ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଢିଲା ନେଇ ଯୋଗୀଙ୍କ ବୟାନ, ପଞ୍ଜାବ ସରକାର କ୍ଷମା ମାଗିବାକୁ ଦାବି

214

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ପଞ୍ଜାବର ଫିରୋଜପୁର ଠାରେ ରାଲି କରିବାର କାର୍ଯ୍ୟକ୍ରମ ଥିଲା । ହେଲେ ଏହି କାର୍ଯ୍ୟକ୍ରମକୁ ଶେଷ ସମୟରେ ବାତିଲ କରାଯାଇଛି । ସୁରକ୍ଷା କାରଣରୁ ଏହି ରାଲିକୁ ରଦ୍ଦ କରାଯାଇଥିବା କଥା କୁହାଯାଉଛି । ଏନେଇ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ କହିଛନ୍ତି କି ଏଭଳି ଭୂଲ ପାଇଁ ପଞ୍ଜାବ ସରକାର କ୍ଷମା ମାଗିବାର ଆବଶ୍ୟକତା ରହିଛି ।

ଯୋଗୀ କହିଛନ୍ତି କି ପଞ୍ଜାବର କଂଗ୍ରେସର ସରକାରଙ୍କ ଦ୍ୱାରା ଏହା ଏକ ଅକ୍ଷମଣୀୟ ଅପରାଧ ଅଟେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଘଟିଥିବା ଏଭଳି ଘଟଣାକୁ ନେଇ କଂଗ୍ରେସ ଓ ପଞ୍ଜାବ ସରକାର ଦେଶବାସୀଙ୍କ ଆଗରେ କ୍ଷମା ମାଗିବା ଦରକାର ବୋଲି ସେ ମତ ଦେଇଛନ୍ତି । ଏହାସହ ଦେଶର ଜନତା କଂଗ୍ରେସର ଏଭଳି କାର୍ଯ୍ୟପାଇଁ କ୍ଷମା ଦେବେ ନାହିଁ ବୋଲି ଯୋଗୀ କହିବା ସହ କଂଗ୍ରେସ ଦେଶର ସାମ୍ବିଧାନିକ ସଂସ୍ଥାକୁ ଅବମାନନା କରୁଛି ବୋଲି କହିଛନ୍ତି ।

କହିରଖୁ କି କୃଷି ଆଇନ ରଦ୍ଦ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଏହା ପ୍ରଥମ ପଞ୍ଜାବ ଗସ୍ତ । ଏହି ଗସ୍ତ ବେଳେ ସେ ଏକ ଜନସଭାକୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ଥିଲା । ଏହାସହ ରାଲିରେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ବି ଯୋଗ ଦେବାର ଥିଲା ।

ରାଲି ବାତିଲ ହେବା ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମଣ୍ଡାଭିଆ କହିଛନ୍ତି କି “କୌଣସି କାରଣରୁ ପ୍ରଧାନମନ୍ତ୍ରୀ ଆମ ଗହଣରେ ପହଂଚିପାରିଲେ ନାହିଁ , ହେଲେ ପ୍ରଧାନମନ୍ତ୍ରୀ କହିଛନ୍ତି କି ମୁଁ ଏହି କାର୍ଯ୍ୟକ୍ରମକୁ ରଦ୍ଦ ନୁହେଁ ବରଂ ସ୍ଥଗିତ କରିଛି ” ଅନ୍ୟପଟେ ସୁରକ୍ଷା ଢିଲା କାରଣରୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଛି ବୋଲି କେନ୍ଦ୍ର ଗୃହମନ୍ତ୍ରଣାଳୟ ବୟାନ ଜାରି କରିଛି ।