କେନ୍ଦ୍ରାପଡାରେ ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ। ହସ୍ପିଟାଲରେ ରହିଛି ୨୦୦ ବେଡ୍, ଟ୍ରମା କେୟାର ସେଣ୍ଟର ଓ ୩୪ ଟି ଆଇସିୟୁ

135

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରାପଡା ଜିଲ୍ଲାର ନୂଆ ମୁଖ୍ୟ ଚିକିତ୍ସାଳୟ କମ୍ପ୍ଲେକ୍‌ସର ଉଦ୍‌ଘାଟନ କରିଛନ୍ତି। ଏହି ନୂତନ ଚିକିତ୍ସାଳୟ କମ୍ପ୍ଲେକ୍‌ସରେ ୨୦୦ଟି ଶଯ୍ୟା ଥିବାବେଳେ ଅତ୍ୟାଧୁନିକ ଓପିଡି, କାଜୁଆଲଟି ଓ ଟ୍ରମା କେୟାର , ୫ ଶଯ୍ୟା ବିଶିଷ୍ଠ ଟ୍ରମା ଆଇସିୟୁ, ରେଡିଓଲୋଜୀ, ଏମଆରଆଇ, ସିଟି ସ୍କାନ, ସୁବିଧା ସହ ଉନ୍ନତ ଧରଣର ଓଟି କମ୍ପେ୍ଲକ୍ସ, ୧୫ ଶର୍ଯ୍ୟା ବିଷିଷ୍ଠ ଏସଏନସିୟୁ , କଙ୍ଗାରୁ ମାତୃ ସେବା ସୁବିଧା ଓ ୩୪ ଶଯ୍ୟା ବିଶିଷ୍ଠ ଆଇସିୟୁର ବ୍ୟବସ୍ଥା ରହିଛି ।

ଭର୍ଚୁଆଲ ଜରିଆରେ ଜନସାଧାରଣଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ କହିଲେ ଯେ ଏହି ଆଧୁନିକ ହସ୍‌ପିଟାଲ କେନ୍ଦ୍ରାପଡା ଜିଲ୍ଲାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରୂପାନ୍ତର ଆଣିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ । ଜିଲ୍ଲାର ରୋଗୀମାନଙ୍କୁ ଆଉ ଚିକିତ୍ସା ପାଇଁ ଆଉ କଟକ ବା ଭୁବନେଶ୍ବର ଯିବା ଆବଶ୍ୟକ ନାହିଁ । ନିଜ ଜିଲ୍ଲାରେ ହିଁ ସେମାନେ ଉତ୍ତମ ସ୍ବାସ୍ଥ୍ୟସେବା ପାଇପାରିବେ।

ଆମ ପାଇଁ ‘ପ୍ରତି ଜୀବନ ମୂଲ୍ୟବାନ’ । ଏହି ଆଦର୍ଶ ନେଇ ଆମେ କାମ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଡାକ୍ତର ଓ ପାରାମେଡିକସ ମାନଙ୍କୁ ପରାମର୍ଶ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ତେଣୁ, ଆପଣମାନେ ନିଷ୍ଠାର ସହ ରୋଗୀର ସେବା କରନ୍ତୁ। ରୋଗୀର ମୁହଁରେ ହସ ଓ ମନରେ ବିଶ୍ବାସ ହିଁ ଆପଣମାନଙ୍କ ପାଇଁ ଏବଂ ଆମ ସମସ୍ତଙ୍କ ପାଇଁ ବଡ ପୁରସ୍କାର ହେବ ଓ ଆମ ପାଇଁ ସନ୍ତୋଷ ଆଣିପାରିବ।

ରାଜ୍ୟରେ ସ୍ବାସ୍ଥ୍ୟ ସେବା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ଲକ୍ଷ ଲକ୍ଷ ଲୋକ ବିନା ପଇସାରେ ଭଲ ଚିକିତ୍ସା ପାଇପାରୁଛନ୍ତି । ଲକ୍ଷ ଲକ୍ଷ ପରିବାର ଉପକୃତ ହେଉଛନ୍ତି। ଏହାଦ୍ବାରା ଗରିବ ଲୋକଙ୍କ ଚିକିତ୍ସା ଚିନ୍ତା ଦୂର ହୋଇପାରିଛି ବୋଲି ସେ କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଲେ ଯେ କେନ୍ଦ୍ରାପଡା ହେଉଛି ବିଜୁ ବାବୁଙ୍କ କର୍ମ ଭୂମି । କେନ୍ଦ୍ରାପଡାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ଦୃଷ୍ଟି ରହିଛି। ଆଜି କେନ୍ଦ୍ରାପଡା ଜିଲ୍ଲାରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଏକ ନୂଆ ମାଇଲ ଖୁଣ୍ଟ ସ୍ଥାପିତ ହୋଇଛି ବୋଲି ସେ କହିଥିଲେ ।

ଖାଦ୍ୟ ଯୋଗାଣ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଲେ ଯେ ଆଜି କେନ୍ଦ୍ରାପଡାବାସୀଙ୍କ ପାଇଁ ଏକ ଗର୍ବ ଓ ଗୌରବର ଦିନ । ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ ୧୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ଦେଇଛନ୍ତି । ଜିଲ୍ଲାର ସମସ୍ତ ହେଲ୍‌ଥ ସେଣ୍ଟରର ଭିତ୍ତିଭୂମିର ଉନ୍ନତି ପାଇଁ ଅର୍ଥ ଯୋଗାଇ ଦେଇଛନ୍ତି। ।

କେନ୍ଦ୍ରାପଡା ବିଧାୟକ ଶ୍ରୀ ଶଶୀଭୂଷଣ ବେହେରା ତାଙ୍କ ବକ୍ତବ୍ୟରେ କେନ୍ଦ୍ରାପଡାରେ ସ୍ବାସ୍ଥ୍ୟସେବାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂରଦୃଷ୍ଟିର ଉଚ୍ଚପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-ଟି) ଭି.କେ. ପାଣ୍ଡିଆନ ଏହି କାର୍ୟ୍ୟକ୍ରମକୁ ପରିଚାଳନା କରିଥିଲେ । ଜିଲ୍ଲାପାଳ ଶ୍ରୀ ଅମୃତ ଋତୁରାଜ ସ୍ବାଗତ ଭାଷଣ ଦେଇଥିଲେ ।