ଚୀନକୁ ସୁରକ୍ଷା ଦେଇପାରିବନି ଏସ୍-୪୦୦, ଭାରତର ବ୍ରହ୍ମୋସ କରିଦେବ ଧ୍ୱସ୍ତବିଧ୍ୱସ୍ତ । ଡ୍ରାଗନ ବାହିନୀ ପାଇଁ ଆତଙ୍କ ଭାରତର ବ୍ରହ୍ମାସ୍ତ୍ର ।

356

କନକ ବ୍ୟୁରୋ : କାମ ଦେବନି ଚୀନର ସୁରକ୍ଷାକବଚ, ଡ୍ରାଗନବାହିନୀକୁ ଧ୍ୱସ୍ତବିଧସ୍ତ କରିଦେବ ଭାରତର ବ୍ରହ୍ମାସ୍ତ୍ର ବ୍ରହ୍ମୋସ । ଥରେ ଟାର୍ଗେଟ ସେଟ୍ ହେବା ମାତ୍ରେ ଏହାକୁ ଅଟକାଇବା ମୁସ୍କିଲ । ଶତ୍ରୁର ସଂହାର କରିବା ପରେ ହିଁ ଶାନ୍ତ ହେବ ବ୍ରହ୍ମୋସ । ତେବେ ଚୀନର ସୁରକ୍ଷାକବଚ କୁହାଯାଉଥିବା ଏସ୍-୪୦୦ ସୁରକ୍ଷାପ୍ରଣାଳୀ ବ୍ରହ୍ମୋସକୁ ମଧ୍ୟ ଅଟକାଇପାରିବନି । କାରଣ ଭାରତର ସବୁଠୁ ଦ୍ରୁତଗାମୀ କ୍ରୁଜ୍ ମିସାଇଲକୁ ଅଟକାଇବା ଚୀନର ଏସ-୪୦୦ ପକ୍ଷେ ସମ୍ଭବ ନୁହେଁ । ଏଭଳି କିଛି ବୟାନ ଦେଇଛନ୍ତି ବ୍ରହ୍ମୋସ ଏରୋସ୍ପେଶର ସିଇଓ ତଥା ଏମଡି ଅତୁଲ ଦିନକର ରାଣେ । ଏସ-୪୦୦ ବିଶ୍ୱର ସବୁଠୁ ଅତ୍ୟାଧୁନିକ ସୁରକ୍ଷାପ୍ରଣାଳୀ ହୋଇଥାଇପାରେ କିନ୍ତୁ ବ୍ରହ୍ମୋସକୁ ଅଟକାଇବାରେ ମାତ୍ ଖାଇଯିବ ।

ବ୍ରହ୍ମୋସ ହେଉଛି ଏକ ସୁପରସୋନିକ କ୍ରୁଜ ମିସାଇଲ । ଏହା ବାଲାଷ୍ଟିକ ମିସାଇଲ ଠାରୁ ସମ୍ପୂର୍ଣ୍ଣ ଅଲଗା । ତେବେ ଚୀନ୍ ପାଖରେ ଥିବା ଏସ-୪୦୦ ଡିଫେନ୍ସ ସିଷ୍ଟମ ଖାସକରି ବାଲାଷ୍ଟିକ ମିସାଇଲକୁ ନଷ୍ଟ କରିବାକୁ ନିର୍ମାଣ କରାଯାଇଛି । ବାଲାଷ୍ଟିକ ମିସାଇଲ ଭିନ୍ନ ଉପାୟରେ ଅପରେଟ ହୋଇଥାଏ । ତେଣୁ ଏହାକୁ ଆକାଶପଥରେ ଧ୍ୱଂସ କରିବା ଏସ-୪୦୦ ପାଇଁ ସହଜ ହୋଇଥାଏ । କିନ୍ତୁ ବ୍ରହ୍ମୋସ ମିସାଇଲର ଦ୍ରୁତ ଗତି ପାଇଁ ଏହାକୁ ଧ୍ୱଂସ କରିବା ଏକପ୍ରକାର ଅସମ୍ଭବ । ଯେକୌଣସି ସ୍ଥାନରୁ ଏସ-୪୦୦ ଡିଫେନ୍ସ ସିଷ୍ଟମ ଜରିଆରେ ବ୍ରହ୍ମୋସକୁ ଅଟକାଇବା ଅସମ୍ଭବ ବ୍ୟାପାର ।

କ୍ରୁଜ ମିସାଇଲ ବ୍ରହ୍ମୋସ ଜେଟ ଇଞ୍ଜିନ ଦ୍ୱାରା ଶକ୍ତି ହାସଲ କରିବା ସହ ଉଡାଣ ଭରିଥାଏ । ଯାହାଫଳରେ ସୁପରସୋନିକ ଗତିରେ ଏହା ଟାର୍ଗେଟ ଆଡକୁ ବଢିଥାଏ । ସେହିଭଳି ବାଲାଷ୍ଟିକ ମିସାଇଲ ରକେଟ ଇଞ୍ଜିନ ଦ୍ୱାରା ଉଡାଣ ଭରିଥାଏ । କ୍ରୁଜ ମିସାଇଲ ମୁଖ୍ୟତଃ ୩ ପ୍ରକାରର ହୋଇଥାଏ । ପ୍ରଥମତଃ ସବସୋନିକ କ୍ରୁଜ ମିସାଇଲ । ଯାହା ଘଣ୍ଟାପ୍ରତି ୯୮୭ କିଲୋମିଟର ବେଗରେ ଟାର୍ଗେଟ ଆଡକୁ ବଢିଥାଏ । ଦ୍ୱିତୀୟତଃ ସୁପରସୋନିକ ମିସାଇଲ । ଯାହା ଘଣ୍ଟା ପ୍ରତି ୨୪୬୯ କିଲୋମିଟରରୁ ୩୭୦୪ କିଲୋମିଟର ବେଗରେ ଟାର୍ଗେଟ ଆଡକୁ ଗତି କରିଥାଏ । ତୃତୀୟ କ୍ରୁଜ୍ ମିସାଇଲ ହେଉଛି ହାଇପରସୋନିକ । ଏହି ମିସାଇଲ ଘଣ୍ଟାପ୍ରତି ୬୧୦୦ କିଲୋମିଟରରୁ ଅଧିକ ବେଗରେ ଗତି କରିବା ଆଖିପିଛୁଳାକେ ଶତ୍ରୁକୁ ସଂହାର କରିଥାଏ । ଯାହାକୁ ଏତେ ସହଜରେ ଧରିପାରେନି କୌଣସି ରାଡାର । ଶତ୍ରୁ ପକ୍ଷ କିଛି ଭାବିବା ପୂର୍ବରୁ ହାଇପରସୋନିକ କ୍ରୁଜ୍ ମିସାଇଲ ସବୁକିିଛି ଶେଷ କରିଦେଇଥାଏ ।
ସବୁଠୁ ବଡ କଥା ହେଲା ବ୍ରହ୍ମୋସ ମିସାଇଲ ଆକାଶପଥରେ ନିଜର ଟାର୍ଗେଟ ବଦଳାଇବାରେ ସକ୍ଷମ । ବ୍ରହ୍ମୋସର ଏହି ଫିଚର ଶତ୍ରୁ ପକ୍ଷର ନିଦ ହଜାଇଦିଏ । ମାତ୍ର ୧୦ ମିଟର ଉଚ୍ଚତାରେ ବି ଉଡିବାକୁ ସକ୍ଷମ ଥିବା ବ୍ରହ୍ମୋସ ମିସାଇଲ ଶତ୍ରୁର ରାଡାରରେ ସହଜରେ ଧରାପଡିନଥାଏ । ଏହି ମିସାଇଲ ୧୨୦୦ ୟୁନିଟର ଉର୍ଜା ସୃଷ୍ଟି କରିଥାଏ । ତେଣୁ ଯେକୌଣସି ଟାର୍ଗେଟକୁ ଏହା ଧ୍ୱଂସ କରିବାରେ ସକ୍ଷମ । ବିଶ୍ୱର ଏହା ଏକମାତ୍ର କ୍ରୁଜ ମିସାଇଲ ଯାହାକୁ ଆକାଶପଥ, ସ୍ଥଳପଥ ଓ ଜଳପଥରୁ ଶତ୍ରୁ ଶିବିରକୁ ଟାର୍ଗେଟ କରାଯାଇପାରିବ ।

ଋଷ ଠାରୁ ଉଭୟ ଭାରତ ଓ ଚୀନ୍ ଏସ-୪୦୦ ଡିଫେନ୍ସ ସିଷ୍ଟମ କିଣିଛନ୍ତି । ଭାରତ ପାଖରେ ଯେଉଁ ଡିଫେନ୍ସ ସିଷ୍ଟମ ରହିଛି ତାହା ୬୦୦ କିଲୋମିଟର ରାଡାର ମଧ୍ୟରେ ଟାର୍ଗେଟକୁ ନଷ୍ଟ କରିପାରିବ । ଏପରିକି ଏଥିରେ ସଂଯୋଗ ଥିବା ମିସାଇଲର ମାରକ କ୍ଷମତା ୪୦୦ କିଲୋମିଟର ରହିଛି । ସେହିଭଳି ଚୀନ୍ ପାଖରେ ଥିବା ଏସ-୪୦୦ ଡିଫେନ୍ସ ସିଷ୍ଟମର ମାରକ କ୍ଷମତା ମାତ୍ର ୩୦୦ କିଲୋମିଟର ରହିଛି । ଯେଉଁଥିପାଇଁ ବ୍ରହ୍ମୋସ ଭଳି କ୍ରୁ୍ଜ ମିସାଇଲକୁ ଚୀନର ଏସ-୪୦୦ ଡିଫେନ୍ସ ସିଷ୍ଟମ ଅଟକାଇବା ସମ୍ଭବ ନୁହେଁ । କାରଣ ଶବ୍ଦର ଗତି ଠାରୁ କେଇଗୁଣା ଅଧିକ ଗତିରେ ଟାର୍ଗେଟ ଆଡକୁ ବଢିଥାଏ ବ୍ରହ୍ମୋସ ।