ଅନାସ୍ଥା ପ୍ରସ୍ତାବ ପାଇଁ ବିଦ୍ରୋହୀଙ୍କ ପ୍ରସ୍ତୁତି, ସରକାର ଗଢିବାକୁ ବିଜେପିର ପ୍ରୟାସ

199

କନକ ବ୍ୟୁରୋ : ମହାରାଷ୍ଟ୍ରରେ ଦେଖାଦେଇଥିବା ରାଜନୈତିକ ବିବାଦରେ ସୁପ୍ରିମକୋର୍ଟଙ୍କ ରାୟ ମହାବିକାଶ ଅଘାଡ଼ି ସରକାରଙ୍କ ପାଇଁ ଅଢୁଆ ବଢାଇଛି । ବିଦ୍ରୋହୀ ବିଧାୟକଙ୍କ ପଦବୀ ରଦ୍ଦ ନିଷ୍ପତିକୁ କୋର୍ଟ ଆସନ୍ତା ୧୧ ତାରିଖ ଯାଏ ଘୁଂଚାଇ ଦେବା ପରେ ସିନ୍ଦେ ଗୋଷ୍ଠୀ ଉଦ୍ଧବ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି । ଏଥିପାଇଁ ବିଦ୍ରୋହୀ ନେତା ଏକନାଥ ସିନ୍ଦେ ଆଇନଜୀବୀଙ୍କ ସହ କଥା ହୋଇଛନ୍ତି । କୋର୍ଟଙ୍କ ରାୟକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ରାଜ୍ୟପାଳ ଫ୍ଲୋର ଟେଷ୍ଟ କରାନ୍ତୁ ବୋଲି ବିଦ୍ରୋହୀ ବିଧାୟକମାନେ କହିଛନ୍ତି । ତେଣୁ ରାଜ୍ୟପାଳ ସପ୍ତାହ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିବାକୁ କହିପାରନ୍ତି । ଏପଟେ ଶିବସେନାର ବିଦ୍ରୋହୀ ବିଧାୟକଙ୍କ ସହ ମିଶି ରବିବାର ସୁଦ୍ଧା ସରକାର ଗଢିବାକୁ ପ୍ରସ୍ତୁତ ହେଉଛି ବିଜେପି । ଆଜି ବିଜେପି ନେତା ତଥା ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସ୍ ଦିଲ୍ଲୀ ଯାଇ ଗୃହମନ୍ତ୍ରୀ ଅମିତ ଶାହ ଏବଂ ଜେ.ପି ନଡ୍ଡ୍ାଙ୍କୁ ଭେଟିଛନ୍ତି ।

ଗୌହାଟିରେ ଏକନାଥ ସିନ୍ଦେଙ୍କ କ୍ୟାମ୍ପର ଥିବା ୧୫ରୁ ୨୦ ବିଧାୟକଙ୍କ ସହ ଉଦ୍ଧବ ଠାକରେ ଯୋଗାଯୋଗରେ ଥିବା ଆଦିତ୍ୟ ଠାକରେ ଦାବି କରୁଥିବା ବେଳେ ଏହାର ଯବାବ ଦେଇଛନ୍ତି ଏକନାଥ ସିନ୍ଦେ । ତାଙ୍କ ପାଖରେ ୫୦ ବିଧାୟକଙ୍କ ସମର୍ଥନ ଅଛି, ଯେଉଁମାନେ ନିଜ ଇଛା ଏବଂ ଖୁସୀରେ ଆସିଛନ୍ତି, ଯଦି ସେମାନେ କହୁଛନ୍ତି ଯୋଗାଯୋଗରେ ଅଛନ୍ତି, ତେବେ ସେମାନଙ୍କ ନାଁ ପ୍ରକାଶ କରନ୍ତୁ ବୋଲି ଚ୍ୟାଲେଞ୍ଜ କରିଛନ୍ତି ସିନ୍ଦେ । ତେବେ ଖୁବଶିଘ୍ର ସେମାନେ ମୁମ୍ବାଇ ଆସିବେ ବୋଲି କହିଛନ୍ତି ଏହି ବିଦ୍ରୋହୀ ବିଧାୟକଙ୍କ ନେତା । ଏପଟେ ସଙ୍କଟରେ ଥିବା ଏମଭିଏ ସରକାରର ନୂଆ କ୍ୟାବିନେଟର ଆଜି ପ୍ରଥମ ବୈଠକ ଡକାଇଛନ୍ତି ଉଦ୍ଧବ ଠାକରେ । ବୈଠକରେ ସରକାରର ଆଗାମୀ କାର୍ଯ୍ୟପନ୍ଥା ନେଇ କୌଣସି ବଡ ନିଷ୍ପତି ନିଆଯାଇପାରେ ।

ଶିବସେନାର ବିବାଦରୁ ଫାଇଦା ଉଠାଇବାକୁ ଚେଷ୍ଟା କରୁଥିବା ବିଜେପି କହିଛି, ଯିଦି ବିଦ୍ରୋହୀ ଶିବସେନା ବିଧାୟକଙ୍କ ତରଫରୁ ମହାରାଷ୍ଟ୍ରରେ ସରକାର ଗଢିବା ପାଇଁ କୌଣସି ପ୍ରସ୍ତାବ ଆସେ, ତେବେ ସେମାନେ ଏହା ଉପରେ ବିଚାର କରିବେ ।
ବ୍ୟୁରୋ ରିପୋର୍ଟ କନକ ନ୍ୟୁଜ୍