ରାଜ୍ୟରେ ଦିନ ସାଢ଼େ ୨ଟା ସୁଦ୍ଧା ସିଝିଲା ଝାରସୁଗୁଡ଼ା । ପାରଦ ଡେଇଁଲା ୪୬ ଡିଗ୍ରୀ, ୪ ସହରରେ ମଧ୍ୟ ପାରା ଟପିଲା ୪୦ ଡିଗ୍ରୀ ।

283

କନକ ବ୍ୟୁରୋ: ରାଜ୍ୟରେ ପୁଣି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି । ଦିନ ସାଢ଼େ ୨ଟା ସୁଦ୍ଧା ୪୬ ଡିଗ୍ରୀ ଟପିଲା ତାପମାତ୍ରା । ସାଢ଼େ ୨ଟା ସୁଦ୍ଧା ୪୬.୬ ଡିଗ୍ରୀ ସହ ଜଳୁଛି ଝାରସୁଗୁଡ଼ା ସହର । ଅସହ୍ୟ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ । ଏପରିକି ୪୧ ଡିଗ୍ରୀ ଉପରେ ୪ ସହରର ତାପମାତ୍ରା ରେକର୍ଡ ହୋଇଥିବା ସୂଚନା ଦେଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସମ୍ବଲପୁରରେ ୪୫.୬, ହୀରାକୁଦରେ ୪୪.୫, ରାଉରକେଲାରେ ୪୩.୮ ଏବଂ କେନ୍ଦୁଝରରେ ୪୧.୪ ଡିଗ୍ରୀ ପାରଦ ରେକର୍ଡ ହୋଇଛି ।

ଏପଟେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଆସିଛି ଆଶ୍ୱସ୍ତିକର ଖବର । ସମୟ ପୂର୍ବରୁ କେରଳ ଛୁଇଁଛି ଦକ୍ଷୀଣ ପଶ୍ଚିମ ମୌସୁମୀ ବାୟୁ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦିଆଯାଇଛି । ମୌସୁମୀ ବାୟୁ ପ୍ରଭାବରେ କେରଳର ଅନେକ ଅଂଚଳରେ ବର୍ଷା ଆରମ୍ଭ ହୋଇଯାଇଛି । ପୂର୍ବରୁ ମେ ୩୦ରେ ମୌସୁମୀ କେରଳ ଛୁଇଁବା ନେଇ ଆକଳନ କରିଥିଲା ପାଣିପାଗ ବିଭାଗ । ତେବେ ଜୁନ ୧୨ ତାରିଖ ପରେ ଓଡ଼ିଶାରେ ମୌସୁମୀ ପହଁଚିବାର ସମ୍ଭାବନା ରହିଛି । ଚଳିତ ବର୍ଷ ଭଲ ବର୍ଷା ହେବା ନେଇ ମଧ୍ୟ ପୂର୍ବାନୁମାନ କରାଯାଇଛି । ଜୁନ ୧ରୁ ୩୧ ସେପ୍ଟେମ୍ବର ଯାଏ ୮୭ ସେଂଟିମିଟର ବର୍ଷା କରାଇଥାଏ ମୌସୁମୀ ବାୟୁ । ଚଳିତ ବର୍ଷ କିନ୍ତୁ ୧୦୬ ସେଂଟିମିର ବର୍ଷା ହେବାର ସମ୍ଭାବନା ରହିଛି । ଯାହା ଦେଶର କୃଷି କାର୍ଯ୍ୟ ପାଇଁ ଏଭ ଭଲ ଖବର ।