କ୍ରିକେଟରରୁ କନମ୍ୟାନ ମୃଣାଙ୍କ ସିଂ । ବିଳାସପୂର୍ଣ୍ଣ ଜୀବନ ବଂଚିବା ପାଇଁ ବାଛିଥିଲେ ଠକେଇ ରାସ୍ତା, ରିଷଭ ପନ୍ତଙ୍କ ଠାରୁ ଲୁଟିଛନ୍ତି କୋଟି କୋଟି ଟଙ୍କା

4,104

କନକ ବ୍ୟୁରୋ : କେତେବେଳ ଆଇପିଏଲ ଖେଳାଳି ତ ଆଉ କେତେବେଳ ଆଇପିଏସ ଅଫିସର । ନିଜକୁ ନାମୀଦାମି କମ୍ପାନୀର ବ୍ରାଣ୍ଡ ଆମ୍ବାସଡର କହି ବଡ଼ ବଡ଼ ହୋଟେଲକୁ ଲଗାଉଥଲା ଚୂନା    । ବିଳାସପୂର୍ଣ୍ଣ ଜୀବନଶୈଳୀରେ ବଂଚିବାକୁ ବାଛିଥିଲା ଠକେଇର ରାସ୍ତା । ଠକାମୀର ସବୁ ରାସ୍ତାକୁ ପାର କରି ସାରିଥିବା ବେଳେ ଶେଷରେ ପୋଲିସ ପଂଝାରୁ ମୁକୁଳିବାରେ ଫେଲ ମାରିଛି କ୍ରିକେଟରରୁ ଠକ ସାଜିଥିବା ମୃଣାଙ୍କ ସିଂ । ଦେଶ ବାହାରକୁ ଖସିଯିବାକୁ ଉଦ୍ୟମ ବେଳେ ନୂଆଦିଲ୍ଲୀ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ ମୃଣାଙ୍କକୁ ଗିରଫ କରିଛି ଦିଲ୍ଲୀ ପୋଲିସ । କର୍ଣ୍ଣାଟକ ପାଇଁ ୧୯ବର୍ଷରୁ କମ୍ ଶ୍ରେଣୀରେ କ୍ରିକେଟ ଖେଳିଥିବା ମୃଣାଙ୍କ ନିଜକୁ ଜଣେ କ୍ରିକେଟର ଏବଂ କର୍ଣ୍ଣାଟକ ପୋଲିସର ବରିଷ୍ଠ ଅଧିକାରୀ ଦର୍ଶାଇ ଠକାମୀ କରୁଥଲା । ମୁମ୍ବାଇ, ଦିଲ୍ଲୀର ନାମୀଦାମି ହୋଟେଲରେ ରହିବା ସହିତ ଅୟସ କରୁଥିଲା ଏହି ଠକ କ୍ରିକେଟର । ୨୦୨୨ ମସିହାରେ ହୋଟେଲ ତାଜ ପ୍ୟାଲେସରେ ରହିବା ସହିତ ୫ଲକ୍ଷ ଟଙ୍କା ଠକିଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ହୋଟେଲ କତୃପକ୍ଷ ଟଙ୍କା ମାଗିବାରୁ ନିଜକୁ ଆଇପିଏଲ ଟିମ୍ ମୁମ୍ବାଇ ଇଣ୍ଡିଆର ସଦସ୍ୟ କହିବା ସହିତ ସ୍ପନ୍ସର କରୁଥିବା କମ୍ପାନୀ ଟଙ୍କା ପୈଠ କରିବ ବୋଲି କହିଥଲା ଏହି ଠକ ଜଣକ । କେବଳ ହୋଟେଲ ତାଜ୍ ପ୍ୟାଲେସ ନୁହେଁ ଦେଶର ବଡ଼ ବଡ଼ ନାମୀଦାମି ହୋଟେଲକୁ ମଧ୍ୟ ମୃଣାଙ୍କ ଠକିଥିବା ନେଇ ଅଭିଯୋଗ ହୋଇଛି ।

କେବଳ ହୋଟେଲ ନୁହେଁ ମୃଣାଙ୍କର ଟାର୍ଗେଟରେ ବଡ଼ ବଡ଼ କ୍ରିକେଟରଙ୍କ ଠାରୁ ନେଇ କ୍ୟାବ ଡ୍ରାଇଭର, ଯୁବତୀ, ହୋଟେଲ ଏବଂ ବାର ରେଷ୍ଟୁରାଂଟ ରହିଥିଲା । ୨୦୨୦-୨୧ ମସିହାରେ କ୍ରିକେଟର ରିଷଭ ପନ୍ଥଙ୍କୁ ମଧ୍ୟ ଠକିଥିଲା ଏହି ଠକ । ଘଂଟା ନିଲାମ କରାଇଦେବାକୁ କହି ରିଷଭଙ୍କୁ ଏହି ଠକ ୧.୫କୋଟି ଟଙ୍କାର ଚେକ୍ ଦେଇଥିବା ବେଳେ ପରେ ଏହି ଚେକଟି ବାଉନ୍ସ ହୋଇ ଥିବା ଜଣାପଡିଥିଲା । କ୍ୟାବ ଡ୍ରାଇଭର, ଯୁବତୀ, ହୋଟେଲ ଏବଂ ବାର ରେଷ୍ଟୁରାଂଟ ମାନଙ୍କରେ ନିଜର ମିଛ ପରିଚୟ ଦେଇ ଠକି ଚାଲିଥିଲା ଏହି ଠକ । ତମାମ ଠକେଇକୁ ନେଇ ଦିଲ୍ଲୀ ପୋଲିସ ପକ୍ଷରୁ ମୃଣାକଙ୍କୁ ଧରିବାକୁ ଲୁକ୍ ଆଉଟ ନୋଟିସ ଜାରି ମଧ୍ୟ ଜାରି କରାଯାଇଥିଲା । ଶେଷରେ ହଂକଙ୍ଗ ଖସିଯିବାକୁ ଉଦ୍ୟମ ବେଳେ ଦିଲୀ୍ଲ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ମୃଣାଙ୍କକୁ ଗିରଫ କରାଯାଇଛି । ଠକ କ୍ରିକେଟର ଠକେଇ ନେଇ ତଦନ୍ତ ଚାଲିଥିବା ସୂଚନା ଦେଇଛି ଦିଲ୍ଲୀ ପୋଲିସ