ଏସସିବି ହସ୍ପିଟାଲରେ ଅବ୍ୟବସ୍ଥା । ୮ଦିନ ହେଲା ଅଚଳ ଲିଫ୍ଟ! ଉପର ମହଲାକୁ ଯିବାକୁ ରୋଗୀ ହନ୍ତସନ୍ତ

120

କନକ ବ୍ୟୁରୋ: ବିଶ୍ୱସ୍ତରୀୟ ହସ୍ପିଟାଲ ହେଉଛି କଟକ ବଡ ମେଡିକାଲ । କୋଟି କୋଟି ଟଙ୍କା ଖର୍ଚ୍ଚରେ ଭିତ୍ତିଭୂମିର ଉନ୍ନତିକରଣ ଚାଲିଛି । ବଡ ବଡ କୋଠା ତିଆରି ଚାଲିଛି । ହେଲେ, ବଡ ମେଡିକାଲର ପିଛା ଛାଡୁନି ଅବ୍ୟବସ୍ଥା । କେତେବେଳେ ବିଜୁଳି କଟି ଯାଉଛି ତ ଆଉ କେତେବେଳେ ପାଣି ସମସ୍ୟା ଦେଖାଦେଉଛି । ଆଉ ଏବେ ନ୍ୟୁ ମେଡିସିନ୍ ୱାର୍ଡର ଲିଫ୍ଟ ଅଚଳ ଯୋଗୁଁ ହନ୍ତସନ୍ତ ହେଉଛନ୍ତି ରୋଗୀ ଓ ରୋଗୀ ସମ୍ପର୍କୀୟ ।

  • ୮ଦିନ ହେଲା ଅଚଳ ଲିଫ୍ଟ!
  • ଉପର ମହଲାକୁ ଯିବାକୁ ରୋଗୀ ହନ୍ତସନ୍ତ

ରାଜ୍ୟର ସବୁଠାରୁ ବଡ ଓ ନିର୍ଭର ଯୋଗ୍ୟ ହସ୍ପିଟାଲ କଟକ ଏସସିବି ମେଡିକାଲ । ରାତି ପାହିଲେ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଲୋକ ଏସସିବିକୁ ଚିକିତ୍ସା ପାଇଁ ଆସିଥାନ୍ତି । କିନ୍ତୁ ଏହି ବଡ ମେଡିକାଲ ନ୍ୟୁ ମେଡିସିନ୍ ୱାର୍ଡରେ ଲିଫ୍ଟ ଅଚଳ ଯୋଗୁଁ ଗୁରୁତର ରୋଗୀଙ୍କୁ ଷ୍ଟ୍ରେଚର ସହାୟତାରେ ସିଡି ଦେଇ ଉପରକୁ ନେଉଛନ୍ତି, ରୋଗୀ ସମ୍ପର୍କୀୟ । ଯେଉଁ ରୋଗୀଙ୍କ ସମ୍ପର୍କୀୟ ନାହାନ୍ତି ସେମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ରୋଗୀ ସମ୍ପର୍କୀୟଙ୍କ କହିବା କଥା ଦିନେ କି ଦୁଇ ଦିନ ନୁହେଁ ୮ଦିନ ହେଲା ଅଚଳ ରହିଛି ଲିଫ୍ଟ । ଅନ୍ୟପଟେ ଡାକ୍ତରଙ୍କ ପାଇଁ ଥିବା ଲିଫ୍ଟ ଡାକ୍ତରମାନେ ବ୍ୟବହାର କରୁଥିବାବେଳେ ଗୁରୁତର ରୋଗୀ ଏମିତି ବିପଦଜନକ ଭାବେ ଯିବା ପୂରା ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ମେଡିକାଲ ପ୍ରଶାସନିକ ଅଧିକାରୀ କହିଛନ୍ତି ୮ଦିନ ନୁହେଁ ୩ଦିନ ହେଲା ଲିଫ୍ଟ ଖରାପ ହୋଇଛି । ସ୍ପେୟାର ପାର୍ଟ୍ସ ନମିଳିବାରୁ ମରାମତି ବିଳମ୍ବ ହୋଇଛି । ଖୁବଶୀଘ୍ର ଠିକ୍ ହୋଇଯିବ ।
ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ଭଲ ସ୍ୱାସ୍ଥ୍ୟ ସୁବିଧା ଯୋଗାଇ ଦେବାକୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବାବେଳେ, ବଡ ମେଡିକାଲରୁ ବାରମ୍ବାର ଏଭଳି ଖବର ଆସିବା ଚିନ୍ତାର ବିଷୟ ।