ନିର୍ବାଚନ ଫଳାଫଳ ପୂର୍ବରୁ ନବୀନଙ୍କ ବଡ ବୟାନ । କହିଲେ, ବିଜେଡି ପୁଣିଥରେ ସରକାର ଗଢିବ ଏବଂ ଲୋକସଭାରେ ଭଲ ପ୍ରଦର୍ଶନ କରିବ । 

239

କନକ ବ୍ୟୁରୋ : ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଫଳାଫଳକୁ ନେଇ ବଡ ବୟାନ ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଚଳିତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିବ । ଓଡ଼ିଶାରେ ପୁଣିଥରେ ବିଜେଡି ଦୃଢ ସରକାର ଗଢିବ ବୋଲି କହିଛନ୍ତି ନବୀନ । ସେହିଭଳି ଲୋକସଭା ଆସନରେ ମଧ୍ୟ ବିଜେଡିର ପ୍ରଦର୍ଶନ ବେଶ ଭଲ ରହିବ ବୋଲି କହିଛନ୍ତି ବିଜେଡି ସୁପ୍ରିମୋ । ତେବେ କେତେ ଆସନ ବିଜେଡି ପାଇବ ତାହା ସ୍ପଷ୍ଟ କରିନାହାନ୍ତି ନବୀନ ।

କେବଳ ଏତିକି ନୁହେଁ, ନବୀନ କହିଛନ୍ତି ମୋ ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ଠିକ୍ ଅଛି । ମୁଁ ସମ୍ପୂର୍ଣ୍ଣ ଫିଟ୍ ଅଛି । ବିଜେପିର କିଛି ନେତା ୧୦ ବର୍ଷ ହେବ ମୋ ସ୍ୱାସ୍ଥ୍ୟକୁ ନେଇ ଅପପ୍ରଚାର କରୁଛନ୍ତି । ସେହିଭଳି ପ୍ରଧାନମନ୍ତ୍ରୀଙ୍କ ବୟାନକୁ ନେଇ ନବୀନ କହିଛନ୍ତି, ଯଦି ପ୍ରଧାନମନ୍ତ୍ରୀ ସତରେ ମୋ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ସତରେ ଚିନ୍ତିତ ତାହେଲେ ମୋତେ ଫୋନ୍ କରିପାରିଥାନ୍ତେ ଏବଂ ସ୍ୱାସ୍ଥ୍ୟବସ୍ଥା ବାବଦରେ ବୁଝିପାରିଥାନ୍ତେ । କାରଣ ପ୍ରଧାନମନ୍ତ୍ରୀଙ୍କ ସହ ମୋର ଭଲ ସମ୍ପର୍କ । କିନ୍ତୁ ଏହା କରିବା ପରିବର୍ତ୍ତେ  ଜନସଭାରେ ୩ଥର ମୋ ସ୍ୱାସ୍ଥ୍ୟ ଖରାପ ଥିବା କହିଲେ ।  ନିର୍ବାଚନରେ ଭୋଟ ପାଇବାକୁ ଏମିତି କରୁଛନ୍ତି ବୋଲି କହିଛନ୍ତି ନବୀନ ।

ଏହାସହ  ଭି.କେ ପାଣ୍ଡିଆନ ତାଙ୍କର ଉତରାଧିକାରୀ ନୁହଁନ୍ତି ବୋଲି କହିଛନ୍ତି ନବୀନ ପଟ୍ଟନାୟକ । ଉତରାଧିକାରୀ କିଏ ହେବେ ତାହା ରାଜ୍ୟବାସୀ ନିଷ୍ପତି ନେବେ । କାହିଁକି ଏମିତି ଅପପ୍ରଚାର କରାଯାଉଛି ତାହା ବୁଝିପାରୁନି । କାରଣ ପାଣ୍ଡିଆନ ନିର୍ବାଚନ ମଧ୍ୟ ଲଢୁନାହାନ୍ତି ବୋଲି କହିଛନ୍ତି ନବୀନ । ମୁଁ ସରକାରରେ ସବୁ ନିଷ୍ପତ୍ତି ନିଏ । ବିରୋଧୀ ଏଭଳି ଅଭିଯୋଗ ପୂର୍ବରୁ ମଧ୍ୟ ଆଣିଛନ୍ତି । ମୁଁ କ୍ୟାବିନେଟ ବୈଠକରେ ଅଧ୍ୟକ୍ଷତା କରେ । ଏମିତି କୌଣସି କ୍ୟାବିନେଟ ବୈଠକ ହୋଇନାହିଁ ଯେଉଁ ବୈଠକରେ ମୁଁ ଅଧ୍ୟକ୍ଷତା କରିନାହିଁ ବୋଲି କହିଛନ୍ତି ନବୀନ ।