ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ରାଜ୍ୟରେ ବନ୍ଦ ରହିବ ଅଫଲାଇନ୍ କ୍ଲାସ୍ । ୮ ତାରିଖ ପର୍ଯ୍ୟନ୍ତ ଜାରି ରହିବ ମାଟ୍ରିକ ସମେଟିଭ୍ ପରୀକ୍ଷା

1,096

କନକ ବ୍ୟୁରୋ: ରାଜ୍ୟରେ ବଢୁଥିବା ସଂକ୍ରମଣକୁ ଦେଖି କୋଭିଡ୍ ନିୟମକୁ କଡାକଡି କରିଛନ୍ତି ରାଜ୍ୟ ସରକାର । ନାଇଟ୍ କର୍ଫ୍ୟୁ ସମୟରେ ପରିବର୍ତ୍ତନ କରିବା ସହିତ ଏବେ ଶିକ୍ଷାନୁଷ୍ଠାନକୁ ନେଇ ମଧ୍ୟ ନିୟମ କଡା କରିଛନ୍ତି ରାଜ୍ୟ ସରକାର । ଏସଆରସିଙ୍କ ସୂଚନା ଅନୁସାରେ ରାଜ୍ୟର ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ କ୍ଲାସ୍ ବନ୍ଦ ରହିବ । କେବଳ ଅନଲାଇନ୍ ଯୋଗେ ପିଲାମାନେ ପାଠ ପଢିପାରିବେ ।

ତେବେ ରାଜ୍ୟରେ ମାଟ୍ରିକ ପିଲାଙ୍କ ସମ୍ମେଟିଭ୍ ପରୀକ୍ଷା ଚାଲିଥିବାରୁ ଏହି ପରୀକ୍ଷା ପୂର୍ବ ନିର୍ଦ୍ଦାରିତ ସୂଚନା ଅନୁସାରେ ଚାଲିବ । ଏଥିରେ କୌଣସି ପ୍ରକାର ପରିବର୍ତ୍ତନ ହେବ ନାହିଁ । ହେଲେ ରାଜ୍ୟରେ ଖୋଲାଥିବା ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ କ୍ଲାସକୁ ସରକାର ପୁଣି ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ତତ୍ ସହିତ ଛୋଟ୍ ଛୋଟ୍ ଗ୍ରୁପ୍ କରି ପିଲାଙ୍କ ଡାଉଟ୍ କ୍ଲିୟରିଂ କ୍ଲାସ୍ କରିବାକୁ କହିଛନ୍ତି ଏସଆରସି ପ୍ରଦୀପ ଜେନା ।

ଅନ୍ୟପଟେ ଏଣିକି ରାତି ୧୦ଟା ପରିବର୍ତ୍ତେ ରାତି ୯ଟାରୁ ରାଜ୍ୟର ସମସ୍ତ ସହରାଞ୍ଚଳରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ତେବେ ରାଜ୍ୟର ସମସ୍ତ ସହରାଞ୍ଚଳରେ ରାତି ୯ଟାରୁ ଏହି ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇ ସକାଳ ୫ଟା ଯାଏଁ ବଳବତ୍ତର ରହିବ । ରାଜ୍ୟରେ ଓମିକ୍ରନର ବଢୁଥିବା ସଂକ୍ରମଣ ଦେଖି ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ତା ସହିତ ଏଣିକି କେବଳ ୧୦୦ ଲୋକଙ୍କୁ ନେଇ ରାଜ୍ୟରେ ବିବାହ ଓ ବ୍ରତଘର ହେବ । ଏବଂ ୫୦ ଲୋକଙ୍କୁ ନେଇ ଅନ୍ତ୍ୟେଷ୍ଟି କ୍ରିୟା ସମାପନ ହେବ । ସେହିପରି ମାତ୍ର ୧ ହଜାର ଲୋକଙ୍କୁ ନେଇ ରାଜ୍ୟରେ ଯାତ୍ରା କରିବେ କଳାକାର । ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଖୋଲିବ ସରକାରୀ ଅଫିସ । ଫିଲ୍ମ ହଲ୍ ମଧ୍ୟ ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ରାଜ୍ୟର ସମସ୍ତ ଫିଲ୍ମ ହଲ୍ ଖୋଲାରହିବ ବୋଲି ଏସଆରସି ସୂଚନା ଦେଇଛନ୍ତି ।