ଓଡିଶାରୁ ଚୀନ, ଜାପାନ ଓ ଆଫ୍ରିକାକୁ ଚାଲାଣ ହେଉଛି ହାତୀ ଦାନ୍ତ: ବେଧଡକ ଭାବରେ ହାତୀଙ୍କୁ ମାରୁଛନ୍ତି ଶିକାରୀ

85

କନକ ବ୍ୟୁରୋ: ମାଟି ତଳୁ ପୁଣି ମିଳିଲା ହାତୀ କଙ୍କାଳ । ଆଠଗଡ ବନାଚଂଳ ବଡମ୍ବା ରେଂଜ ମଣ୍ଡପ ସଂରକ୍ଷିତ ଜଙ୍ଗଲରୁ ଉଦ୍ଧାର ହୋଇଛି ଏହି ହାତୀ କଙ୍କାଳ । ଗୋଟିଏ ବନାଚଂଳରୁ ୫ଟି ହାତୀ କଙ୍କାଳ ମିଳିବା ପରେ ଏବେ ବନବିଭାଗର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି । ଏହି ମୃତ ହାତୀ ଗୁଡିକର ବୟସ ୧୦ରୁ ୧୫ ବର୍ଷ ଭିତରେ ହୋଇଥିବା ଓ ଏମାନଙ୍କୁ ପ୍ରାୟ ଏକ ବର୍ଷରୁ ଦୁଇ ବର୍ଷ ତଳେ ମାରି ପୋତିଦିଆଯାଇଥିବା କହିଛନ୍ତି ଡାକ୍ତର ।

ସାତକୋଶିଆ ଜିଲିଣ୍ଡା ବନାଚଂଳ ରେଞ୍ଜର ହରିଶ୍ଚନ୍ଦ୍ର ପ୍ରଧାନ । ଆଠଗଡ ବନାଚଂଳକୁ ଲାଗି ରହିଥିବା ଜିଲିଣ୍ଡାରୁ ହାତୀ କଙ୍କାଳ ମିଳିବା ଘଟଣାରେ ହରିଶ୍ଚନ୍ଦ୍ରଙ୍କ ସହ ଦୁଇ ଜଣ ଫରେଷ୍ଟର ନିଲମ୍ବିତ ହୋଇଛନ୍ତି । ନରସିଂହପୁରରୁ ମିଳିଥିବା କଙ୍କାଳ ଘଟଣାରେ ମଧ୍ୟ ୯ ଜଣ ଶୀକାରୀ ଓ ବନ କର୍ମଚାରୀ ଗିରଫ ହୋଇଥିବା ବେଳେ ଫରେଷ୍ଟର ମନୋଜ ଦାସଙ୍କ ଓ ଅନ୍ୟ ଜଣେ କାର୍ଯ୍ୟାଳୟ ପାଚେରୀ ଡେଇଁ ଫେରାର ହୋଇ ଯାଇଛନ୍ତି । ଯାହା ସ୍ପଷ୍ଟ କରୁଛି ବନ କର୍ମଚାରୀଙ୍କ ସହ ମିଶି ହାତୀକୁ ମାରୁଛନ୍ତି ଶୀକାରୀ । କୁହାଯାଉଛି

– ବନ କର୍ମଚାରୀ ହାତୀର ଅବସ୍ଥିତି ବିଷୟରେ ଶୀକରୀଙ୍କୁ ସୂଚନା ପ୍ରଦାନ କରୁଛନ୍ତି
– ଏଥିପାଇଁ ଶୀକାରୀଙ୍କଠାରୁ ମୋଟା ଅଙ୍କର ଅର୍ଥ ନେଉଛନ୍ତି ଏହି କର୍ମଚାରୀ
– ଶୀକାରୀ ହାତୀର ଦାନ୍ତ କାଟି ନେବା ପରେ ବନ କର୍ମଚାରୀ ହାତୀର ମୃତଦେହକୁ ଜଙ୍ଗଲରେ ପୋତି ଦେଉଛନ୍ତି

ହାତୀମୃତ୍ୟୁ ଘଟଣାରେ କେନ୍ଦ୍ର ଜଙ୍ଗଲ ମନ୍ତ୍ରାଳୟ ହସ୍ତକ୍ଷେପ କରିବା ପରେ ରାଜ୍ୟ ସରକାର ଏବେ ଏସଆଇଟି ଗଠନ କରି ତଦନ୍ତ ଆରମ୍ଭ କରିଛନ୍ତି । ଓଡିଶାରୁ ହାତୀ ଦାନ୍ତ ଚୀନ, ଜାପାନ ଓ ଆଫ୍ରିକା ଭଳି ଦେଶକୁ ଚାଲାଣ କରାଯାଉଥିବା କହିଛନ୍ତି ପିସିସିଏଫ । ହାତୀ ମୃତ୍ୟୁ ପାଇଁ ଦାୟୀ ଅଧିକାରୀଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ସେ କହିଛନ୍ତି ।

କ୍ରାଇମବ୍ରାଂଚ ଏସଟିଏଫର ଉଦ୍ୟମ ଯୋଗୁ ଏହି କେଳେଙ୍କାରୀ ପଦାକୁ ଆସିଥିବା ବେଳେ, ବନବିଭାଗ କିନ୍ତୁ ଏପର୍ଯ୍ୟନ୍ତ ହାତୀ ମୃତ୍ୟୁର ଏହି ପ୍ରସଙ୍ଗରେ ବେପରୁଆ ମନୋଭାବ ପୋଷଣ କରିଆସିଛି । କେବଳ କିଛି ତଳ ତଳିଆ କର୍ମଚାରୀଙ୍କ ମୁଣ୍ଡରେ ଦୋଷ ଲଦି ଖସିଯିବାକୁ ଉଦ୍ୟମ କରିଛି । ତେଣୁ ଏହି ହାତୀମୃତ୍ୟୁ କେଳେଙ୍କାରୀ ପାଇଁ ବଡ ଅଧିକାରୀଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ନିଆଯିବ, ତାହା ସାଧାରଣରେ ଆଲୋଚନା ହେଉଛି ।