଡକୁ ମୁହାଁଇବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ । ଫାଇଲିନକୁ ଛାଡ଼ି ୨୦୧୩ ପରେ ଅକ୍ଟୋବର ମାସରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା କୌଣସି ବାତ୍ୟା ଓଡ଼ିଶା ଉପକୂଳ ଛୁଇଁନାହିଁ । ଏବେ ପୁଣିଥରେ ତାର ପୁନରାବୃତ୍ତି ହେବାକୁ ଯାଉଛି ।

କାହିଁକି ବାତ୍ୟା ବଦଳାଏ ଦିଗ?

  • ଏବେ ଷ୍ଟିୟରିଂ କରେଂଟ, ପଶ୍ଚିମା ଝଡ଼ ସକ୍ରିୟ ରହିଛି
  • ଏହା ହିଁ ବାତ୍ୟାର ଗତିପଥ, ତୀବ୍ରତା ନିର୍ଦ୍ଧାରଣ କରିଥାଏ
  • ବାତ୍ୟାର ମୋଡ଼ ବଦଳିବା ସମ୍ଭାବନା ମଧ୍ୟ ବଢ଼ିଥାଏ
  • ଉପରେ ଟ୍ରପଲାଇନ ରହିଲେ, ବଦଳି ଯାଏ ବାତ୍ୟାର ଦିଗ

ତେବେ ବାତ୍ୟାର ପ୍ରଭାବରେ ଓଡ଼ିଶାର ଉପକୂଳ ଜିଲ୍ଲାଗୁଡିକରେ ୨୪ ଓ ୨୫ ତାରିଖରେ ବର୍ଷା ହେବା ସମ୍ଭାବନା ରହିଛି ।

ଅକ୍ଟୋବର ୨୪ ତାରିଖ

  • ଉପକୂଳ ଓଡ଼ିଶାର କିଛି ସ୍ଥାନରେ ମଧ୍ୟମ ଓ ହାଲୁକା ଧରଣର ବର୍ଷା ସମ୍ଭାବନା
  • ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା

ଅକ୍ଟୋବର ୨୫ ତାରିଖ

  • ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲ୍ଲର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା
  • କଟକ, ଖୋର୍ଦ୍ଧା, ପୁରୀ, ଯାଜପୁର, ମୟୂରଭଞ୍ଜ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା

ତେବେ ୨୨ ତାରିଖରେ ବାତ୍ୟାର ସ୍ଥିତି, ଗତି ଏବଂ ପ୍ରଭାବ ସଂପର୍କରେ ସ୍ପଷ୍ଟ ଚିତ୍ର ସାମନାକୁ ଆସିବ ।