ଦୁବାଇରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ: କାଲି ଦୁବାଇରେ ଇନଭେଷ୍ଟମେଂଟ ମିଟ୍

109

କନକ ବ୍ୟୁରୋ: ବୁଧବାରଦିନ ଦୁବାଇରେ ଆୟୋଜିତ ହେବାକୁ ଯାଉଛି ଇନଭେଷ୍ଟର୍ସ ସମ୍ମିଳନୀ । ଏହି ସମ୍ମିଳନୀ ଉପରେ ଓଡିଶାର ଆଶା ଅନେକ ରହିଛି । ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦେଶ ଓ ବିଦେଶର ନିବେଶକଙ୍କ ସହ ପୁଞ୍ଜିନିବେଶ ନେଇ କରିବେ ଆଲୋଚନା । ସମ୍ମିଳନୀରେ ଦେଶର ଜଣାଶୁଣା ଶିଳ୍ପପତି ସାମିଲ ହେବାକୁ ଯାଉଛନ୍ତି । ହିଣ୍ଡାଲକୋ,ଆଦାନି, ଜେଏସଡବ୍ଲୁ, ଜେଏସପିଏଲ୍, ମିତ୍ତଲ, ଟାଟା, ଇମ୍ଫାର ପ୍ରତିନିଧି ସାମିଲ ହେବେ । ପୁଞ୍ଜିନିବେଶ ନେଇ ଓଡିଶାରେ କଣ ରହିଛି ବାତାବରଣ ସେ ନେଇ ନିବେଶକଙ୍କୁ ସମ୍ବୋଧିତ କରିବେ ।

କରୋନା ପରେ ଦେଶ ଓ ରାଜ୍ୟର ଆର୍ଥିକ ସ୍ଥିତି ମାନ୍ଦାବସ୍ଥା ଦେଇ ଗତି କରୁଛି । ତେଣୁ ଅର୍ଥନୀତିକୁ ଟ୍ରାକକୁ ଆଣିବା ପାଇଁ ରାଜ୍ୟ ସରକାର ଜୋରଦାର ପ୍ରୟାସ ଆରମ୍ଭ କରିଛନ୍ତି । ଏହି ଦୁବାଇ ସମ୍ମିଳନୀ ରାଜ୍ୟ ପାଇଁ ବୁଷ୍ଟର ଡୋଜ ସାବ୍ୟସ୍ତ ହେବ ବୋଲି କୁହାଯାଉଛି । କେଉଁ କେଉଁ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦିଆଯିବ, ସେ ନେଇ ବ୍ଲ ପ୍ରିଂଟ ପ୍ରସ୍ତୁତ ହୋଇଛି ।

– ପେଟ୍ରୋକେମିକାଲ୍ସ, ପ୍ଲାଷ୍ଟିକ, ଖାଦ୍ୟ ପ୍ରକ୍ରିୟାକରଣ, ଟେକ୍ସଟାଇଲ, ପର୍ଯ୍ୟଟନ କ୍ଷେତ୍ର ଉପରେ ଫୋକସ୍
– ଶିଳ୍ପସ୍ଥାପନ ପାଇଁ ଓଡିଶା ଏକ ଅନୁକୂଳ ସ୍ଥାନ ବୋଲି ସମ୍ବୋଧନ କରିବେ ନବୀନ
– ପୁଞ୍ଜିନିବେଶ ପାଇଁ ଥିବା ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା, ଜମି ଯୋଗାଣରେ ସୁବିଧା ସମ୍ପର୍କରେ ରଖିବେ ମତ

ସମ୍ମିଳନୀ ପରେ ବିଦେଶରୁ ପୁଞ୍ଜି ଆସିବ ବୋଲି ବିଜେଡି କହିଥିବାବେଳେ ବିଜେପି କିନ୍ତୁ ଭିନ୍ନ କଥା କହିଛି । ୨୦୧୬ରୁ ରାଜ୍ୟରେ ଶିଳ୍ପ କରିଡର ପ୍ରତିଷ୍ଠା କରିବା ପାଇଁ ଜୋରଦାର ଉଦ୍ୟମ କରୁଛନ୍ତି ସରକାର । ଏଥିପାଇଁ ଆରମ୍ଭ ହୋଇଥିଲା ମେକ ଇନ ଓଡିଶା କାର୍ଯ୍ୟକ୍ରମ । ରାଜ୍ୟ ବାହାରେ ବି ରୋଡ ଶୋ କରାଯାଇଥିଲା । ମେକ ଇନ ଓଡିଶା କାର୍ଯ୍ୟକ୍ରମରେ ପ୍ରାୟ ୩ ଲକ୍ଷ କୋଟିରୁ ଅଧିକ ଟଙ୍କାର ପ୍ରସ୍ତାବ ଆସିଥିଲା । ଏହା ଭିତରେ ଅନେକ ପୁଞ୍ଜିନିବେଶକାରୀ ମୁହଁ ଫେରାଇନେଇଛନ୍ତି । ତେଣୁ ଦୁବାଇ ସମ୍ମିଳନୀ ପରେ କେତେ ପୁଞ୍ଜିନିବେଶକାରୀ ଓଡିଶା ଆସୁଛନ୍ତି ତା ଉପରେ ସମସ୍ତଙ୍କ ନଜର ରହିଛି ।