ଲକ୍ଷ୍ମୀ ମାଝୀଙ୍କ ମୃତ୍ୟୁ ନେଇ ରାସ୍ତାକୁ ଓହ୍ଲାଇଲା ବିଜେପି । ମହିଳା ମୋର୍ଚ୍ଚାର ୬ ଘଣ୍ଟିଆ ରାୟଗଡ଼ା ବନ୍ଦ ପାଳନ

94

କନକ ବ୍ୟୁରୋ: ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ମା’ ଗୃହ ପରିଚାଳିକା ଆଦିବାସୀ ଯୁବତୀ ଲକ୍ଷ୍ମୀ ମାଝୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ରାସ୍ତାକୁ ଓହ୍ଲାଇଛି ଭାରତୀୟ ଜନତା ପାର୍ଟିର ମହିଳା ମୋର୍ଚ୍ଚ । ତଦନ୍ତ ପ୍ରକିୟାକୁ ତ୍ୱରାନ୍ୱିତ କରିବା ସହ ଦୋଷୀଙ୍କୁ ଗିରଫ କରିବା ଦାବିରେ ୬ ଘଣ୍ଟିଆ ବନ୍ଦ ପାଳନ କରିଛି ବିଜେପି । ମହିଳା ମୋର୍ଚ୍ଚର କର୍ମୀମାନେ ବିଭିନ୍ନ ସ୍ଥାନରେ ରାସ୍ତାରୋକ୍ କରିବା ସହ ବନ୍ଦ ପାଳନ କରିଛନ୍ତି ।

ଗତ ୨୧ ତାରିଖରେ ଚନ୍ଦ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଥିବା ମା’ ଗୃହ ଭିତରେ ଯୁବତୀଙ୍କ ଦରପୋଡ଼ା ମରଶରୀର ଉଦ୍ଧାର ହୋଇଥିଲା । ମୃତକ ଥିଲେ ଆଦିବାସୀ ଯୁବତୀ ଲକ୍ଷ୍ମୀ ମାଝୀ । ଦୀର୍ଘ ୫ ବର୍ଷ ହେବ ଏକ ସ୍ୱେଚ୍ଛାସେବୀ ସଂସ୍ଥାରେ କାର୍ଯ୍ୟରତ ଥିଲେ । ମୃତକ ଜଣଙ୍କ ଦିବ୍ୟାଙ୍ଗ ମଧ୍ୟ ଥିଲେ । ତେବେ ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ । ଲକ୍ଷ୍ମୀଙ୍କୁ ଶାରିରୀକ ଓ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ମଧ୍ୟ ପରିବାର ଲୋକ ଥାନାରେ ଅଭିଯୋଗ କରିଥିଲେ । ପୂର୍ବରୁ କାଶୀପୁର ଠାରେ ଏକ ଶୋଭାଯାତ୍ରା କରିଥିଲା ଜିଲ୍ଲା ଆଦିବାସୀ ମହାସଂଘ । ତେବେ ଘଟଣାକୁ ଆତ୍ମହତ୍ୟାର ରୁପ ଦିଆଯାଉଥିବା ଅଭିଯୋଗ କରିବା ସହ ଘଟଣାର ପ୍ରକୃତ କାରଣ ସାମ୍ନାକୁ ଆଣିବାକୁ ଦାବି ହୋଇଛି ।