ଟି-୨୦ ବିଶ୍ୱକପ ପୂର୍ବରୁ ଇଆନ ବିଶପଙ୍କ ଭବିଷ୍ୟବାଣୀ । ସେମିଫାଇନାଲ ଖେଳିବ ଭାରତ, କୁଳଦୀପ ନେବେ ସର୍ବାଧିକ ୱିକେଟ୍ ।

282

କନକ ବ୍ୟୁରୋ : ଆମେରିକା ଓ ୱେଷ୍ଟଇଣ୍ଡିଜରେ ଖେଳାଯିବ ଟି-୨୦ ବିଶ୍ୱକପ । ଟିମ୍ ଇଣ୍ଡିଆ ଗ୍ରୁପ୍ ଷ୍ଟେଜର ସବୁ ମ୍ୟାଚ୍ ଆମେରିକାରେ ଖେଳିବ । ଏଥିପାଇଁ ନ୍ୟୁୟର୍କରେ ପହଞ୍ଚି ସାରିଛି ଟିମ୍ ଇଣ୍ଡିଆ । ଏସବୁ ଭିତରେ ଟି-୨୦ ବିଶ୍ୱକପକୁ ନେଇ ଭବିଷ୍ୟବାଣୀ କରିଛନ୍ତି ୱେଷ୍ଟଇଣ୍ଡିଜର ପୂର୍ବତନ କ୍ରିକେଟର ଇଆନ ବିଶପ । ଟି-୨୦ ବିଶ୍ୱକପରେ ଇଂଲଣ୍ଡ ଅଧିନାୟକ ଜୋସ ବଟଲର ସର୍ବାଧିକ ସ୍କୋର କରିବେ ସେହିଭଳି କୁଳଦୀପଙ୍କ ବଲ ଅଧିକ ଟର୍ଣ୍ଣିଂ କରିବ ବୋଲି ବିଶପ ।

ଆଇପିଏଲ ୨୦୨୪ରେ ବଟଲର ଶତକୀୟ ଇନିଂସ ଖେଳିଥିବା ମଧ୍ୟ ପ୍ରଦର୍ଶନ ସେଭଳି ଆଖିଦୃଶିଆ ନଥିଲା । ତେବେ ପାକିସ୍ତାନ ବିପକ୍ଷରେ ଗର୍ଜିଥିଲା ବଟଲରଙ୍କ ବ୍ୟାଟ୍ । ତେଣୁ ଟି-୨୦ ବିଶ୍ୱକପରେ ବଟଲରଙ୍କ ପ୍ରଦର୍ଶନ କେମିତି ରହିବ ତାହା ଉପରେ ସମସ୍ତଙ୍କର ନଜର ରହିଛି । ସେହିଭଳି ବୋଲର ଭାବେ କୁଳଦୀପ ଯାଦବ ସର୍ବାଧିକ ୱିକେଟ ହାସଲ କରିବେ ବୋଲି କହିଛନ୍ତି ବିଶପ । ଆଇପିଏଲରେ ମଧ୍ୟ କୁଳଦୀପଙ୍କର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ୧୧ଟି ମ୍ୟାଚରୁ ୧୬ଟି ୱିକେଟ ହାତେଇଥିଲେ କୁଳଦୀପ ।

ସେହିଭଳି ଚଳିତ ଟି-୨୦ ବିଶ୍ୱକପରେ ସେମିଫାଇନାଲ ଖେଳିବାକୁ ଥିବା ୪ ଟିମ ମଧ୍ୟରେ ଟିମ୍ ଇଣ୍ଡିଆ ରହିବ ବୋଲି ଭବିଷ୍ୟବାଣୀ କରିଛନ୍ତି ବିଶପ । ଭାରତ ବ୍ୟତୀତ ୱେଷ୍ଟଇଣ୍ଡିଜ, ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟ ସେମିଫାଇନାଲ ଟିକେଟ ହାତେଇବେ ବୋଲି କହିଛନ୍ତି ବିଶପ । ଇଂଲଣ୍ଡ ୨୦୨୨ ଟି-୨୦ ବିଶ୍ୱକପ୍ ଜିତିଥିବା ବେଳେ ଅଷ୍ଟ୍ରେଲିଆ ୨୦୨୧ରେ ଟାଇଟଲ ହାତେଇଥିଲା । ସେହିଭଳି ଭାରତ ଟି-୨୦ ବିଶ୍ୱକପର ପ୍ରଥମ ସଂସ୍କରଣରେ ବିଶ୍ୱ ଚାମ୍ପିୟନ ହୋଇଥିଲା ।

ଆସନ୍ତା ଜୁନ୍ ୧ ତାରିଖରୁ ଆରମ୍ଭ ହେବ ଟି-୨୦ ବିଶ୍ୱକପ୍ । ପ୍ରଥମ ମୁକାବିଲା କାନାଡା ଓ ଆମେରିକା ମଧ୍ୟରେ ଖେଳାଯିବ । ଜୁନ୍ ୫ରେ ଆୟରଲାଣ୍ଡ ବିପକ୍ଷରେ ମ୍ୟାଚ୍ ସହ ନିଜର ବିଶ୍ୱକପ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ ।